ଧାରାବାହିକର ଏହି କୃଷ୍ଣଙ୍କୁ ପ୍ରକୃତ ଜୀବନରେ ମଧ୍ୟ ଲୋକେ ପୂଜା କରୁଥିଲେ
3/09/2018 at 2:06 PM

ମୁମ୍ବାଇ ୩|୯: ରାମାନନ୍ଦ ସାଗରଙ୍କ ଟେଲିଭିଜନ ଧାରାବାହିକ ‘ଶ୍ରୀକ୍ରୀଷ୍ଣା’ ଅଭିନେତା ସ୍ୱପ୍ନିଲ ଯୋଶୀଙ୍କୁ ରାତାରାତି ଷ୍ଟାର ବନାଇଦେଇଥିଲା । ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୬ବର୍ଷ । ଏହି ଧାରାବାହିକରୁ ସ୍ୱପ୍ନିଲ ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ ତାଙ୍କୁ ଲୋକମାନେ ସତସତିକା ଭଗବାନ ଭାବି ଲୋକ ତାଙ୍କ ପାଦ ଛୁଉଁଥିଲେ । ସେହି ସମୟ ସ୍ୱପ୍ନିଲଙ୍କ କ୍ୟାରିୟର ପାଇଁ ଏକ ଭଲ ସମୟ ଥିଲା । ବର୍ତ୍ତମାନ ସେ ଏକ ମରାଠୀ ସିନେମାର ଅଭିନୟରେ ବ୍ୟସ୍ତ ଅଛନ୍ତି ।
ଧାରାବାହିକ ‘ରାମାୟଣ’ରୁ ସ୍ୱପ୍ନିଲ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଯେଉଁଥିରେ ସେ ଲବ ଭୂମିକାରେ ଅଭିନୟ କରିଥିଲେ । ମାତ୍ର ଧାରାବାହିକ ‘ଶ୍ରୀକ୍ରୀଷ୍ଣା’ ତାଙ୍କୁ ପରିଚୟ ଦେବା ସହ ପଇସା ମଧ୍ୟ ଦେଇଥିଲା ବୋଲି ସ୍ୱପ୍ନିଲ କୁହନ୍ତି । ମାତ୍ର ୧୬ ବର୍ଷ ବୟସରେ ଲୋକମାନେ ତାଙ୍କୁ ଭଗବାନ ଭାବୁଥିଲେ । ଲୋକମାନେ ତାଙ୍କ ପାଖକୁ ଭକ୍ତି ଭାବ ସହ ଆସୁଥିଲେ । ତାଙ୍କ ପାଦ ଛୁଇଁ ପୂଜା ମଧ୍ୟ କରୁଥିଲେ । ଭଗବାନ ଏବଂ ଲୋକମାନଙ୍କ ମଧ୍ୟରେ ମାଧ୍ୟମ ପାଲଟି ଯାଇଥିଲେ ବୋଲି ସ୍ୱପ୍ନିଲ ହୁହନ୍ତି । ସେ ତାଙ୍କ କ୍ୟାରିୟର ଭିତରେ ଯେତେ ବି ସୋ’ କରିଛନ୍ତି ସେଥିମଧ୍ୟରୁ ‘ଶ୍ରୀକ୍ରୀଷ୍ଣା’ ସବୁବେଳେ ତାଙ୍କ ପାଇଁ ସ୍ପେଶାଲ ରହିଛି ବୋଲି ସେ କୁହନ୍ତି ।
‘ଶ୍ରୀକ୍ରୀଷ୍ଣା’ ଧାରାବାହିକରୁ ସେ ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ ଜଣେ ଚେନ୍ ସ୍ମୋକର ମଧ୍ୟ ତାଙ୍କ ପାଇଁ ସିଗାରେଟ୍ ଟାଣିବା ଛାଡିଦେଇଥିଲା । ସେ କଲେଜରେ ପଢୁଥିବା ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କ ଗୋଡ ଧରି କାନ୍ଦି ଥିଲା ଏବଂ କହିଥିଲା ଯେ ତାଙ୍କ ପାଇଁ ସେ ସିଗାରେଟ୍ ଟାଣିବା ଛାଡିଦେଇଛି । କାହିଁକି ନା ସେ ବ୍ୟକ୍ତି ଜଣଙ୍କ ଭଗବାନଙ୍କୁ ଡରୁଥିଲା । ଆଉ ସେ ଯେତେବେଳେ ସିଗାରେଟ୍ ଟାଣିଥିଲା ଭଗବାନଙ୍କ ରୂପରେ ସ୍ୱପ୍ନିଲଙ୍କ ଚେହେରା ତାଙ୍କ ଆଖି ଆଗକୁ ଚାଲିଆସି ବୋଲି ସେ କହିଥିଲା।
