ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟରେ ରହିଛନ୍ତି ଏହି ମହିଳା !

Published By : Prameya-News7 Bureau | October 06, 2019 IST

ୱାସିଂଟନ ୬|୧୦: ଜାମ୍ମୁ କାଶ୍ମୀରରେ ମାନବଧିକାର ଉଲଂଘନ ନେଇ ପାକିସ୍ତାନ ବରାବର ଅଭିଯୋଗ କରିଆସିଥାଏ । ହେଲେ ପାକିସ୍ତାନରେ ମାନବଧିକାରର ଅବସ୍ଥା କଣ ରହିଛି ଜାଣିଲେ ଲୋମ ଟାଙ୍କୁରୀ ଉଠିବ । ଏ ପରିପ୍ରେକ୍ଷୀରେ ୩୨ ବର୍ଷ ବୟସ୍କ ଗୁଲାଲେଇ ଇସ୍ମାଇଲର ନାଁ ପାକ୍‌ର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଅଛି। ଅବଶ୍ୟ ଏବେ ଗୁଲାଲେଇ ପାକ୍‌ ସେନାକୁ ଚକ୍‌ମା ଦେଇ ଫେରାର ହେବା ସହ ଆମେରିକାରେ ଅଛନ୍ତି।

ଆମେରିକାରର ପ୍ରସିଦ୍ଧ ଖବରକାଗଜରେ ଗୁଲାଲେଇ ଇସ୍ମାଇଲଙ୍କ କାହାଣୀ ପ୍ରକାଶ ପାଇଛି। ଏଥିରେ ପାକିସ୍ତାନରେ ଗୁଲାଲେଇଙ୍କ ସଂଘର୍ଷର କାହାଣୀ କୁହାଯାଇଛି। ପାକିସ୍ତାନ ସେନା ସାଧାରଣ ଲୋକଙ୍କ ଉପରେ କିଭଳି ଅତ୍ୟାଚାର କରେ ତାହା ମଧ୍ୟ  କୁହାଯାଇଛି। ଗୁଲାଲେଇ ଇସ୍ମାଇଲ ପାକିସ୍ତାନର ଇସଲାମାବାଦ ସହରର ବାସିନ୍ଦା। ସେ ପାକ ସେନାଙ୍କ ବିରୋଧରେ ଅନେକ କଥା କହିଛନ୍ତି। ଗୁଲାଲେଇ ଇସ୍ମାଇଲ ଯେତେବେଳେ ୧୬ ବର୍ଷର ଥିଲେ ସେବେଠୁ ସେ ପାକିସ୍ତାନରେ ଉଲ୍ଲଂଘନ ହେଉଥିବା ମାନବଧିକାରକୁ ବିରୋଧ କରିଆସୁଛନ୍ତି।

ସୋସିଆଲ ମିଡିଆରେ ଗୁଲାଲେଇ ପାକ ସେନାଙ୍କ ବିରୋଧରେ ଅନେକ କଥା ଲେଖିଛନ୍ତି। ସେଠାରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଦୁଷ୍କର୍ମ, ଅପହରଣ ଭଳି ମାମଲା ବିଷୟରେ ସେ ମୁହଁ ଖୋଲିଛନ୍ତି। ଗୁଲାଲେଇଙ୍କ ଅନୁସାରେ ପାକ ସେନା ବହୁତ ଶକ୍ତିଶାଳି। ଗୁଲାଲେଇଙ୍କ ବିରୋଧରେ ଦେଶଦ୍ରୋହୀ ଓ ଦେଶର ଛବି ଖରାପ କରୁଥିବା ଅଭିଯୋଗ ଲଗାଇ ତାଙ୍କୁ ହେପାଜତକୁ ନେବା ପାଇଁ ଚେଷ୍ଟା କରିଥିଲେ। ହେଲେ ଗିରଫ ହେବା ପୂର୍ବରୁ ତାଙ୍କୁ ଏହି ଖବର ତାଙ୍କର ଜଣେ ବନ୍ଧୁଙ୍କ ଦ୍ବାରା ମିଳିଥିଲା। ଫଳରେ ସେ ତାଙ୍କ ଘରୁ ଫେରାର ହୋଇଥିଲେ।

ଏହା ପରେ ଗୁଲାଲେଇ ପାଖାପାଖି ୩ ମାସ ପର୍ଯ୍ୟନ୍ତ ପାକିସ୍ତାନର ଅଲଗା ଅଲଗା ସହରରେ ରହିଥିଲେ। ପାକ୍ିସ୍ତାନରୁ ସୁରକ୍ଷିତ ଭାବେ ବାହାରିବା ପାଇଁ ଗୁଲାଲେଇଙ୍କୁ ତାଙ୍କ ସାଙ୍ଗସାଥି ବହୁତ ସାହାଯ୍ୟ କରିଥିଲେ। ହେଲେ ପାକିସ୍ତାନରୁ ବାହାରିବା ପାଇଁ ସେ ଧରାପଡିଯିବା ଭୟରେ ବିମାନ ଯାତ୍ରା କରିନଥିଲେ। ତେବେ ପାକିସ୍ତାନରୁ ଆମେରିକା ଖସିପଳାଇବାରେ ସେ କେମିତି ସକ୍ଷମ ହୋଇଥିଲେ ସେନେଇ ସେ ଏ ପର୍ଯ୍ୟନ୍ତ କିଛି ପ୍ରକାଶ କରିନାହାନ୍ତି ।  ତାଙ୍କ ସାଙ୍ଗସାଥି ସମସ୍ୟାରେ ପଡିବା ଭୟରେ ସେ ଏହା ପ୍ରକାଶ କରୁନଥିବା କହିଛନ୍ତି । 

ସୂଚନାଯୋଗ୍ୟ ଯେ, ଗୁଲାଲେଇ ଆଫଗାନିସ୍ତାନ ବା ଇରାନ ଦେଇ ଜଳମାର୍ଗରେ ଫେରାର ହୋଇଥିବା ଅନୁମାନ କରାଯାଉଛି ।  ଗୁଲାଲେଇ ସେଠୁ ବାହାରିବାରେ ସଫଳ ହୋଇଥିଲେ ସତ ହେଲେ ଏବେ ବି ତାଙ୍କୁ ତାଙ୍କ ମାଆ ବାପାଙ୍କ ସୁରକ୍ଷା ଚିନ୍ତା ରହିଛି। ଆମେରିକାରେ ଶରଣ ପାଇଁ ତାଙ୍କୁ ସେଠାରେ ଅନେକ ନେତା ସାହାଯ୍ୟ କରିଥିଲେ। ଏବେ ସେଠାରେ ସେ ତାଙ୍କ ନିଜର ରିସର୍ଚ ଓ ଆଡଭୋକେସି ଗ୍ରୁପର ସ୍ଥାପନା କରିଛନ୍ତି। ଏହାର ନାଁ ହେଉଛି ଭଏସ୍‌ ଫର ପିସ ଏଣ୍ଡ ଡେମୋକ୍ରେସି। ଏହା ସହ ଗୁଲାଲେଇ ଆଇନ ପାଠ ପଢି ଆଗକୁ ମାନବଧିକାର କ୍ଷେତ୍ରରେ ଲଢେଇ ଜାରି ରଖିବାକୁ ଚାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.