କଳାହାଣ୍ଡିରେ ତ୍ରିମୁଖୀ ଲଢେଇ : ବିଜେଡିରୁ ପୁଷ୍ପେନ୍ଦ୍ର, ବିଜେପିରୁ ବସନ୍ତ ଓ କଂଗ୍ରେସରୁ ଭକ୍ତ ପ୍ରାର୍ଥୀ

Published By : Prameya-News7 Bureau | March 23, 2019 IST

କଳାହାଣ୍ଡି ୨୩।୩: କଳାହାଣ୍ଡିରେ ହେବ ତ୍ରିମୁଖୀ ଲଢେଇ । କଳାହାଣ୍ଡି ଲୋକସଭା ଆସନରେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ, ବିଜେପିରୁ ବସନ୍ତ ପଣ୍ଡା ଏବଂ କଂଗ୍ରେସରୁ ଭକ୍ତ ଚରଣ ଦାସଙ୍କ ମଧ୍ୟରେ ହେବ ଲଢେଇ । ଏଥର କଳାହାଣ୍ଡି ଆସନରେ ଜୋରଦାର ଟକ୍କର ହେବ ।

କଳାହାଣ୍ଡି ଆସନ ପାଇଁ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ମିଳିଛି ଟିକେଟ୍ । ବିଜେଡିର ବର୍ତ୍ତମାନର ସାଂସଦ ଅର୍କ କେଶରୀ ଦେଓଙ୍କୁ ବାଦ୍ ଦେଇ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଟିକେଟ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଫଳରେ ଅର୍କ କେଶରୀ ଦଳରୁ ଇସ୍ତଫା ଦେଇଛନ୍ତି । ପୁଷ୍ପେନ୍ଦ୍ର ବିଜେଡିର ଜିଲ୍ଳା ସଭାପତି ଥିବା ସହ ଜଣେ ଭଲ ସଂଗଠକ ଭାବେ ବେଶ୍ ଜଣାଶୁଣା । ଦେଖାଯାଉ ଚଳିତ ନିର୍ବାଚନରେ କଳାହାଣ୍ଡିବାସୀ ପୁଷ୍ପେନ୍ଦ୍ରଙ୍କୁ କେତେ ଗ୍ରହଣ କରିପାରୁଛନ୍ତି ।

ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଖୋଦ୍ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । କଳାହାଣ୍ଡି ଆସନ ପାଇଁ ଅନେକ ଦ୍ବନ୍ଦ୍ବ ଭିତରେ ଶେଷର ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ । କଳାହାଣ୍ଡି ଲୋକସଭା ଆସନ ପାଇଁ ଚଳିତଥର ବିଜେପିରୁ ପ୍ରଦୀପ କୁମାର ନାୟକ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ରାଜ ପରିବାର ମହାରାଣୀ ପଦ୍ମଜା ଦେଓ ଟିକେଟ୍ ଦୌଡରେ ଥିଲେ । ଚଳିତଥର ସାଧାରଣ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରୁଛି ଦଳ ।

ସେହିପରି କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କୁ କଳାହାଣ୍ଡିରୁ ପ୍ରାର୍ଥୀ କରିଛି କଂଗ୍ରେସ। ୨୦୦୯ରେ କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢି ଆସନ ହାତେଇଥିଲେ ଭକ୍ତଚରଣ ଦାସ । ଭକ୍ତ ଚରଣ ଦାସଙ୍କ ଉପରେ ଭରସା କରି କଂଗ୍ରେସ ପୁଣି ଥରେ ତାଙ୍କୁ ଟିକେଟ ଦେଇଛି ।

ତେବେ ଆଗାମୀ ସମୟରେ ଦେଖାଯିବ କାହା ହାତକୁ ଯାଉଛି କଳାହାଣ୍ଡି ଲୋକସଭା ଆସନ । କେଉଁ ଉପଯୁକ୍ତ ପ୍ରାର୍ଥୀକୁ ବାଛୁଛନ୍ତି କଳାହାଣ୍ଡିବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.