ଆସୁଛି ସବୁଠାରୁ ଖତରନାକ ଭାଇରସ୍‌, ୩୬ ଘଣ୍ଟାରେ ପୁରା ଦୁନିଆରେ ହୋଇପାରେ ୮ କୋଟିଙ୍କର ମୃତ୍ୟୁ

Published By : Prameya-News7 Bureau | September 22, 2019 IST

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ସମଗ୍ର ପୃଥିବୀ ଲାଗି ସତର୍କତା ଜାରି କରିଛନ୍ତି। ଏକ ଫ୍ଲୁ ଭୂତାଣୁ ସଂକ୍ରମଣ ନେଇ ସଙ୍ଗଠନ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ଏହା ପର୍ଯ୍ୟନ୍ତ ହୋଇଥିବା ସବୁଠୁ ସାଂଘାତିକ ସଂକ୍ରଣ ହୋଇ ପାରେ ବୋଲି ଜଣାଇଦେଇଛନ୍ତି। କୌଣସି ଠାରେ ଏହି ଫ୍ଲୁ ସଂକ୍ରମଣ ହେବାର ମାତ୍ର ୩୬ ଘଣ୍ଟାରେ ସମଗ୍ର ବିଶ୍ୱକୁ ବ୍ୟାପୀଯିବା ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରାୟ ୮ କୋଟି ଲୋକ ପ୍ରାଣ ହରାଇ ପାରନ୍ତି। ଏଣୁ ସଂକ୍ରମଣ ଲାଗି ସବୁସ୍ତରରେ ପ୍ରସ୍ତୁତ ରହିବା ଲାଗି ବିଶ୍ୱର ସମସ୍ତ ସରକାରମାନଙ୍କୁ ଡବ୍ଲୁଏଚଓ ଜଣାଇଦେଇଛନ୍ତି।

ଗ୍ଲୋବାଲ ପ୍ରିପାର୍ଡନେସ୍ ମନିଟରିଂ ବୋର୍ଡ(ଜିପିଏମବି) ପୂର୍ବରୁ ମଧ୍ୟ ଏହି ରିପୋର୍ଟ ଜାରି କରିଛନ୍ତି। ହେଲେ କୌଣସି ଦେଶ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ତେବେ ଏ ନେଇ ଡବ୍ଲୁଏଚଓକୁ ସୂଚିତ କରାଯିବା ପରେ ସମସ୍ତ ଦେଶଙ୍କୁ ଏଥିଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିକା, ନିପା, ଇବୋଲା ଭଳି ଏହା ମଧ୍ୟ ଏକ ମାରାତ୍ମକ ଭୂତାଣୁ ହୋଇପାରେ। ଯାହା ଉପରୋକ୍ତ ସମସ୍ତ ଭୂତାଣୁ ସଂକ୍ରମଣଠାରୁ ଅଧିକ ଶକ୍ତିଶାଳୀ ହେବା ଯୋଗୁ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ଅଧିକ ହୋଇପାରେ ବୋଲି ସତର୍କ କରାଯାଇଛି। ହୁଏତ ପୁରୁଣା ଭୂତାଣୁ ଅଧିକ ଶକ୍ତିଶାଳୀ ହୋଇ ସଂକ୍ରମିତ କରିପାରନ୍ତି ଅଥବା ନୂଆ ଭୂତାଣୁ ବି ସୃଷ୍ଟି ହୋଇପାରନ୍ତି ଯାହା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ବି ବ୍ୟାପୀପାରେ ବୋଲି ଡବ୍ଲୁଏଚଓ କହିଛନ୍ତି ।

{"id":161065}

ଇବୋଲା ସଂକ୍ରମଣ ନେଇ ପୂର୍ବରୁ ପ୍ରସ୍ତୁତ ରହିବାକୁ ଡବ୍ଲୁଏଚଓ ସତର୍କ କରାଇଥିଲେ। ହେଲେ ଏଥିଲାଗି ଯେତିକି ସତର୍କତା ଅବଲମ୍ବନ କରାଯିବାର ଥିଲା ତାହା ହୋଇପାରିନଥିଲା। ହେଲେ ଏବେ ସଂକ୍ରମିତ ହେବାକୁ ଥିବା ଫ୍ଲୁ ଭୂତାଣୁ ଇବୋଲା, ଜିକା, ନିପାହ ଠାରୁବି ଭୟଙ୍କର। ଏଣୁ ସାମାନ୍ୟତମ ଅବହେଳା ମହାମାରିର ରୂପ ନେଇପାରେ ବୋଲି ମଧ୍ୟ ଡବ୍ଲୁଏଚଓ ଜଣାଇଦେଇଛନ୍ତି।‘ ଏ ୱାର୍ଲଡ ଆଟ୍ ରିସ୍କ’ ନାମକ ଏହି ରିପୋର୍ଟରେ ଡବ୍ଲୁଏଚଓଙ୍କୁ ଭୂତାଣୁ ସଂକ୍ରମଣ ସମ୍ପର୍କରେ ସୂଚନା ଦେଇଥିବା ସଙ୍ଗଠନର ମ୍ୟାପ୍ ମାଧ୍ୟମରେ ସଂକ୍ରମଣ ଓ ପ୍ରକାର ନେଇ ମଧ୍ୟ ସୂଚିତ କରିଛନ୍ତି।

ବିଶ୍ୱରେ ସ୍ପେନିଶ ଫ୍ଲୁ ସଂକ୍ରମଣକୁ ଶହେ ବର୍ଷ ପୁରିଛି। ୧୯୧୮ ମସିହାରେ ହୋଇଥିବା ଏହି ଫ୍ଲୁ ସଂକ୍ରମଣରେ ପ୍ରାୟ ୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଶ୍ୱର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକେ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଥିଲେ। ତେବେ ସେତେବେଳେ ଯୋଗାଯୋଗ ଓ ଗମନା ଗମନର ଏତେଟା ପ୍ରସାର ନଥିବାରୁ ଭୂତାଣୁ ଏତେ ଶୀଘ୍ର ସଂକ୍ରମିତ ହୋଇପାରିନଥିଲା। ହେଲେ ବର୍ତ୍ତମାନ ସମୟରେ ଯୋଗାଯୋଗ ବ୍ୟବସ୍ଥାରେ ଏତେ ବିକାଶ ହୋଇଛି ଯେ କୌଣସି ଦୁର୍ଗମ ଅଞ୍ଚଳରେ ବି ଯଦି ଭୂତାଣୁ ସଂକ୍ରମଣ ହୁଏ ତେବେ ସମଗ୍ର ବିଶ୍ୱ ସଂକ୍ରମିତ ହେବାକୁ ସର୍ବାଧିକ ୩୬ ଘଣ୍ଟା ସମୟ ଲାଗିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.