ନବରଙ୍ଗପୁର: ମିଲର କର୍ତ୍ତୃପକ୍ଷଙ୍କ ମନମାନି, ଜିଲ୍ଲାର ହଜାର ହଜାର ଚାଷୀ ହତାଶ, ମିଳୁ ନାହିଁ ପ୍ରାପ୍ୟ

Published By : Prameya-News7 Bureau | January 25, 2021 IST

ନବରଙ୍ଗପୁର୨୫/୧: ଏପଟେ ଧାନ ଉଠୁନାହିଁ ସେପଟେ ନବରଙ୍ଗପୁରରେ ଧାନ ବିକି ବି ପ୍ରାପ୍ୟ ପାଉନାହାନ୍ତି ଚାଷୀ। ମିଲରଙ୍କୁ ପ୍ରାପ୍ତି ପତ୍ର ପ୍ରଦାନରେ ଲ୍ୟାମ୍ପ କର୍ମଚାରୀଙ୍କ ଅହେତୁକ ବିଳମ୍ବ କାରଣରୁ ଏଭଳି ସମସ୍ୟା ଉପୁଜିଛି।  ଆଉ ମଣ୍ଡିରେ ଧାନ ବିକ୍ରି କରି ଜଳକା ହୋଇ ବସି ରହିଛି ଚାଷୀ।

ଚାଷୀଙ୍କ ଅମଳ ଧାନ ନେଇ ମିଲର ଚାଲିଗଲେ। କିନ୍ତୁ ପ୍ରାପ୍ୟ ଅର୍ଥ ପାଉନାହାନ୍ତି ଚାଷୀ।  ଡିସେମ୍ବର ୨୨ ତାରିଖରୁ ସରକାରୀ ସ୍ବୀକୃତି ପ୍ରାପ୍ତ ମଣ୍ଡିରେ ଧାନବିକ୍ରି କରି ଏମିତି ଅବସ୍ଥା ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଳାର ଶହଶହ ଚାଷୀ। ଯୋଗାଣ ଅଧିକାରୀଙ୍କ ନିକଟରେ ଚାଷୀଙ୍କ ସମସ୍ୟାକୁ ନେଇ ଖବର ବି ନାହିଁ। ଲ୍ୟାମ୍ପ କହୁଛି ସର୍ଭର ଡାଉନ ଥିବାରୁ ଭେଣ୍ଡର କ୍ୟାନସଲ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ୧୩ଟି ଲ୍ୟାମ୍ପର ୫୫ଟି ସ୍ଥାନରେ ଧାନ ମଣ୍ଡି ଖୋଲାଯାଇଛି। ଏଯାଏଁ ୧୪ ଲକ୍ଷ ୪୨ ହଜାର କ୍ବିଇଣ୍ଟାଲ ଧାନ ଚାଷୀ ମିଲରଙ୍କ ହାତକୁ ଟେକି ଦେଇଛନ୍ତି।

 ହେଲେ ନା ଅଛି ରେକର୍ଡ ନା ଅଛି ରସିଦ। ଟୋକନ ପାଇଥିବା ଚାଷୀଙ୍କ ଠାରୁ ଲ୍ୟାମ୍ପ ଧାନ କିଣି ମିଲରଙ୍କୁ ଦେଇଛି । କିନ୍ତୁ ମିଲରକୁ ଲ୍ୟାମ୍ପ ଗୁଡିକ ପ୍ରାପ୍ତି ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ ଚାଷୀଙ୍କ ଭେଣ୍ଡର କ୍ୟାନସଲ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ୧୧ ଟି ଲ୍ୟାମ୍ପର ୧୩୯୬ ଚାଷୀଙ୍କ ୯୫ ହଜାର ୪୪୧.୦୯ କି କୁଇଣ୍ଟାଲ ଧାନ ଚାଷୀ ମଣ୍ଡି ମାଧ୍ୟମରେ ସରକାରଙ୍କୁ ବିକ୍ରି କରି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ରାଇଘର ବ୍ଲକର ସର୍ବାଧିକ ୨୮୧ ଚାଷୀଙ୍କ ଠାରୁ ୧୯ ହଜାର ୪୮୩.୪୨ କ୍ବିଣ୍ଟାଲ ଧାନ ଏବଂ ଚନ୍ଦାହାଣ୍ଡି ବ୍ଲକର ୨୨୮ ଜଣ ଚାଷୀଙ୍କ ଠାରୁ ୧୭ ହଜାର ୮୫୪.୬୭ କୁଇଣ୍ଟାଲ ଧାନ ଲ୍ୟାମ୍ପ କିଣିଛି।  କିନ୍ତୁ ଟଙ୍କା ଚାଷୀଙ୍କୁ ମିଳୁନି। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଗରିବ ଚାଷୀ ମାନେ ଏଭଳି ହଇରାଣ ହରକତ ହେଉଛନ୍ତି।  ଲ୍ୟାମ୍ପ ମାନଙ୍କର ଏହି ଭୁଲକୁ ନେଇ ନବରଙ୍ଗପୁର ଏଆରସିଏସ(ARCS) ମୁହଁ ଖୋଲିବାକୁ ଚାହୁଁ ନାହାନ୍ତି। ଚାଷୀର କଷ୍ଟ ଅର୍ଜିତ ଫସଲର ଉଚିତ ମୁଲ୍ୟ ପ୍ରଦାନ ଓ ଦଲାଲ ଙ୍କ ଠାରୁ ଚାଷୀଙ୍କୁ ବଞ୍ଚେଇବାକୁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି ସତ।  କିନ୍ତୁ କଷ୍ଟ ଉପାର୍ଜିତ ଫସଲ ବିକ୍ରି ପରେ ମଧ୍ୟ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ନମିଳିବା ବିଡମ୍ବନାର ବିଷୟ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.