ଗୁଣି ଗାରେଡି ସନ୍ଦେହରୁ ଯୁବକଙ୍କ ଗଳାକାଟି ହତ୍ୟା ଘଟଣା : ୫ଦିନ ପରେ ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 24, 2021 IST

କଳାହାଣ୍ଡି ୨୪।୫: ଗୁଣି ଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ସିମେଳଭଟା ଗାଁରେ ଗତ ୧୮ତାରିଖରେ ନୃଶଂସ ହତ୍ୟାକାଣ୍ଡ ଘଟିଥିଲା । ସେମେଳଭଟା ଗାଁର ନୀଳମଣି ଦଣ୍ଡସେନା ନାମକ ଜଣେ ଯୁବକକୁ ରାତିରେ ନିଜ ଘର ଦୁଆର ମୁହଁରେ ଶୋଇଥିବା ଅବସ୍ଥାରେ  ନିର୍ମମ ଭାବେ ତଣ୍ଟିକାଟି ହତ୍ୟା କରାଯାଇଥିଲା । ହତ୍ୟାକାରୀକୁ ଧରିବା ପାଇଁ ଅନେକ ଜାଲ ବିଛାଇଥିଲା ଲାଞ୍ଜିଗଡ ପୋଲିସ । ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ବିଭିନ୍ନ ଗାଁକୁ ଯାଇ ଛାନଭିନ କରୁଥିଲା ଲାଞ୍ଜିଗଡ ପୋଲିସ । ଦୀର୍ଘ ୫ଦିନର ତଦନ୍ତ ପରେ ଲାଞ୍ଜିଗଡ ପୋଲିସକୁ ସଫଳତା ମିଳିଛି । ଆଜି ୩ ଜଣ ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ନୀଳମଣି ଦଣ୍ଡସେନାଙ୍କ ହତ୍ୟା ଗୁଣି ଗାରେଡି ସନ୍ଦେହରେ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସିମିଳିଭଟା ଗାଁର ବିଶ୍ବ ଲୋହରାକୁ ଦେହ ଖରାପ ହୋଇଥିଲା । ଅନେକ ଚିକିତ୍ସା ପରେ ମଧ୍ୟ ଦେହ ଭଲ ହୋଇନଥିବାରୁ ସେ ନିଳମଣି ଦଣ୍ଡସେନାକୁ ମୋ ଦେହରେ ଗୁଣି କରେଇଛି ବୋଲି ସନ୍ଦେହ କରିଥିଲା । ସେ ଦିନଠୁ ନୀଳମଣି ଦଣ୍ଡସେନା ଉପରେ ବିଶ୍ବ ଲୋହରା ରାଗ ରଖିଥିଲା ମୌକା ଦେଖି ନୀଳମଣିକୁ ରାସ୍ତାରୁ ହଟାଇ ଦେବା ପାଇଁ ଚେଷ୍ଟା କରୁଥିଲା । ଏହି ସୁଯୋଗରେ ସେ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ସ୍ଥିତ ପରଡିଗୁଡା ଗାଁର କାଡ୍ରାକା ଆପାରାଓ ଓ ଚିନ୍ତାମଣୀ କୁଲଶିକା ସହିତ ସାକ୍ଷାତ ହୋଇ ସିମିଳିଭଟା ଗାଁକୁ ଡାକିଥିଲା । ଗାଁକୁ ଆସିଲା ପରେ ବିଶ୍ବ ଲୋହରା ସେମାନଙ୍କୁ ମଦ ପିଆଇ ନୀଳମଣିକୁ ହତ୍ୟା କରିବା ପାଇଁ କହିଥିଲା । ଗତ ୧୮ତାରିଖ ରାତିରେ ନିଜ ଘର ଦୁଆର ମୁହଁରେ ନୀଳମଣି ଶୋଇଥିବା ବେଳେ କାଡ୍ରାକା ଓ ଚିନ୍ତାମଣୀ ଏକ ଧାରୁଆ ଟାଙ୍ଗିଆରେ ଗଳାକାଟି ହତ୍ୟା କରିଥିଲେ ଓ ହତ୍ୟା କଲାପରେ ସେମାନେ ପିନ୍ଧିଥିବା ପ୍ୟାଣ୍ଟସାର୍ଟ ଓ ଧାରୁଆ ଟାଙ୍ଗିଆକୁ ଗାଁ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇ ନିଜ ଗାଁକୁ ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ପୋଲିସ ଶବ ଜବତ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ତଦନ୍ତ କରିଥିଲେ । ଘଟଣାସ୍ଥଳରେ କଳାହାଣ୍ଡି ଏସପି ଡା. ଶ୍ରବଣା ବିବେକ୍ ଏମ୍ ପହଞ୍ଚି ତଦନ୍ତ କରିଥିଲେ । ସନ୍ଦେହରେ ଥିବା ଅନେକ ଲୋକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ଦୀର୍ଘ ୫ଦିନ ପରେ ଏହି ଘଟଣା ପର୍ଦ୍ଦାଫାସ କରିଛି ଲାଞ୍ଜିଗଡ ପୋଲିସ । ହତ୍ୟାକାରୀ ୩ ଜଣଙ୍କୁ ଗିରଫ କରି ଲାଞ୍ଜିଗଡ ଥାନା କେସ୍ ନଂ ୪୩/୨୦୨୧ରେ ଏକ କେସ୍ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.