କାୟା ମେଲାଉଛି କରୋନା : ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ପାର୍ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭, ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଗୁରୁତର

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୦୩ : ଭାରତରେ ବଢୁଛି କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ୨୭ ଜଣଙ୍କ କରୋନା ଭାଇରସରେ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଶହେରୁ ଅଧିକ ନୂଆ ପଜିଟିଭ ବାହାରିଛି । ଫଳରେ ଭାରତରେ  COVID-19 ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୪ରେ ପହଞ୍ଚିଛି । ଆକ୍ରାନ୍ତ ମାନଙ୍କ ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି । ୧୦୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୯୨୮ ଭାରତୀୟ । ଏବଂ ୯୬ଜଣ ବିଦେଶୀ ନାଗରିକ ଅଛନ୍ତି ।

ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଗୁରୁତର ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦୩ ଜଣ ସଂକ୍ରମିତ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। କେରଳରେ ୨୦୨ ଜଣ ସଂକ୍ରମିତ ହୋଇଛନ୍ତି । ଗୁଜରାଟରେ ୫, କର୍ଣ୍ଣାଟକରେ ୩ ଓ ମଧ୍ୟପ୍ରଦେଶରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୨ ଓ ଜାମ୍ମୁକଶ୍ମୀରରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବିହାର ହିମାଚଳ ପ୍ରଦେଶ, କେରଳ,  ପଞ୍ଜାବରେ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ତାମିଲନାଡୁ, ତେଲେଙ୍ଗାନା, ପଶ୍ଚିମବଙ୍ଗରେ ଜଣେ ଲେଖଏଁ ପ୍ରାଣ ହରାଇଛନ୍ତି ।

ତେବେ ଦିଲ୍ଲୀରେ କେବଳ ରବିବାର ଆଉ ୨୩ ଜଣ ନୂଆ କରୋନା ସଂକ୍ରମିତ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି । କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାରମାନେ ଲକ୍  ଡାଉନ୍ କରିଥିବାବେଳେ ଅନେକ ସ୍ଥଳରେ କେତେକଙ୍କ ବେଫିକର ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ବଢିବାରେ ଲାଗିଛି । ବଡ଼ ବଡ଼ ସହରରୁ ପ୍ରବାସୀ ଶ୍ରମିକଙ୍କ ଗାଁକୁ ସମୂହ ପଳାୟନ ଏବେ ଉଭୟ କେନ୍ଦ୍ର ଓ ପ୍ରାନ୍ତୀୟ ସରକାରଙ୍କ ଚିନ୍ତା ବଢାଇଛି । ତୁରନ୍ତ ଏହାକୁ ରୋକିବା ଲାଗି ପୁଣିଥରେ କେନ୍ଦ୍ର ସରକାର କଠୋର ନିର୍ଦେଶନାମା ଜାରି କରିଛନ୍ତି । ତାଲାବନ୍ଦ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା ଅନସାରେ, ମାର୍ଚ୍ଚ ୨ ତାରିଖ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫ ଥିଲା; ମାତ୍ର ୨୭ ଦିନ ମଧ୍ୟରେ ଏହା ଏକ ହଜାରରୁ ଅଧିକ ଟପିଲାଣି। ଯଦି ଏବେଠୁ ଏହାକୁ ରୋକା ନ ଯାଏ, ତେବେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.