କରୋନା କାଳର ଦେବଦୂତ ! ୧୧ ମାସରେ ୪ ଥର ହୋଇଥିଲେ ସଂକ୍ରମିତ, ଏବେ ପ୍ଲାଜମା ଦାନ କରି ବଞ୍ଚାଉଛନ୍ତି ଜୀବନ

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୭/୫:  କରୋନା ମହାମାରୀ ସମୟରେ କିଛି ଲୋକ ଦେବଦୂତ ଭଳି ଲୋକଙ୍କ ସହାୟତା କରୁଛନ୍ତି। କିଏ ନିଜ ରୋଜଗାରରୁ ସଂକ୍ରମିତଙ୍କ ପାଇଁ ଖାଦ୍ୟ ଯୋଗାଉଛି ତ ଆଉ କିଏ ପ୍ଲାଜମା ଦାନ କରି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । ଦେଶର ରାଜଧାନୀର ଦିଲ୍ଲୀ କରୋନା ଭୂତାଣୁ ତାଣ୍ଡବ ରଚିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ପ୍ରାଣ ହରାଉଛନ୍ତି। ଏଭଳି ସ୍ଥିତିରେ ଲୋକମାନଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ଜାଗ୍ରତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଏଠାରେ ଜଣେ ଏମିତି ବ୍ୟକ୍ତିଙ୍କ ସମ୍ପର୍କରେ ଉଲ୍ଲେଖ କରିଛୁ ଯାହାଙ୍କ କାହାଣୀରୁ ଆପଣଙ୍କୁ ପ୍ରେରଣା ମିଳିବ ନିଶ୍ଚିତ।

ଦକ୍ଷିଣ ଦିଲ୍ଲୀର ଖୈରପୁର ଗାଁର ବାସିନ୍ଦା ଯୋଗେନ୍ଦ୍ର ବୈସୋୟାଙ୍କ ସମ୍ପର୍କରେ ଉଲ୍ଲେଖ କରିଛୁ ଯିଏକି ୪ ଥର କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ସଂକ୍ରମିତଙ୍କ ଜୀବନ ବଞ୍ଚାଉଛନ୍ତି। ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଯୋଗେନ୍ଦ୍ର ବୈସୋୟା ପ୍ରଥମ ଥର ଜୁନ୍‌ ୨୦୨୦ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ସେପ୍ଟେମ୍ବରରେ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇଥିଲା ଏବଂ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଥିଲା। ଏହା ପରେ ଜାନୁଆରୀ ୨୦୨୧ ଏବଂ ପୁଣି ଏପ୍ରିଲ୍‌ରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

କିନ୍ତୁ ବଞ୍ଚିବାର ଇଚ୍ଛା ଆଗରେ କରୋନା ହାର ମାନିଥିଲା। କରୋନାରୁ ସୁସ୍ଥ ହେବା ପରେ ସେ ପ୍ଲାଜମା ଦାନ କରି ସଂକ୍ରମିତଙ୍କ ଜୀବନ ବଞ୍ଚାଉଛନ୍ତି। ଯୋଗେନ୍ଦ୍ର ପେଶାରେ ଜଣେ ନେଟଓ୍ବାର୍କ ସିକ୍ୟୁରିଟି ଇଞ୍ଜିନିୟର। ସେ ଦିଲ୍ଲୀରେ ରହୁଥିବା ବେଳେ ବେଳେ ଫରିବାଦର ନିଜ ଶ୍ବଶୁର ଘରକୁ ଯାଆନ୍ତି। ନିଜର ଭୁଲ ପାଇଁ ବାରମ୍ବାର କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସେ ବୁଝିଛନ୍ତି ନିୟମ ମାନିବା ଜରୁରୀ।

ଯୋଗେନ୍ଦ୍ର କହିଛନ୍ତି, ସେ ନିୟମ ନମାନି ସାଥିମାନଙ୍କ ସହ ବାରମ୍ବାର ବିବାହ, ଭୋଜିରେ ସାମିଲ ହେଉଥିଲେ। ତେଣୁ ତାଙ୍କୁ ବାରମ୍ବାର କରୋନାରେ ଶିକାର ହେବାକୁ ପଡ଼ୁଥିଲା। ଏବେ କରୋନା ଗାଇଡଲାଇନ୍ସ ମାନିବା ସହ ୪ ଥର କରୋନାକୁ ମାତ୍‌ ଦେବା ପରେ ପ୍ଲାଜମା ଦାନ କରି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଯୋଗେନ୍ଦ୍ର ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.