ମସଜିଦରେ ଡ୍ୟାନ୍ସ ଭିଡିଓ ସୁଟିଂ କରିଥିବାରୁ ଅଭିନେତ୍ରୀ ସବା କମରଙ୍କୁ ଜୀବନରେ ମାରିଦେବାକୁ ଧମକ
10/08/2020 at 6:47 PM

ଲାହୋର ୧୦/୦୮ : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ସରକାର ଲାହୋରରେ ଥିବା ଐତିହାସିକ ୱଜିର ଖାନ ମସଜିଦରେ ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କ ମ୍ୟୁଜିକ ଭିଡିଓ ସୁଟିଂ ପାଇଁ ଅନୁମତି ଦେଇଥିବା ଦୁଇ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି | ମସଜିଦର ପବିତ୍ରତା ଭଙ୍ଗ କରିବା ଅଭିଯୋଗରେ ସବା କମର ଓ ଗାୟକ ବିଲାଲ ସଇଦଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଆବେଦନ କରାଯାଇଛି | ସବା କମର ବଲିଉଡ ହିନ୍ଦୀ ଫିଲ୍ମ ମିଡିୟମରେ ମଧ୍ୟ ନଜର ଆସିଛନ୍ତି | ଘଟଣା ପରେ ସବା କମରଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି |
ଏହି ମାମଲାରେ ତଦନ୍ତ ଆରମ୍ଭ କରାଯାଇଛି ଏବଂ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମଜହବ ମାମଲାର ମନ୍ତ୍ରୀ ସଇଦ ହସନ ଶାହ | ସେ କହିଛନ୍ତି ଯେ ମସଜିଦର ପବିତ୍ରତା ଭଙ୍ଗ କରିବାର ଅଧିକାର କାହାର ମଧ୍ୟ ନାହିଁ | କଡା ସମାଲୋଚନା ଓ ଜୀବନରେ ମାରିଦେବାକୁ ଧମକ ପରେ ଅଭିନେତ୍ରୀ ସବା କମର କ୍ଷମା ମାଗିଛନ୍ତି | ଉଭୟ କଳାକାର ଭିଡିଓ ପାଇଁ କ୍ଷମା ମାଗିଛନ୍ତି | ସଇଦ ଦାବି କରି କହିଛନ୍ତି ଯେ ଡ୍ୟାନ୍ସ ମସଜିଦ ଭିତରେ ସୁଟିଂ କରାଯାଇନଥିଲା | ସବା କମରଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭିଡିଓ ସାମ୍ନାକୁ ଆସିବା ପରେ ଲାହୋରରେ ବିରୋଧ ପ୍ରଦର୍ଶନ ହୋଇଥିଲା |
କଟ୍ଟରପନ୍ଥୀମାନେ ସବା କମର ଓ ବିଲାଲ ସଇଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ଭିଡିଓ କରିଥିବା କମ୍ପାନୀ କହିଛି ଯେ ସେ ସୁଟିଂ ପାଇଁ ପ୍ରଥମେ ଅନୁମତି ନେଇଥିଲେ ଏବଂ ୩୦ ହଜାର ଟଙ୍କା ମଧ୍ୟ ଦେଇଥିଲେ |