କରୋନାରେ ମାନ୍ଦା ପଡିବ କି ହୋଲି ! ଏଥର ଜମିବ ଇ-ହୋଲି, ଟିକ୍ଟକ୍ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଯୁବ ପିଢି
7/03/2020 at 5:32 PM

ଭୁବନେଶ୍ଵର ୦୭।୦୩- ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି। କରୋନା ସଂକ୍ରମଣ ଭୟରେ ହୋଲି ପାଳନ ପ୍ରସ୍ତୁତି ମାନ୍ଦା ପଡି ଯାଇଛି। ଚୀନରୁ ଆରମ୍ଭ ହୋଇଥିବା କରୋନା ସଂପ୍ରତି ମହାମାରୀର ରୂପ ନେଇ ସାରିଛି। କରୋନା ସଂକ୍ରମଣ ଭୟରେ ହୋଲି ପାଳନ ଉତ୍ସବ ପ୍ରସ୍ତୁତି ପ୍ରାୟ ଫିକା ପଡି ଯାଇଛି। ହୋଲି ଅବସରରେ ବ୍ୟବହୃତ ହେଉଥିବା ରଙ୍ଗ, ପିଚକାରୀ, ମୁଖା, ଛୋଟ ପିଲାଙ୍କ ଖେଳନା ଚୀନରେ ପ୍ରସ୍ତୁତ ହୋଇ ଭାରତୀୟ ବଜାରକୁ ଆସୁଥିବାରୁ ସେସବୁର ବ୍ୟବହାର ଦ୍ଵାରା କରୋନା ବ୍ୟାପିବାର ଆଶଙ୍କା ଲୋକଙ୍କୁ ଛାନିଆ କରିଛି। ଫଗୁଣର ପ୍ରମୁଖ ପର୍ବ ହୋଲିର ଉଲ୍ଲାସ ପାଣିଚିଆ କରି ଦେଇଛି।

ଏଥର ଜମିବ ଇ-ହୋଲି
ରାଜ୍ୟର ବିଭିନ୍ନ ସ୍ଥାନରେ ଏଥର ଇ-ହୋଲି ପାଳନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଏଥର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପସ୍ଵରୂପ ହୋଲି ନଖେଳିବାକୁ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ଫଳରେ ଯୁବପିଢି ଓ ଆଧୁନିକ ସଂସ୍କୃତିରେ ବିଶ୍ଵାସ ରଖୁଥିବା ଯୁବ ପିଢି ମଧ୍ୟରେ ଇ-ହୋଲିକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି। ହୋଲି ଶୁଭେଚ୍ଛା ଜଣାଇବାକୁ ଇ-କାର୍ଡ ପ୍ରସ୍ତୁତି ଚାଲିଛି।

ଅନ୍ୟପଟେ ଭୟାବହ କରୋନା ଭୂତାଣୁକୁ ରୋକିବା ପାଇଁ ବିଶ୍ଵସ୍ତରରେ କୌଣସି ସ୍ଥାନରେ ଲୋକେ ଏକାଠି ନହେବାକୁ ବାରଣ କରାଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ସତର୍କତାମୂଳକ ପଦକ୍ଷେପ ଓ ଲୋକଙ୍କୁ ସଚେତନ କରିବା ଆଭିମୁଖ୍ୟ ନେଇ ସେମାନେ ଏଥର ହୋଲି ଖେଳିବେ ନାହିଁ ବୋଲି କହିଛନ୍ତି। ଏହି ଖବର ପରେ ଲୋକଙ୍କ ମଧ୍ୟରେ ଇ-ହୋଲି ଖେଳିବାର ଆଗ୍ରହ ପ୍ରକାଶ ପାଇଛି।

