ମୌଲାନାଙ୍କ ଅନ୍ତିମ ସଂସ୍କାରରେ ଜମା ହେଲେ ୧୦ ହଜାର ଲୋକ : ସଂକ୍ରମଣ ଭୟରେ ୩ ଗାଁ ସିଲ୍

Published By : Prameya-News7 Bureau | July 05, 2020 IST

ଗୁଆହାଟୀ ୦୫/୦୭ : କରୋନା ମହାମାରୀକୁ ରୋକିବା ପାଇଁ ସରକାର କିଛି ଗାଇଡଲାଇନ ଜାରି କରିଛନ୍ତି | ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତା ପାଳନ କରିବା ଓ ମାସ୍କ ବ୍ୟବହାର କରିବା ଅନିବାର୍ଯ୍ୟ | ବାହାଘରରେ ୫୦ ଜଣ ସାମିଲ ହେବାକୁ ସରକାର ଅନୁମତି ଦେଇଛନ୍ତି | ଠିକ ସେହିଭଳି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଅନ୍ତିମ ସଂସ୍କାରରେ ୨୦ ଜଣ ସାମିଲ ହେବାକୁ ସରକାର ଅନୁମତି ଦେଇଛନ୍ତି | କିନ୍ତୁ ଆସାମ   ନବାଗାଁ ଜିଲ୍ଲାରେ ଲୋକେ ସାମାଜିକ ଦୂରତାକୁ ଫୁ କରିଦେଇଛନ୍ତି | ଏଠାରେ ଜଣେ ମୌଲାନାଙ୍କ ମୃତ୍ୟୁ ହେବାରୁ ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପାଖାପାଖି ୧୦ ହଜାର ଲୋକ ଏକାଠି ହୋଇଥିଲେ | ଲୋକଙ୍କ ଭିଡ ଦେଖି କରୋନା ସଂକ୍ରମଣ ଭୟରେ ପ୍ରଶାସନ ୩ଟି ଗାଁକୁ ସିଲ କରିଛି | ଘଟଣାରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି |

ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁସାରେ, ଅଲ ଇଣ୍ଡିଆ ୟୁନାଇଟେଡ଼ ଡେମୋକ୍ରାଟିକ ଫ୍ରଣ୍ଟ (AIUDF) ର ବିଧାୟକ ଅମିନୂଲ ଇସ୍ଲାମଙ୍କ ପିତା ଖେରୁଲ ଇସ୍ଲାମଙ୍କ ଜୁଲାଇ ୨ ତାରିଖରେ ଦେହାନ୍ତ ହୋଇଥିଲା | ୮୭ ବର୍ଷ ବୟସ୍କ ଖେରୁଲ ଇସ୍ଲାମ ନର୍ଥ-ଇଷ୍ଟରେ ଅଲ ଇଣ୍ଡିଆ ଜମାତ ଉଲେମା ଓ ଆମିର-ଏ-ସେରିୟତର ଉପାଧ୍ୟକ୍ଷ ଥିଲେ | ସେ ତାଙ୍କ ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ | ସେଥିପାଇଁ ତାଙ୍କ ମୃତ୍ୟୁ ପରେ ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ପହଞ୍ଚିଥିଲେ | ଜିଲ୍ଲା ପ୍ରଶାସନ ଅନୁଯାୟୀ ଅନ୍ତିମ ବିଦାୟୀରେ ପାଖାପାଖି ୧୦ ହଜାର ଲୋକ ଜମା ହୋଇଥିଲେ |

ନବାଗାଁର ଉପାୟୁକ୍ତ ଯାଦବ ସେକିୟା କହିଛନ୍ତି ଯେ ଏହି ଘଟଣାରେ ଏବେ ସୁଦ୍ଧା ୨ଟି ମାମଲା ରୁଜ୍ଜୁ କରାଯାଇଛି | ଗୋଟି ମାମଲା ପୋଲିସ ରୁଜ୍ଜୁ କରିଥିବାବେଳେ ଅନ୍ୟଟି ମାଜିଷ୍ଟ୍ରେଟ ରୁଜ୍ଜୁ କରିଛନ୍ତି ଯିଏ ଘଟଣାସ୍ଥଳରେ ଉପସ୍ଥିତ ଥିଲେ | ଘଟଣାସ୍ଥଳରେ କେହି ମାସ୍କ ଲଗାଇ ନଥିଲେ କିମ୍ବା ସାମାଜିକ ଦୂରତା ପାଳନ କରିନଥିଲେ | ସେକିୟା କହିଛନ୍ତି ଯେ କରୋନା ସଂକ୍ରମଣ ରୋକିବା ପାଇଁ ଆଖପାଖର ୩ଟି ଗାଁକୁ ଲକଡାଉନ କରାଯାଇଛି |

ବିଧାୟକ ଅମିନୂଲ ଇସ୍ଲାମ କହିଛନ୍ତି ଯେ, ତାଙ୍କ ପିତା ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ | ସେ ତାଙ୍କ ପିତାଙ୍କ ମୃତ୍ୟୁ ଓ ଅନ୍ତିମ ସଂସ୍କାର ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଇଥିଲେ ବୋଲି କହିଛନ୍ତି | ଘଟଣାସ୍ଥଳରେ ପହଞ୍ଚିବା ପାଇଁ ପୋଲିସ ଲୋକଙ୍କୁ ମନା ମଧ୍ୟ କରିଥିଲା, ଅନେକ ଗାଡିକୁ ଫେରାଇ ନେବାକୁ ମଧ୍ୟ କୁହାଯାଇଥିଲା | କିନ୍ତୁ ତଥାପି ଲୋକେ ନ ମାନି କୌଣସି ପ୍ରକାରେ ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଥିଲେ |

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ ମାସରେ ଅମିନୂଲ ଇସ୍ଲାମଙ୍କ ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା | ସେ ସାମ୍ପ୍ରଦାୟିକ ଭାବନାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଥିବା ଆରୋପ ହୋଇଥିଲା | ରାଷ୍ଟ୍ରଦୋହ ମାମଲାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା | କିନ୍ତୁ ପରେ ତାଙ୍କୁ ଜାମିନ ମିଳିଥିଲା | ବର୍ତ୍ତମାନ ସେ ଜାମିନରେ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.