ବିରାଟ କୋହଲିଙ୍କ ପରିବାରକୁ ଧମକ, ଭାରତର ପରାଜୟ ପରେ ସୋସିଆଲ ମିଡିଆରେ ବିଷ ଓଗାଳୁଛନ୍ତି କ୍ରିକେଟ ପ୍ରେମୀ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧ : ଟି ୨୦ ବିଶ୍ବକପରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡୁଛି । ଦେଶବ୍ୟାପୀ କ୍ରିକେଟ ପ୍ରେମୀ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସୋସିଆଲ ମିଡିଆରେ ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ କରାଯାଉଛି ।

ତେବେ ବଡ କଥା ହେଉଛି ସାମାଜିକ ଗଣମାଧ୍ୟମରେ କୋହଲିଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରାଯାଉଛି । ପ୍ରଥମେ ପାକିସ୍ତାନ ବିପକ୍ଷରେ ଲଜ୍ଜାଜନକ ପରାଜୟ ଏବଂ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆରେ ବିଷ ଓଗାଳୁଛନ୍ତି କ୍ରିକେଟ ପ୍ରଶଂସକ । ଖେଳାଳିମାନଙ୍କୁ ଗାଳିଗୁଲଜ କରିବା ସହିତ ଅଶ୍ଳୀଳ ଭାଷା ପ୍ରୟୋଗ କରିବାକୁ ପଛାଉ ନାହାନ୍ତି ଲୋକେ । ଏହାକୁ ଅନେକ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି । କୋହଲିଙ୍କ ପରିବାର ଲୋକଙ୍କୁ ବିଭିନ୍ନ ଧମକ ମିଳୁଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ ହକ୍‌ ।  

ଇଞ୍ଜାମାମ୍‌ ଉଲ ହକ୍‌ କହିଛନ୍ତି, ‘କ୍ରିକେଟ ହେଉଛି ଏକ ଅନିଶ୍ଚିତତାର ଖେଳ । ଏଭଳି ଧମକ ଦେବା ପୁରାପୁରି ଭାବେ ଭୁଲ । କୋହଲିଙ୍କ ଅଧିନାୟକତ୍ବ ଏବଂ ବ୍ୟାଟିଂ ଯଦି ଠିକ ହେଉ ନାହିଁ ତେବେ ଆପଣମାନେ ତାଙ୍କୁ କିଛି ବି କୁହନ୍ତୁ କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ଏଭଳି ଧମକ ଦେବା ଆଦୌ ଠିକ ନୁହେଁ ।’

ସେ କହିଛନ୍ତି, ଖେଳକୁ କେବଳ ଖେଳ ହିସାବରେ ନିଆଯିବା ଉଚିତ । ଏଭଳି ଭାବେ କାହାର ବ୍ୟକ୍ତିଗତ ସ୍ତରକୁ ଯାଇ ଗାଳିଗୁଲଜ କରିବା କିମ୍ବା ଧମକ ଦେବା ଆଦୌ ଗ୍ରହଣୀୟ ନୁହେଁ । ଭାରତ ଅବଶ୍ୟ ସେମି ଫାଇନାଲରେ ପ୍ରବେଶ କରିବାକୁ କଷ୍ଟ ହେବ କିନ୍ତୁ ପରାଜୟକୁ ମଧ୍ୟ ବରଦାସ୍ତ କରାଯିବା ଉଚିତ ।

ଇଞ୍ଜାମାମ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତୀୟ ଖେଳାଳିମାନେ ଖୁବ ଚାପରେ କ୍ରିକେଟ ଖେଳୁଥିଲେ । ଏହା ପୂର୍ବରୁ ଭାରତୀୟ ଟିମକୁ ଏଭଳି ଭାବେ କେବେ ଦେଖିବାକୁ ମିଳିନଥିଲା । ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ ଖେଳାଳିମାନଙ୍କ ଉପରେ ଯେଉଁ ଚାପ ରହିଥିଲା ସେଥିରୁ ସେମାନେ ବାହାରି ପାରିନଥି​‌ଲେ । ଯାହା ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଦଳ ସମାନ ପରିସ୍ଥିତି ଭୋଗିଲା । ଖେଳରେ ହାର ଜିତ୍‌ ଥାଏ । ଉଭୟ ପକ୍ଷର ଖେଳ ମଧ୍ୟରେ ଗୋଟିଏ ଟିମ ହିଁ ଜିତିବ ତେଣୁ ପରାଜୟକୁ ସ୍ବୀକାର କରି ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ । ଏହା ସହିତ ସୋସିଆଲ ମିଡିଆରେ ଏଭଳି ଗାଳି ଗୁଲଜ କରିବା କିମ୍ବା ଧମକ ଦେବାରୁ ନିବୃତ୍ତ କରିବା ଆବଶ୍ୟକ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.