ଭାଇରାଲ ହେବ ସେଲଫି ଫଟୋ ଓ ଟିକଟକ୍ ଭିଡିଓ
ସଂପ୍ରତି ସାମାଜିକ ଗଣମାଧ୍ୟମ ଇ-ମେଲ, ଫେସବୁକ, ହ୍ଵାଟ୍ସଆପ, ଏସଏମଏସଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଗଣମାଧ୍ୟମ ହୋଲି ପର୍ବର ଶୁଭେଚ୍ଛା ଜଣାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ରଙ୍ଗ ବଦଳରେ ଶୁଭେଚ୍ଛା ବାର୍ତ୍ତା ଦେଇ ହୋଲି ଉତ୍ସବ ପାଳନ କରିବାକୁ ଯୁବ ପିଢି ରୁଚି ରଖିଥିବା ଜଣା ପଡିଛି। ହୋଲି ରଙ୍ଗ ଖେଳର ସେଲଫି ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରି ସାଙ୍ଗସାଥୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯୁବ ପିଢି ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ଯୁବ ପିଢିଙ୍କ ପ୍ରଥମ ପସନ୍ଦ ଟିକଟକ୍ ଭିଡିଓ ପାଲଟିଛି। ମୁହଁରେ ଟିକେ ରଙ୍ଗ ବୋଳି ଟିକଟିକ୍ ଭିଡିଓ ପ୍ରସ୍ତୁତ କରିବାକୁ ଅନେକ ଲାଗି ପଡିଛନ୍ତି। ଏଥିପାଇଁ ସେମାନେ ଓଡିଆ ଓ ହିନ୍ଦୀର ସୁପରହିଟ୍ ଗୀତ ମଧ୍ୟ ବାଛି ସାରିଛନ୍ତି।
ଏହି ଗୀତ ସବୁଠୁ ଲୋକ ପ୍ରିୟ

ଆସିଛି ହୋଲି, ରଙ୍ଗ ଟିକେ ବୋଳି ଦେଲି, ପ୍ରେମର ରଙ୍ଗ, ରଙ୍ଗ ଟିକେ ଲଗେଇ ଦେ, ରଙ୍ଗ ବରଷେ, ଆଜ ନା ଛୋଡଙ୍ଗେ, ସାତ ରଙ୍ଗମେ, ହୋଲିକେ ଦିନ, ବଲମା ପିଚକାରୀ, ହୋଲି ଆଇରେ, ଜୟ ଜୟ ଶିବଶଙ୍କର ଆଦି ହୋଲିର ମୁତଆଲା ଗୀତକୁ ନେଇ ଯୁବ ପିଢି ମୁହଁରେ ଟିକେ ଅବିର ବୋଳି ଟିକଟକ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ଅଜଣା ଲୋକଙ୍କ ସହିତ ହୋଲି ଖେଳନ୍ତୁ ନାହିଁ

ଚର୍ମ ବିଶେଷଜ୍ଞଙ୍କ ଅନୁଯାୟୀ ରଙ୍ଗ ଦ୍ଵାରା ଭୂତାଣୁ ବ୍ୟାପିବାର ଆଶଙ୍କା ନାହିଁ। ଚୀନରୁ ଆସୁଥିବା ସମସ୍ତ ରଙ୍ଗ ରାସାୟନିକ ହୋଇଥିବାରୁ ଏପରି ରଙ୍ଗ ଖେଳିବା ଅନୁଚିତ। ନଚେତ୍ ରଙ୍ଗରେ କରୋନା ଭୂତାଣୁ ଆସିବାର କୌଣସି ସମ୍ଭାବନା ନଥାଏ। ରାସାୟନିକ ବଦଳରେ ଜୈବିକ ରଙ୍ଗରେ ହୋଲି ଖେଳିବା ଉଚିତ୍। ଖୋଲା ସ୍ଥାନରେ, କ୍ଲବରେ, ରାସ୍ତା ଉପରେ ଅଜଣା ବ୍ୟକ୍ତିଙ୍କ ସହ ହୋଲି ଖେଳିବା ମନା। ତେବେ ରଙ୍ଗ ଖେଳିବା ସମୟରେ ପରସ୍ପରକୁ ଛୁଇଁବା ଦ୍ଵାରା କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ଅଜଣା ବ୍ୟକ୍ତି ଏବଂ କାଶ ତଥା ଛିଙ୍କ ହେଉଥିବା ବ୍ୟକ୍ତିଙ୍କଠୁ ଦୂରେଇ ରୁହନ୍ତୁ।