ଆଇପିଏଲ-୨୦୨୦ରୁ ଓହରିଛନ୍ତି ଏହି ସବୁ ଖେଳାଳି, ବିଭିନ୍ନ କାରଣରୁ ଟିମ୍‌ରେ ହୋଇନାହାଁନ୍ତି ସାମିଲ

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ, ୦୫।୦୯:   ଚଳିତ ବର୍ଷ ୟୁଏଇରେ ଖେଳାଯିବ ଆଇପିଏଲ-୨୦୨୦ । ତେବେ ଆଇପିଏଲର ଷ୍ଟାର୍ ପ୍ଲେୟାର ସୁରେଶ ରାଅନା, ଲସିଥ ମାଲିଙ୍ଗା ଓ ହରଭଜନ ଆଦି ଖେଳାଳି ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ । ବିଭିନ୍ନ ଟିମ୍ ପକ୍ଷରୁ ସେମାନଙ୍କୁ ଦଳରେ ସାମିଲ କରାଯାଇଥିଲେ ମଧ୍ୟ ବ୍ୟକ୍ତିଗତ କାରଣରୁ ଏହି ଖେଳାଳିମାନେ ଆଇପିଏଲଠୁ ଦୂରରେ ରହିଛନ୍ତି । ଆସନ୍ତୁ ନଜର ପକାଇବା କେଉଁ କେଉଁ ଖେଳାଳି ଆଇପିଏଲରୁ ବାହାରି ଆସିଛନ୍ତି ।

ହରଭଜନ ସିଂ

ସିଏସକେରେ ସାମିଲ ହୋଇଥିବା ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରି ଯାଇଛନ୍ତି । ଏହି ସମୟରେ ସେ ପରିବାର ସହ ସମୟ ବିତାଇବାକୁ ଚାହାଁନ୍ତି । ଏହାସହ ସେ ସିଏସକେ ମ୍ୟାନେଜନମେଣ୍ଟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଲସିଥ୍ ମାଲିଙ୍ଗା

ମୁମ୍ବାଇ ଦଳର ପେସର୍ ଲସିଥ ମାଲିଙ୍ଗା ନିଜ ପରିବାର ସହ ସମୟ ବିତାଇବାକୁ ଚାହାଁନ୍ତି । ତେଣୁ ତାଙ୍କୁ ଚଳିତ ବର୍ଷ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ ।

ସୁରେଶ ରାଇନା

ଆଇପିଏଲ ଖେଳିବା ପାଇଁ ୟୁଏଇ ଗସ୍ତ କରିଥିଲେ ମଧ୍ୟ ରାଇନା ଭାରତ ଫେରି ଆସିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେ ନିଜ କୋଠରୀକୁ ନେଇ ଅସନ୍ତୁଷ୍ଟ ଥିବା ସୂଚନା ମିଳିଥିଲା । କିନ୍ତୁ ସେ ପାରିବାରିକ କାରଣ ଦର୍ଶାଇ ଓହରିଥିବା ଟ୍ୱିଟ୍ ଯୋଗେ ପ୍ରକାଶ କରିଥିଲେ ।

ଜାସନ୍ ରଏ

ଇଂଲଣ୍ଡର ଏହି ଖେଳାଳି ଆହତ ଜନିତ ସମସ୍ୟା ପାଇଁ ଚଳିତ ବର୍ଷ ଆଇପିଏଲରୁ ବାଦ୍ ପଡିଛନ୍ତି । ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଥିଲେ ।

କ୍ରିସ୍ ଓ୍ୱକେସ୍

ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍ ଓ୍ୱକେସ୍ ମଧ୍ୟ ଦିଲ୍ଲୀ କ୍ୟାପିଟାଲସ ତରଫରୁ ଖେଳିଥାନ୍ତେ । କିନ୍ତୁ ଆହତ ସମସ୍ୟା ପାଇଁ ସେ ଆଇପିଏଲ-୨୦୨୦ ଖେଳିବେ ନାହିଁ ।

କେନ୍ ରିଚାର୍ଡସନ୍

ଅଷ୍ଟ୍ରେଲିଆ ଖେଳାଳି କେନ୍ ରିଚାର୍ଡସନ୍ ମଧ୍ୟ ଆଇପିଏଲ-୨୦୨୦ରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥାନ୍ତେ । କିନ୍ତୁ ନିକଟରେ ସେ ପିତା ହୋଇଥିଲେ । ତେଣୁ ନବଜନ୍ମିତ ଶିଶୁ ପାଇଁ ସେ ଆଇପିଏଲରୁ ଓହରିଥିବା ଜଣାପଡିଛି । ଏନେଇ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।

ହ୍ୟାରୀ ଗୁରନଏ

ଇଂଲଣ୍ଡର ଏହି ବାମହାତୀ ସିମର୍ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ । ସେ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଖେଳିଥାନ୍ତେ । ତାଙ୍କ କାନ୍ଧରେ ଆଘାତ ଲାଗି ଥିବାରୁ ସେ ଟିମ୍‌ରୁ ବାଦ୍ ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.