ଚୀନରେ ବଢିଲା କରୋନା ବିପଦ: ନୂତନ ଭାରିଏଣ୍ଟର ଉତ୍ପତ୍ତି ସ୍ଥଳ ବିଷୟରେ ସୂଚନା ଦେବା ପାଇଁ ଲୋକଙ୍କୁ ଯଚା ଯାଉଛି ନଗଦ ଟଙ୍କା

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯।୧୧: ସମସ୍ତଙ୍କୁ ଜଣା ଯେ, ମାରାତ୍ମକ କରୋନା ଭାଇରସ୍‌ ପ୍ରକୋପର ଆରମ୍ଭ ଚୀନରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟ ଦାବି କରାଯାଏ ଯେ, ବହୁତ ଦ୍ରୁତ ଗତିରେ ଚୀନ କରୋନା ଉପରେ ନିୟନ୍ତ୍ରଣ ପାଇଥିଲା। ମାତ୍ର ପୁଣି ଥରେ ଚୀନରେ କୋଭିଡ୍-୧୯ ଭାଇରସ୍‌ର  ବିପଦ  ବଢିବାରେ ଲାଗିଛି। ଏଥର ଚୀନ ଏହାକୁ  ରୋକିବା ପାଇଁ ଅନେକ ପ୍ରକାରର ପଦକ୍ଷେପ ନେଉଛି। ଏହି କ୍ରମରେ ଚୀନରେ ସଂକ୍ରମଣ ପ୍ରଭାବିତ ଏକ ସହରରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଡଲାର ବଣ୍ଟାଯାଉଛି। କେବଳ ଭାଇରସ୍‌ର ନୂତନ ପ୍ରକୋପର ଉତ୍ପତ୍ତିସ୍ଥଳ ବିଷୟରେ ଜଣାଇବା ପାଇଁ ଏହି ଡଲାର ଦିଆଯାଉଛି। ଏହି ଅଭିଯାନକୁ କରୋନା ବିରୋଧରେ 'ଜନ ଯୁଦ୍ଧ' କୁହାଯାଉଛି।

ଚୀନରେ ମଙ୍ଗଳବାର ଡେଲ୍‌ଟା ଭାରିଏଣ୍ଟର ପ୍ରକୋପ ବଢିବାରୁ ୪୩ ନୂତନ କେସ୍ ସାମ୍ନାକୁ ଆସିଛି। ଗତ ତିନି ସପ୍ତାହରେ ନୂତନ ମାମଲା ସଂଖ୍ୟା ତିନି ଅଙ୍କ ଛୁଇଁଛି। ଦେଶର ୧୦ ରାଜ୍ୟ ଏବଂ ଅଞ୍ଚଳରେ  ଭାଇରସ୍ ପୁଣି ଥରେ ବ୍ୟାପିବାରେ ଲାଗିଛି।

ଯେମିତି ଯେମିତି ଅନେକ ଦେଶରେ କରୋନା ଗାଇଡଲାଇନ୍ କୋହଳ ହୋଇଛି, ସେଠି ବେଜିଂର ଅଧିକାରୀ ଜିରୋ କୋଭିଡ୍-୧୯ ରଣନୀତି ଲାଗୁ କରୁଛନ୍ତି। ଏହାରି ଆଧାରରେ ସୀମାକୁ ବନ୍ଦ କରିବା, ଲକ୍‌ଡାଉନ୍‌ ଓ କ୍ଵାରେଣ୍ଟାଇନ୍ ଅବଧି ବୃଦ୍ଧି ପରି ଉପାୟ ସାମିଲ୍। ବର୍ତ୍ତମାନ ଚୀନରେ ୪୦ରୁ ଅଧିକ ସହରରେ କରୋନା ପ୍ରକୋପ ମୁଣ୍ଡ ଟେକିଛି। ରୁଷ ସଂଲଗ୍ନ ସୀମାରେ ସ୍ଥିତ ହେହେରେ ଭାଇରସ୍‌ର ଉତ୍ପତ୍ତି ଜାଣିବା ପାଇଁ ଏବଂ ଏହାର ସୂଚନା ଦେବା ପାଇଁ ପୁରସ୍କାର ଭାବେ ଲୋକଙ୍କୁ ୧୦୦,୦୦ ୟୁଆନ ଅର୍ଥାତ ୧୫,୦୦୦ ଡଲାର ଯଚା ଯାଉଛି।

ସହରର ପ୍ରଶାସନିକ ଅଧିକାରୀ ନୋଟିସ୍ ଜାରି କରି କହିଛନ୍ତି, ଏହି ଭାଇରସ୍‌ର ଠିକଣା ଜାଣିବା ଏବଂ  ମହାମାରୀର ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ। ତସ୍କରି, ବେଆଇନ ଶିକାର ଓ ସୀମା ପାର ମାଛ ଧରୁଥିବା ମାମଲାରେ ଶୀଘ୍ର ସୂଚନା ଦେବାକୁ କହିଛନ୍ତି। ଏଥିସହ ଯେଉଁମାନେ ଅନଲାଇନ୍ ସାମଗ୍ରୀ କିଣୁଛନ୍ତି ତୁରନ୍ତ ତାକୁ ସାନିଟାଇଜ୍‌ କରିବାକୁ ଅଧିକାରୀ କହିଛନ୍ତି। ଅନେକ ସ୍ଥାନରେ ଲକଡାଉନ୍ ଲାଗୁ କରାଯାଇଛି। ଘରୋଇ ଯାତ୍ରା ନିୟମ କଡାକଡି କରାଯାଇଛି। ଅନେକ ବିମାନ ଏବଂ ଟ୍ରେନ ଚଳାଚଲ ର୍ଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.