ବ୍ରହ୍ମପୁର ଲୋକସଭା : ଦୁଇ ଚନ୍ଦ୍ରଶେଖରଙ୍କୁ ନେଇ ଭୋଟର ପଡିପାରନ୍ତି ଦ୍ବନ୍ଦ୍ବରେ, ବିଜେପି ପ୍ରାର୍ଥୀଙ୍କ ପାଇଁ ଭୂମିପୁତ୍ର ଅଡୁଆ

Published By : Prameya-News7 Bureau | March 28, 2019 IST

ବ୍ରହ୍ମପୁର ୨୮|୩ : ପାଖେଇ ଆସୁଛି ନିର୍ବାଚନ । ବ୍ରହ୍ମପୁର ଲୋକସଭା ଆସନରେ କାହାର ହେବ ଜିତାପଟ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି । କିଏ ହାତେଇବ ବ୍ରହ୍ମପୁର ଲୋକସଭା ଆସନ ତାକୁ ନେଇ ଏବେ ଚର୍ଚ୍ଚା । ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେହିପରି ଭି.ଚନ୍ଦ୍ର ଶେଖର ନାଇଡୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଏହି ଆସନରେ ଲଢେଇ ଜୋରଦାର ହେବ ବୋଲି ଆଲୋଚନା ହେଉଛି ।  ଚଳିତ ନିର୍ବାଚନରେ କିଏ ହାତେଇବ ବ୍ରହ୍ମପୁର ଆସନ ସେ ନେଇ ଚାଲିଛି ଛକାପଞ୍ଝା ।

ସରିଛି ନାମାଙ୍କନ । ଆରମ୍ଭ ହୋଇଛି ବଳ କଷାକଷି । ବ୍ରହ୍ମପୁର ଲୋକସଭା ଆସନରେ ଲଢେଇ ଜୋରଦାର ହେବ । ଗତ ଥର ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ପୂର୍ବତନ କଂଗ୍ରେସ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ ।  ବ୍ରହ୍ମପୁର ରାଜନୀତିରେ ଚନ୍ଦ୍ରଶେଖର ସାହୁଙ୍କ ଦବଦବା ରହିଛି । ତେବେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି କର୍ମୀ ଓ ଭୋଟର କେତେ ଗ୍ରହଣ କରୁଛନ୍ତି ତାହା ସମୟ କହିବ ।

ଏଥର କଂଗ୍ରେସ ଭରସା କରିଛି ପୂର୍ବତନ ରାଷ୍ଟ୍ରପତି ଭି.ଭି ଗିରିଙ୍କ ନାତି  ଭି.ଚନ୍ଦ୍ର ଶେଖର ନାଇଡୁଙ୍କୁ ଉପରେ । ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ ଦେଇଛି ନୂଆ ମୁହଁ । ଭି.ଚନ୍ଦ୍ର ଶେଖର ନାଇଡୁଙ୍କ ଘର ବ୍ରହ୍ମପୁରରେ ହୋଇଥିଲେ ହେଁ ସେ ରାଜ୍ୟ ବାହାରେ ରୁହନ୍ତି । ଅପରପକ୍ଷରେ ଚନ୍ଦ୍ରଶେଖର ସାହୁ ପୂର୍ବରୁ କଂଗ୍ରେସ ଟିକେଟ୍‌ରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି । ତେବେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ଚଳିତ ଥର ନିଜ ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି ଚନ୍ଦ୍ରଶେଖର ।

ଏଥର ଦୁଇ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଲଢେଇ ହେବାକୁ ଥିବାବେଳେ ଭୋଟରଙ୍କ ପାଇଁ  ଏକ କନଫ୍ୟୁଜନ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯେହେତୁ ଉଭୟଙ୍କ ନାଁ ଚନ୍ଦ୍ରଶେଖର ତେଣୁ କିଛି ଭୋଟ୍ ଏପଟସେପଟ ହେବାର ମଧ୍ୟ ଆଶଙ୍କା କରାଯାଉଛି ।

ବିଜେପିରୁ ନିର୍ବାଚନ ଲଢିବେ ଭୃଗୁ ବକ୍ସିପାତ୍ର । ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ଘର କୋରାପୁଟ ଜିଲ୍ଲାରେ । ତେବେ ସେ ବ୍ରହ୍ମପୁର ସହ ଜଡିତ ନୁହଁନ୍ତି । ତେଣୁ ତାଙ୍କୁ ବ୍ରହ୍ମପୁରବାସୀ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା ।

ତେବେ ବ୍ରହ୍ମପୁରବାସୀଙ୍କ ପାଇଁ ଭୃଗୁ ଏବଂ ଭି.ଚନ୍ଦ୍ରଶେଖରଙ୍କ ମୁହଁ ନୂଆ । ତଥାପି ଦଳୀୟ ସଂଗଠନ, ମୋଦି ସରକାରଙ୍କ ଜନହିତକର ଯୋଜନା ଯୋଗୁଁ ବିଜେପି ଏଠାରୁ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଭୃଗୁ । ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳିରେ ତେଲୁଗୁ ଭୋଟରଙ୍କ ସଂଖ୍ୟାଗରିଷ୍ଠତା ରହିଛି । ତେଲୁଗୁ ସଂପ୍ରଦାୟର ଭୋଟ୍ କଂଗ୍ରେସଦଳ ସପକ୍ଷରେ ଯିବ ଏବଂ  କଂଗ୍ରେସ ଜିତିବ ବୋଲି କହିଛନ୍ତି  ଭି.ଚନ୍ଦ୍ରଶେଖର ନାଇଡୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.