ଫେସବୁକରେ ଆସିବାକୁ ଯାଉଛି ହ୍ୱାଟ୍ସଆପର ଏହି ଫିଚର୍, ଫେକ୍ ନ୍ୟୁଜ ଉପରେ ଲାଗିବ ରୋକ୍

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪/୦୯: ସୋସାଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ତାର ଭାବମୂର୍ତି ବଜାୟ ରଖିବା ଦିଗରେ ପ୍ରଚେଷ୍ଟା ଚଳାଇଛି। ଏଣିକି ଭୁଲ୍ ତଥା ମିଛ ଖବରକୁ ରୋକିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ଫେସବୁକ୍। ଫେସବୁକ୍ ମେସେଞ୍ଜରରେ ଖୁବଶୀଘ୍ର ଫରଓ୍ବାର୍ଡ ମେସେଜ ଲିମିଟକୁ ନିର୍ଧାରିତ କରାଯିବ।

ଫେସବୁକ୍ ମେସେଞ୍ଜରରେ କୌଣସି ମେସେଜକୁ ପାଞ୍ଚରୁ ଅଧିକ ଓ ଗ୍ରୁପକୁ ଏକସଙ୍ଗରେ ଫରଓ୍ବାର୍ଡ କରି ହେବ ନାହିଁ, ଯେମିତି ଏବେ ହ୍ବାଟସ୍ଆପ୍‌ରେ କରାଯାଉଛି। ୨୦୧୮ରେ ଫେକ୍ ନ୍ୟୁଜ୍ ରୋକିବା ପାଇଁ  ଫରଓ୍ବାଡିଂକୁ ପାଞ୍ଚ ଜଣଙ୍କ ମଧ୍ୟରେ ସୀମିତ କରିଥିଲା ହ୍ବାଟସଆପ୍। ଆଉ ଏବେ ଏହି ଫିଚର୍ ଫେସବୁକ୍ରେ ଆସିବାକୁ ଯାଉଛି। ଏହା ବାଦ୍ ମେସେଞ୍ଜରରେ ଲକ୍ ଇନ୍ ଆପ୍ ଭଳି ପ୍ରାଇଭେସି ଫିଚର୍ ଆସିଛି।

ଫେସବୁକ୍ ମେସେଞ୍ଜରରେ ମେସେଜ ଫରଓ୍ବାଡିଂ ଲିମିଟର ଫିଚର ଏବେ ଟେଷ୍ଟିଂ ପର୍ଯ୍ୟାୟରେ ରହିଛି। ପରୀକ୍ଷା ସଫଳ ହେବା ପରେ ଏହାକୁ ସମସ୍ତଙ୍କ ପାଇଁ ଜାରି କରାଯିବ। ନୂଆ ଅପଡେଟରେ ଗୋଟିଏ ମେସେଜକୁ ୫ରୁ ଅଧିକ ଲୋକଙ୍କୁ ଫରଓ୍ବାର୍ଡ କଲେ ‘ଫରଓ୍ବାଡିଂ ଲିମିଟ୍ ରିଚଡ୍’ ନୋଟିଫିକେସନ୍ ଦେଖିବାକୁ ମିଳିବ।

ଫେକ୍ ନ୍ୟୁଜ୍ ପ୍ରସାର ରୋକିବାରେ ଏହା ନିହାତି ସାହାଯ୍ୟ କରିବ ବୋଲି ଫେସବୁକ୍ ତା ବୟାନରେ କହିଛି। ପୂର୍ବରୁ ହ୍ବାଟସଆପ୍ ମାମଲାରେ ଏଇ ସଫଳତା ମିଳିଥିବା ମଧ୍ୟ ସ୍ପଷ୍ଟ କରିଛି। ତେବେ ସେପ୍ଟେମ୍ବର ୨୪ ସୁଦ୍ଧା ଏହା ସମସ୍ତଙ୍କ ପାଇଁ ଜାରି ହେବ ବୋଲି କମ୍ପାନି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.