ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଯୁବକ ଗିରଫ

Published By : Prameya-News7 Bureau | January 11, 2020 IST

ଗୁରୁଗ୍ରାମ ୧୧।୧: ଦିଲ୍ଲୀର ସାଇବର ସିଟି ଗୁରୁଗ୍ରାମ ପୋଶ୍ ଏମଜି ରୋଡ୍ ଅଞ୍ଚଳରେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ପୀଡିତା ଯୁବତୀ ଥାନାରେ ଅଭିଯୋଗ କରିବା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ପୀଡିତା ଯୁବତୀ ଜଣଙ୍କ ବୁଧବାର ଦିନ ଦିଲ୍ଲୀ ଯିବା ପାଇଁ ଏମଜି ରୋଡ୍ ରେ ଗାଡି ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ କାର୍ ରେ ଯାଉଥିବା ୩ଜଣ ଯୁବକ ତାଙ୍କ ନିକଟକୁ ଆସିଥିଲେ । ଯୁବକମାନେ ତାଙ୍କୁ ଦିଲ୍ଲୀରେ ଛାଡିଦେବାକୁ ଲିଫ୍ଟ ଦେଇଥିଲେ । ଏହାପରେ ଯୁବତୀ ଜଣଙ୍କ ସେମାନଙ୍କ ସହ କାର୍ ରେ ଯାଇଥିଲେ । ଯୁବକମାନେ ତାଙ୍କୁ ସହରର ବଜିରାବାଦ ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ସେମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ପୀଡିତା ଯୁବତୀ ଅଭିଯୋଗ କରିଛନ୍ତି ।

ପୀଡିତା ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ପ୍ରଦୀପ, ଶ୍ୟାମ୍ ଓ ମୋହନଲାଲକୁ ଗୁରୁବାର ଦିନ ବଜିରାବାଦ ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ପୋଲିସର ସୂଚନା ଅନୁସାରେ ପ୍ରଦୀପ ଏବଂ ଶ୍ୟାମ୍ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିବା ଏବଂ ମୋହନଲାଲଙ୍କ ବିରୋଧରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ନେଇ ମାମଲା ରୁଜୁ ହୋଇଛି । ଦୁଇ ଜଣ ଅଭିଯୁକ୍ତ ଭିଓ୍ବାନୀ ଏବଂ ଜଣେ ଜିନ୍ଦର ବାସିନ୍ଦା । ତିନି ଜଣଯାକ ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ।

ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୫୪ବି, ୩୭୬ଡି, ୫୦୬ ଆଧାରରେ ମାମଲା ରୁଜୁ କରାଯାଇଛି । ୩ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ସାଇବର ସିଟିରେ ବଢୁଥିବା ଦୁଷ୍କର୍ମ ଏବଂ ମହିଳାଙ୍କୁ ଦୁର୍ବ୍ୟବହାର ମାମଲା ପୁଣି ତେ ମହିଳାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.