କେନାଲରୁ ଶହ ଶହ ରେମଡିସିଭିର୍ ଇଞ୍ଜେକ୍ସନ ଜବତ: ଲେଖାହୋଇଛି 'ଫର୍ ଗଭର୍ଣ୍ଣମେଣ୍ଟ ସପ୍ଲାଏ ନଟ୍ ଫର୍ ସେଲ୍'

Published By : Prameya-News7 Bureau | May 07, 2021 IST

ଚଣ୍ଡୀଗଡ ୦୭/୦୫ : ଦେଶରେ କରୋନା ମାମଲା ବେକାବୁ ହୋଇପଡିଛି। ଏହିଭଳି ସ୍ଥିତିରେ ଦେଶରେ ଭ୍ୟାକସିନଠୁ ଆରମ୍ଭ କରି ଇଞ୍ଜେକ୍ସନ, ହସ୍ପିଟାଲ ବେଡ଼, ଅକ୍ସିଜେନ ସଙ୍କଟ ଦେଖାଦେଇଛି। ରେମଡ଼େସିଭିର ଇଞ୍ଜେକ୍ସନ ଅଭାବ ଥିବାବେଳେ ପଞ୍ଜାବରୁ ଏକ ଚକିତ କାଳ ଭଳି ଖବର ସାମ୍ନାକୁ ଆସିଛି। ପଞ୍ଜାବ ଚମକୌର ସାହିବ ନିକଟସ୍ଥ ଭାଖଡା କେନାଲରୁ ଶହ ଶହ ରେମଡ଼େସିଭିର ଓ ଚେଷ୍ଟ ଇନଫେକ୍ସନ ଇଞ୍ଜେକ୍ସନ ଉଦ୍ଧାର ହୋଇଛି। ଏଥିରେ ସରକାରଙ୍କୁ ସପ୍ଲାଏ କରାଯାଉଥିବା ୧୪୫୬ ଇଞ୍ଜେକ୍ସନ, ୬୨୧ ରେମଡ଼େସିଭିର ଇଞ୍ଜେକ୍ସନ ଓ ୮୪୯ଟି ଲେବଲ ନଥିବା ଇଞ୍ଜେକ୍ସନ ରହିଛି। ତେବେ ଏହିସବୁ ଇଞ୍ଜେକ୍ସନ ଅସଲି ନା ନକଲି ତାହା ସ୍ପଷ୍ଟ ହୋଇନାହିଁ।

ଏକ ଖବରକାଗଜ ରିପୋର୍ଟ ଅନୁଯାୟୀ, ରେମଡ଼େସିଭିର ଇଞ୍ଜେକ୍ସନରେ ଏମଆରପି ୫୪୦୦ ଟଙ୍କା ଓ ମେନୁଫେକଚରିଂ ତାରିଖ ୨୦୨୧ ମାର୍ଚ୍ଚ ଓ ଏକ୍ସପାଇରୀ ତାରିଖ ୨୦୨୧ ନଭେମ୍ବର ଲେଖାହୋଇଛି। ସେଫୋପେରାଜୋନ ଇଞ୍ଜେକ୍ସନରେ ମେନୁଫେକଚରିଂ ତାରିଖ ୨୦୨୧ ଏପ୍ରିଲ ଓ ଏକ୍ସପାଇରୀ ତାରିଖ ୨୦୨୩ ମାର୍ଚ୍ଚ ଲେଖାହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା, ଏହି ଇଞ୍ଜେକ୍ସନରେ 'ଫର୍ ଗଭର୍ଣ୍ଣମେଣ୍ଟ ସପ୍ଲାଏ ନଟ୍ ଫର୍ ସେଲ୍' ମଧ୍ୟ ଲେଖାହୋଇଛି।

ସୂଚନାଯୋଗ୍ୟ ଯେ, ଦେଶରେ ରେମଡ଼େସିଭିର ଓ ଚେଷ୍ଟ ଇନଫେକ୍ସନ ଇଞ୍ଜେକ୍ସନର କଳାବଜାରୀ ହେଉଛି। ପଞ୍ଜାବରେ ମଧ୍ୟ ଆବଶ୍ୟକ ପରିମାଣର ରେମଡ଼େସିଭିର ଓ ଅନ୍ୟ ଔଷଧ ଉପଲବ୍ଧ ନାହିଁ। ଏହିଭଳି ସ୍ଥିତିରେ ସରକାରଙ୍କୁ ସପ୍ଲାଏ ହେଉଥିବା ଇଞ୍ଜେକ୍ସନ କେନାଲରୁ ଜବତ ହେବା ସରକାରଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଛିଡା କରୁଛି।

ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଥିଲେ, ରାଜ୍ୟରେ ଅକ୍ସିଜେନ, ଭ୍ୟାକସିନ, ଭେଣ୍ଟିଲେଟର,  ଔଷଧ ଅଭାବ ରହିଛି କାରଣ ଭାରତ ସରକାରଙ୍କ ଦ୍ୱାରା ପ୍ରାପ୍ତ ୮୦୯ ଭେଣ୍ଟିଲେଟରରୁ ୧୦୮ ଭେଣ୍ଟିଲେଟର ସ୍ଥାପିତ କରିବାକୁ କୌଣସି ବି.ଇ.ଏଲ ଇଞ୍ଜିନିୟର ନାହାନ୍ତି। ସେ ଗତ ମାସେ ହେଲା ଏ ସମ୍ବନ୍ଧରେ ଅନେକଥର କେନ୍ଦ୍ରକୁ ଚିଠି ମଧ୍ୟ ଲେଖିଛନ୍ତି। ଏପଟେ କେନାଲରୁ ବହୁ ମାତ୍ରାରେ ଇଞ୍ଜେକ୍ସନ ଜବତ ହେବା, ସରକାରଙ୍କ ଅସଫଳତା ଯୋଗୁଁ ଔଷଧ କିଭଳି ବରବାଦ ହେଉଛି ତାହା ଦର୍ଶାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.