ପ୍ରେମିକାର ଦୁଃଖ ସହି ନପାରି ପ୍ରେମିକାର ସ୍ବାମୀକୁ ହତ୍ୟା କଲା ପ୍ରେମିକ, ୟୁଟ୍ୟୁବରୁ ନେଇଥିଲା ମର୍ଡର କରିବା ତାଲିମ

Published By : Prameya-News7 Bureau | May 31, 2019 IST

ରାୟଗଡା ୩୧|୫: ଗତ ୨୦ ତାରିଖରେ ମୁନିଗୁଡା ଥାନା କୁଟ୍ରାଗଡ଼ ଗ୍ରାମ ବଂଶଧାରା ନଦୀର ବ୍ରିଜ ତଳୁ ସମଦଳା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆଙ୍କ ମୃତ ଦେହ ମୁନିଗୁଡା ପୋଲିସ ଉଦ୍ଧାର କରିଥିଲା। ମୃତକଙ୍କ ଭାଇ ସୁଶୀଲ ମହାନନ୍ଦିଆ ତାଙ୍କ ଭାଇଙ୍କୁ କେହି ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ରାୟଗଡା ଏସପି ଶର୍ବଣା ବିବେକ ଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ କରି ତନାଘନା ଆରମ୍ଭ କରିଥିଲେ।

ଆଜକୁ ପ୍ରାୟ ୧୬ ବର୍ଷ ତଳେ ରାମଚନ୍ଦ୍ର ମହାନନ୍ଦିଆ ବିବାହ କରିଥିଲେ ଗୁଣୁପୁରର ସୁନିତା ମହାନନ୍ଦିଆଙ୍କୁ । ବିବାହ ପରେ ବେଶ ଖୁସି ବାସରେ ଚାଲିଥିଲା ରାମଙ୍କ ପରିବାର । ଇତି ମଧ୍ୟରେ ସୁନିତା ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ଜନ୍ମ ଦେଇଥିଲେ। ରାମଚନ୍ଦ୍ର ଶିକ୍ଷକତା କରି ଚଳାଉଥିଲେ ନିଜ ପରିବାର। କିଏ ବା ଜାଣିଥିଲା ସୁନିତାଙ୍କ ପୁରୁଣା ପ୍ରେମିକ ଦିନେ ସାଜିବ ତାଙ୍କ ହତ୍ୟାକାରୀ।

ରାୟଗଡ ଜିଲ୍ଲା ଗୁଣୁପୁର ଆମ୍ବେଦକର ନଗରର ରମେଶ ପାତିକା ଓ ସୁନିତାଙ୍କ ମଧ୍ୟରେ ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ସୁନିତା ବିବାହ ହୋଇଥିଲେ ମୁନିଗୁଡା ଚିଚାଙ୍ଗବୋରି ଗ୍ରାମର ରାମଚନ୍ଦ୍ର ମହାନନ୍ଦିଆଙ୍କ ସହ। ହେଲେ ସେହି ପୁରୁଣା ପ୍ରେମ ଆଜିବି ସେମାନଙ୍କ ମଧ୍ୟରେ ବଞ୍ଚି ରହିଥିଲା। ଯେଉଁ ଦିନ ରାମ ଓ ସୁନିତାଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା କିମ୍ବା କଳି ହୁଏ ଏକଥା ସୁନିତା ଫୋନ ଯୋଗେ ଜଣାନ୍ତି ରମେଶଙ୍କୁ।

ଏହା ଏକ ରୀତିମତ ଘଚଣାରେ ପରିଣତ ହୋଇଥିଲା । ବାରମ୍ବାର ସୁନିତାଙ୍କ ଦୁଃଖ ଶୁଣି ସହିପାରିଲେନି ରମେଶ। ୟୁଟ୍ୟୁବରୁ କିପରି ନିଶା ଦିଆଯିବ ତାହାର ପ୍ରଶିକ୍ଷଣ ନେଇଥିଲା । ଗତ ୧୯ ତାରିଖ ସନ୍ଧ୍ୟାରେ ଗୁଣୁପୁରରୁ ଏକ ଟାଭେରା ଗାଡ଼ିରେ ବାହାରି ପଡିଲେ ରାମଚନ୍ଦ୍ରଙ୍କୁ ହତ୍ୟା କରିବାକୁ। ସେତେବେଳେ ସୁନିତା ଥାଆନ୍ତି ନିଜ ବାପ ଘର ଗୁଣୁପୁରରେ।

ରମେଶ ଓ ତାଙ୍କ ସହଯୋଗୀ କାଳିଆ ରାମଚନ୍ଦ୍ର ଙ୍କୁ ଘରୁ ଡାକିନେଇ କୁଟ୍ରାଗଡ ନିକଟସ୍ଥ ଏକ ଇଟାଭାଟି ପାଖରେ ଯୁକ୍ତିତର୍କ ଓ ପରେ ଏକ ଇଟା ସାହାଯ୍ୟରେ ତାଙ୍କ ମୁଣ୍ଡକୁ ମାରି ହତ୍ୟା କରିଥିଲେ। ଏହାକୁ ଏକ ଦୁର୍ଘଟଣାର ଆଖ୍ୟା ଦେବାପାଇଁ ଘରୁ ରାମଚନ୍ଦ୍ରଙ୍କ ମଟରସାଇକେଲ ନେଇ କୁଟ୍ରାଗଡ ବ୍ରିଜ ତଳେ ମଟର ସାଇକେଲ ସହ ଫୋପାଡ଼ି ଦେଇଥିଲେ।

କିନ୍ତୁ ରାମଚନ୍ଦ୍ରଙ୍କ ବାପା ଏହାକୁ ସମ୍ପତ୍ତି ଲୋଭରେ ହତ୍ୟା କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ମତ ରଖିଥିଲେ। ଏନେଇ ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବାସହ ସୁନିତା, ମୁଖ୍ୟ ଆସାମୀ ରମେଶ ପାତିକା ଓ ସହଯୋଗୀ କାଳିଆକୁ ମୁନିଗୁଡା ଥାନା କେଶ ନମ୍ବର ୬୬/୧୯ରେ ଏକ ମାମଲା ରୁଜୁ କରି ଧାରା ୨୭୯/୩୦୪(ଏ)/୩୦୨/୨୦୧/୧୨୦(ବି) ଓ ୩୪ ଅନୁଯାୟୀ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.