ମୃତ୍ୟୁ ବି ଏମିତି ଆସେ, ଏକା ସାଙ୍ଗେ ଚାଲିଗଲା ୩ଜଣଙ୍କ ଜୀବନ

Published By : Prameya-News7 Bureau | August 15, 2020 IST

ଭୁବନେଶ୍ୱର ୧୫।୦୮: ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି । କରେଣ୍ଟ ଲାଗି ଗୋଟିଏ ପରିବାରର ମା’-ପୁଅଙ୍କ ସମେତ ଯାଆଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ସତ୍ୟନଗର ବସ୍ତିର ଲାଡ୍‌ଲି ପରବିନ(୨୭), ତାଙ୍କ ସାଢ଼େ ୫ ବର୍ଷର ପୁଅ ତବରାଜ ଆଲାମ ଓ ଲାଡ୍‌ଲିଙ୍କ ଯାଆ ନାଜରୁନ ଖାତୁନ(୨୨) । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରାଯାଇ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ବିହାରର ତାବରିକଙ୍କ ପରିବାର ରଘୁନାଥନଗର ସତ୍ୟନଗର ବସ୍ତିରେ ରହୁଛନ୍ତି । ତାବରିକଙ୍କ ପତ୍ନୀ, ପୁଅ ସମେତ ତାଙ୍କ ସାନଭାଇ ଓ ବୋହୂ ନାଜରୁନ ରହୁଛନ୍ତି । ତାବରିକ ଓ ତାଙ୍କ ସାନଭାଇ ଶ୍ରମିକ ଭାବେ କାମ କରନ୍ତି । ସେମାନେ ସକାଳୁ ଯାଇ ସନ୍ଧ୍ୟାରେ ଫେରନ୍ତି । ଆଜି ମଧ୍ୟ ୨ ଭାଇ ସକାଳୁ କାମକୁ ଯାଇଥିଲେ । ଅପରାହ୍ଣ ୩ଟା ବେଳେ ଲାଡ୍‌ଲି ପୁଅ ତବରାଜଙ୍କୁ ଖାଇବାକୁ ଦେବା ପରେ ହାତ ଧୋଇବାକୁ ପଠାଇଥିଲେ । ତବରାଜ ହାତ ଧୋଇବାକୁ ବାଲକୋନୀକୁ ଯାଇଥିଲେ । ସେଠାରେ ହାତ ଧୋଉଥିବା ସମୟରେ ବାଲକୋନୀର ଷ୍ଟିଲ ଆଙ୍ଗେଲରେ ହାତ ବାଜିବାରୁ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ । ତବରାଜଙ୍କ ଚିତ୍କାର ଶୁଣି ଲାଡ୍‌ଲି ଆସି ତାଙ୍କୁ ଉଦ୍ଧାର କରିବା ବେଳେ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ ।

ସେମାନଙ୍କ ପାଟି ଶୁଣି ତଳ ମହଲାରେ ରହୁଥିବା ନାଜରୁନ୍‌ ଦୌଡ଼ି ଆସିଥିଲେ । ମା’ ଓ ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ । ପାଖ ପଡ଼ୋଶୀମାନେ ଆସି ବିଦ୍ୟୁତ୍‌ ସଂଯୋଗ କାଟିବା ପରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌ସ ହସ୍ପିଟାଲକୁ ନେଇଥିଲେ । ଖବରପାଇ ଖଣ୍ଡଗିରି ଥାନା ପୁଲିସ ଏମ୍‌ସ ହସ୍ପିଟାଲରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୁଲିସ ତଦନ୍ତରୁ ବାଲକୋନୀର ଷ୍ଟିଲ ଆଙ୍ଗେଲରେ ସର୍ଭିସ ତାର ଲାଗି କରେଣ୍ଟ ଚାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଆଜି  ମୃତକମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.