ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଛି ଏହି ରାଜ୍ୟର ରାଜନୀତି, ହୋଇପାରେ ସମୟପୂର୍ବ ନିର୍ବାଚନ
7/03/2021 at 9:46 PM

ବଲସାଡ ୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ କେବଳ କେନ୍ଦ୍ର ନୁହେଁ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ନଜର ରଖି ରହିଥିବା ରବିବାର ପ୍ରଥମ ଥର ଜଣାପଡିଛି। ଯଦି ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବାଜିମାତ କରେ ତେବେ ଗୁଜରାଟ ବିଜେପି ସରକାର ସମୟ ପୂର୍ବ ନିର୍ବାଚନକୁ ଯାଇପାରନ୍ତି। ଏଭଳି ଆଶଙ୍କା କରିଛନ୍ତି ଗୁଜରାଟ ଜଙ୍ଗଲ ଓ ଜନଜାତୀ ବ୍ୟାପାର ମନ୍ତ୍ରୀ ରମନ ପାଟେକର।
ଗୁଜୁରାଟ ବିଧାନସଭା କାର୍ଯ୍ୟକାଳ ଡିସେମ୍ବର ୨୦୨୨ରେ ସରୁଛି। ତେବେ ଏବେ ଅନୁଷ୍ଠିତ ହେଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଗୁଜରାଟ ନିର୍ବାଚନ ଲାଗି ନିଷ୍ପତ୍ତି ନିଆଯାଇପାରେ। ଦେଶରେ ବିଜେପିର ହାୱା ବହୁଥିବା ବେଳେ ରାଜ୍ୟରେ ନିର୍ବାଚନ କରାଇଦେବା ସରକାରଙ୍କ ଲାଗି ବୁଦ୍ଧିମାନର କାମ ହେବ। ଯେଉଁ ସବୁ ରାଜ୍ୟରେ ବିଜେପି ସଫଳ ହେବ ସେହି ସବୁ ରାଜ୍ୟର ସାମାଜିକ ରାଜନୈତିକ ପ୍ରଭାବ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ପଡିବ ବୋଲି ପାଟେକର କହିଛନ୍ତି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଏପ୍ରିଲ ଶେଷରେ ସମାପ୍ତ ହେଉଥିବା ବେଳେ ମେ ୨ ତାରିଖରେ ଭୋଟଗଣନା ହେବ। ଏଥିରେ ଯଦି ବିଜେପିକୁ ବହୁମତ ମିଳେ ତେବେ ଗୁଜରାଟ ସରକାର ନିଶ୍ଚିତ ସମୟପୂର୍ବ ନିର୍ବାଚନ ଲାଗି ଅଣ୍ଟା ଭିଡିବେ ବୋଲି ଜଣାପଡିଛି।
ଏମିତିରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ଏବେ ସାରା ଦେଶର ନଜର। ବିଜେପି ଯେ କୌଣସି ମତେ ରାଜ୍ୟରେ ଶାସନ ହାତେଇବା ରଣନୀତିରେ ମୈଦାନକୁ ଓହ୍ଲାଇଛି। ଏହି ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରର ମୋଦି ସରକାର ଅନ୍ୟ ରାଜ୍ୟମାନଙ୍କର ଆଗାମୀ ରାଜନୈତିକ ରଣନୀତି ମଧ୍ୟ ପ୍ରସ୍ତୁତ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯାହାକୁ ନେଇ ଅଣ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ତଟସ୍ଥ ଅବସ୍ଥାରେ ଅଛନ୍ତି।