ନଭେମ୍ବର ୩୦ ପରେ ଆଉ ମିଳିବନି ଏହି ସରକାରୀ ଯୋଜନାର ଲାଭ, କରୋନା କାଳରେ ଗରିବଙ୍କ ପାଇଁ ହୋଇଥିଲା ବରଦାନ
26/11/2020 at 10:41 PM

ନୂଆଦିଲ୍ଲୀ ୨୬/୧୧: କରୋନା କାଳରେ କେନ୍ଦ୍ର ସରକାର ଦେଶରେ ପାଖାପାଖି ୮୦ କୋଟି ରାସନ୍ କାର୍ଡ ଧାରକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ରାସନ ଦିଆଯାଉଥିଲା। ଏହି ଯୋଜନା ୩୦ ନଭେମ୍ବର ୨୦୨୦ରେ ବନ୍ଦ ହେବାକୁ ଯାଉଛି। ଯଦି ଆପଣ ଏହି ଯୋଜନାର ଲାଭ ଉଠାଇ ନାହାନ୍ତି, ଜଳଦି ଫାଇଦା ନିଅନ୍ତୁ ।
ଯୋଜନା ମାଧ୍ୟମରେ ୫ କେଜି ଚାଉଳ ବା ଗହମ ମାଗଣାରେ ଦିଆଯାଉଥିଲା। ୩୦ ନଭେମ୍ବରରେ ବନ୍ଦ ହେବାକୁ ଯାଉଥିବା ଏହି ଯୋଜନା ପରବର୍ତ୍ତୀ ସମୟରେ ଲାଗୁ ହେବ କି ନାହିଁ ନିଷ୍ପତ୍ତି ହୋଇନଥିବା ବିଭାଗର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ମାର୍ଚ୍ଚରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ କଲ୍ୟାଣ ପ୍ୟାକେଜ୍ ଅନ୍ତର୍ଗତ ପିଏମଜିକେଏଓ୍ବାଇ ଘୋଷଣା କରିଥିଲେ। ପିଏମଜିକେଏଓ୍ବାଇ ମାଧ୍ୟମରେ ଗରିବ ଲୋକଙ୍କୁ ଏପ୍ରିଲ, ମେ ଓ ଜୁନ ମାସରେ ୫ କେଜି ଗହମ ବା ଚାଉଳ ମିଳିଥିବା ବେଳେ ପ୍ରତି ପରିବାରକୁ ୧ କେଜି ଡାଲି ଦେବାର ନିୟମ ଥିଲା। ପରେ ଏହାକୁ ୫ ମାସ ବଢ଼ାଇ ୩୦ ନଭେମ୍ବର କରିଦିଆଯାଇଥିଲା।
ତେବେ ପିଏମଜିକେଏଓ୍ବାଇ ଯୋଜନାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିଲେ। ପିଏମଜିକେଏଓ୍ବାଇ କରୋନା କାଳରେ ଗରିବ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା।