ଗଜବାହନରେ ଆସିବେ ମା, ଜାଣନ୍ତୁ ଆପଣଙ୍କ ଲାଗି କିପରି ରହିବ ବର୍ଷ
28/09/2019 at 6:59 PM

ମୋକ୍ଷଦାୟିନୀ ଅମାବାସ୍ୟା ଶହ ଶନିବାର ସମାପ୍ତ ହୋଇଛି ପିତୃପକ୍ଷ । ୨୯ ସେପ୍ଟେମ୍ବର ରବିବାର ସାରା ଦେଶରେ ଧୁମଧାମରେ ଆରମ୍ଭ ହେବ ନବରାତ୍ର ପର୍ବ । ମାଙ୍କ ଆଗମନରେ ଉଲ୍ଲସିତ ହେବ ଧରା। ଦେଶରେ ପାଳନ ହେବ ଦଶହରା ପର୍ବ। ଦେବୀଙ୍କ ଏହି ଆଗମନକୁ ଅନେକ କାରଣରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥାଏ। ମାଙ୍କ ଆଗମନ ତାଙ୍କ ଭକ୍ତଙ୍କ ଲାଗି କେବଳ ଧାର୍ମିକ ଉତ୍ସାହ ଓ ଆନନ୍ଦ ନୁହେଁ ଭବିଷ୍ୟତରେ ହେବାକୁ ଥିବା ଅନେକ ଘଟଣାର ସଙ୍କେତ ମଧ୍ୟ ଦେଇଥାଏ। ଏଣୁ ମା ଯେଉଁ ବାହନରେ ଆସନ୍ତି ଓ ଯେଉଁ ବାହନରେ ଫେରନ୍ତି ସେଥିରୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଦେଶଦୁନିଆ ଓ ଭକ୍ତଙ୍କ ଲାଗି କିପରି ରହେ ତାହାର ପୂର୍ବାନୁମାନ କରାଯାଇଥାଏ। ଶାସ୍ତ୍ରୀୟ ମତାନୁସାରେ ଚଳିତବର୍ଷ ମା ହାତୀ ବାହନରେ ଧରାବତରଣ କରୁଛନ୍ତି। ଆସନ୍ତୁ ଜାଣିବା ମା ଗଜ ବାହନରେ ଆସିବାର ଲକ୍ଷଣ।

ଦେବୀ ଭାଗବତ ପୁରାଣ ଅନୁସାରେ ମାତାଙ୍କ ଆଗମନର ଦିନ ଅନୁସାରେ ତାଙ୍କ ବାହନ ନିର୍ଦ୍ଧାରିତ ହୋଇଥାଏ। ଯଦି ନବରାତ୍ରର ପ୍ରଥମ ଦିନ ସୋମବାର ଅଥବା ରବିବାର ପଡେ ତେବେ ମା ଗଜ ବାହନରେ ଧରାବତରଣ କରନ୍ତି। ସେହିପରି ମଙ୍ଗଳବା ଅଥବା ଶନିବାର ଯଦି ନବରାତ୍ର ଆରମ୍ଭ ହୁଏ ତେବେ ମା ତୁରଙ୍ଗ ଅର୍ଥାତ ଅଶ୍ୱବାହନରେ , ବୁଧବାର ହେଉଥିଲେ ମାଙ୍କ ବାହନ ନୌକା ହୋଇଥାଏ ଏବଂ ଗୁରୁବାର ଅଥବା ଶୁକ୍ରବାର ନବରାତ୍ର ଆରମ୍ଭ ହେଲେ ମା ଦୋଳାରେ ଆସନ୍ତି। ଦେବୀ ଭାଗବତର ଏହି ଶ୍ଲୋକରୁ ଦେବୀଙ୍କ ବାହନଙ୍କ ସମ୍ପର୍କରେ ସୂଚନା ମିଳିଥାଏ।
ଶଶିସୂର୍ଯ୍ୟ ଗଜାରୁଢା ଶନିଭୌମୈ ତୁରଙ୍ଗମେ
ଗୁରୁଶୁକ୍ରେଚ ଦୋଲାୟାଂ ବୁଦ୍ଧେ ନୌକା ପ୍ରକିର୍ତ୍ତତେ।।

ତେବେ ଗଜ ବାହନରେ ମାଙ୍କ ଆଗମନ ଦେଶରେ ଉତ୍ତମ ବର୍ଷାର ସୂଚନା ଦେଉଛି। ଫଳରେ କୃଷିରୁ ଉନ୍ନତିର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କ ଆୟବୃଦ୍ଧିର ସଙ୍କେତ ମିଳୁଛି। ହେଲେ ହାତୀବାହନରେ ମା ଆସୁଥିବାରୁ ଦେଶରେ ଧନଜୀବନ ହାନୀର ସୂଚନା ମିଳୁଥିବା ବେଳେ ରାଜନୀତି ହଟଚମଟ ଦେଖାଦେବ। ମା ଗଜବାହନରେ ଆସୁଥିବାରୁ ଯୁଦ୍ଧଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଗତବର୍ଷ ମଧ୍ୟ ମା ଗଜବାହନରେ ଆସିଥିଲେ।

ଦେବୀ ଭାଗବତ ପୁରାଣ ଅନୁସାରେ
ଶଶିସୂର୍ଯ୍ୟ ଦିନେ ୟଦି ସା ବିଜୟା ମହିଷାଗମନେ ଋଜ ଶୋକକରା,
ଶନିଭୌମ ଦିନେ ୟଦି ସା ବିଜୟା ଚରଣାୟୁଦ୍ଧ ୟାନି କରିବିକଲା।
ବୁଦ୍ଧ ଶୁକ୍ର ଦିନେ ୟଦି ସା ବିଜୟା ଗଜବାହନ ଗା ଶୁଭ ବୃଷ୍ଟିକରା,
ସୁରରାଜଗୁରୌ ୟଦି ସା ବିଜୟା ନରବାହନା ଗା ଶୁଭ ସୌଖ୍ୟକରା।।
ଅର୍ଥାତ ବିଜୟା ଦଶମୀ ଯଦି ମଙ୍ଗଳବାର ଓ ଶନିବାର ହେଉଥାଏ ତେବେ ମା ପାଦରେ ଚାଲିଚାଲି ଯିବେ । ଯାହା ଅତ୍ୟନ୍ତ ଦୁଃଖପ୍ରଦ ବୋଲି ବର୍ଣ୍ଣିତ ରହିଛି। ଦେବୀ ବିନା ବାହନରେ ଚାଲିଚାଲି ଯିବା ନୈରାଶ୍ୟ ଓ ବ୍ୟାକୁଳତାର ସୂଚକ। ଏଥିରୁ ଦେଶର ଅର୍ଥାବସ୍ଥା ଅତ୍ୟନ୍ତ ଶିଥିଳ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ହାତାସା ଓ ଚିନ୍ତା ଉଦ୍ରେକକାରୀ ହେବ। ଯାହା ଜନଧନ ହାନୀର ମଧ୍ୟ ସୂଚକ ବୋଲି ଶାସ୍ତ୍ରରେ ବିଚାର କରାଯାଉଛି।