ଖବର ଅନୁସାରେ ଏକ ସୋ’ରେ ତାଙ୍କୁ ଷ୍ଟେଜ୍ ଉପରେ ପହଞ୍ଚିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା । ସେ ଏହି ସୋ’କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇ ଆସିଥିଲେ । ଯେତେବେଳେ ସ୍ୱପ୍ନିଲ ଷ୍ଟେଜ୍ ନିକଟକୁ ଯିବାକୁ ଲାଗିଲେ ସେତେବେଳେ ବହୁତ ଭିଡ ହୋଇଗଲା ଏବଂ ଲୋକମାନେ ତାଙ୍କ ପାଦ ଛୁଇଁ ପୂଜା କରିବାକୁ ଲାଗିଲେ । ଏଥିପାଇଁ ତାଙ୍କୁ ଷ୍ଟେଜରେ ପହଞ୍ଚିବାକୁ ଏତେ ସମୟ ଲାଗିଯାଇଥିଲା ।
୧୯୭୭ ମସିହା ଅକ୍ଟୋବର ୧୮ତାରିଖରେ ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ ସ୍ୱପ୍ନିଲ ଯୋଶୀ । ସେ ମୁମ୍ବାଇ ଚାରଣୀରୋଡ୍ ସ୍ଥିତ ବିଜେପିସି ଇନଷ୍ଟିଚ୍ୟୁସନ ଆଣ୍ଡ୍ ଜୁନିଅର କଲେଜରୁ ତାଙ୍କ ସ୍କୁଲ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ମୁମ୍ବାଇ ବିଶ୍ବବିଦ୍ୟାଳୟରୁ କମର୍ସରେ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିଲେ । ସ୍ୱପ୍ନିଲ ଲ’ ରେ ଡିଗ୍ରୀ କରିବା ସହ ଜଣେ ଆଇନଜୀବୀ ମଧ୍ୟ ।
ସ୍ୱପ୍ନିଲ ୨୦୦୫ ମସିହାରେ ଡେଣ୍ଟିଷ୍ଟ ଅପର୍ଣ୍ଣା ଯୋଶୀଙ୍କୁ ଭଲପାଇ ବିବାହ କରିଥିଲେ । ତାଙ୍କ ବୈବାହିକ ଜୀବନ ମାତ୍ର ୪ବର୍ଷ ତିଷ୍ଠି ଥିଲା । ୨୦୦୯ ମସିହାରେ ତାଙ୍କର ଅପର୍ଣ୍ଣାଙ୍କ ସହ ଛାଡପତ୍ର ହୋଇଥିଲା । ଏହାପରେ ସେ ୨୦୧୧ ମସିହାରେ ଲିନା ଆରାଧ୍ୟାଙ୍କୁ ବିବାହ କରିଥିଲେ । ତାଙ୍କ ଦ୍ବିତୀୟ ସ୍ତ୍ରୀ ମଧ୍ୟ ପେଶାରେ ଜଣେ ଡେଣ୍ଟିଷ୍ଟ ଥିଲେ ।
‘ଶ୍ରୀକ୍ରୀଷ୍ଣା’ ଧାରାବାହିକ ପରଠାରୁ ସେ ବହୁତ ସମୟ ପାଇଁ ପରଦାଠାରୁ ଦୂରେଇ ରହିଥିଲେ । ଏହା ମଧ୍ୟରେ ସେ ତାଙ୍କ ପାଠପଢା ଶେଷ କରିଥିଲେ । ‘ଶ୍ରୀକ୍ରୀଷ୍ଣା’ ସହ ‘ରାମାୟଣ’, ‘ଅମାନତ’, ‘କୈହତା ହୈ ଦିଲ୍’, ‘ଦେଶ୍ ମୈ ନିକଲା ହୋଗା ଚାନ୍ଦ’, ‘ହରେ କାଞ୍ଚ୍ କୀ ଚୁଡିଆଁ’, ‘ସଜନ ରେ ଝୁଠ୍ ମତ୍ ବୋଲୋ’, ‘ପାପଡ ପୋଲ’, ‘ଗୋଲମାଲ ହୈ ଭାଇ ସବ୍ ଗୋଲମାଲ ହୈ’, ମରାଠୀ ଗେମ୍ ସୋ’ ‘କୌନ ହୋଗା ମରାଠୀ କରୋଡପତି’ ଆଦିରେ ସେ ଅଭିନୟ କରିଥିଲେ ।