ଏହି ଖେଳାଳିଙ୍କୁ ବିଜୟର ଶ୍ରେୟ ଦେଲେ ଅଧିନାୟକ ଆଜିଙ୍କ୍ୟ ରାହାଣେ, କହିଲେ- ଦଳକୁ ସନ୍ତୁଳନ ପ୍ରଦାନ କଲେ

Published By : Prameya-News7 Bureau | January 19, 2021 IST

ବ୍ରିସବେନ ୧୯।୦୧: ଭାରତ ମଙ୍ଗଳବାର ବ୍ରିସବେନରେ ଶୁବମାନ ଗିଲ୍ ଓ ଋଷଭ ପନ୍ତଙ୍କ ଆକର୍ଷଣୀୟ ଅର୍ଦ୍ଧଶତକୀୟ ଇନିଂସ ବଳରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟ୍‌ରେ ମାତ୍ ଦେଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ଵ ନେଇଥିବା ଆଜିଙ୍କ୍ୟ ରାହାଣେ କହିଛନ୍ତି, ଏହି ବିଜୟ ଆମ ପାଇଁ ବହୁତ ମହତ୍ଵ ରଖୁଛି। ମୋତେ ଜଣା ନାହିଁ ଏହି ବିଜୟକୁ କେମିତି ବର୍ଣ୍ଣନା କରିବି। ବାସ୍ତବରେ ପ୍ରତ୍ୟେକ ଖେଳାଳିଙ୍କୁ ନେଇ ମୁଁ ଗର୍ବିତ।

ସେ କହିଛନ୍ତି, ମୁଁ ଏବଂ ପୂଜାରା କଥା ହୋଇଥିଲୁ, ଯେ ସେ ନିଜର ସ୍ଵାଭାବିକ ଖେଳ ଜାରି ରଖିବେ ଏବଂ ମୁଁ ଆକ୍ରମଣାତ୍ମକ ବ୍ୟାଟିଂ କରି ରନ ଗତି ବଢାଇବା ଉପରେ ଜୋର ଦେବି। ପୂଜାରା ଯେଉଁଭଳି ବିପକ୍ଷ ଦଳର ବୋଲିଂ ଆକ୍ରମଣର  ମୁକାବିଲା କଲେ ତାହା ଚମତ୍କାର। ଶେଷରେ ଋଷଭ ପନ୍ତ ଓ ଓ୍ଵାଶିଂଟନ ସୁନ୍ଦର ବହୁତ ଦମଦାର ବ୍ୟାଟିଂ କରିଥିଲେ।

ରାହାଣେ କହିଛନ୍ତି  ଯେ, ଖେଳାଳି ଆହତ ହେବା  ପରେ ଓ୍ଵାଶିଂଟନ ସୁନ୍ଦରଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରିଛି। ଟେଷ୍ଟରେ ୨୦ ଓ୍ଵିକେଟ୍ ନେବା ବହୁତ ଗୁରୁତ୍ଵପୂର୍ଣ୍ଣ କଥା। ଏଥିପାଇଁ ଆମେ ୫ ଜଣ ବୋଲର ସହ ପଡିଆକୁ ଓହ୍ଲାଇଥିଲୁ। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦର ଦଳକୁ ସନ୍ତୁଳନ ପ୍ରଦାନ କରିଥିଲେ। ମହମ୍ମଦ ସିରାଜ ଓ ନବଦୀପ ସାଇନି ଗୋଟିଏ ଲେଖାଏଁ ଟେଷ୍ଟ ଖେଳିଥିଲେ। ଏଥିପାଇଁ ଏହା ଆମର ଅନୁଭବହୀନ ବୋଲିଂ ଆକ୍ରମଣ ଥିଲା। ମାତ୍ର ଆମ ବୋଲର ଯାହା କରି ଦେଖାଇଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ।

ଆଜିଙ୍କ୍ୟ ରାହାଣେ ମ୍ୟାଚ୍‌ର ଶେଷ ଦିନରେ ଦ୍ରୁତ ଗତିରେ ରନ କରିଥିଲେ। ନିଜର ୨୪ ରନର ଛୋଟ ଇନିଂସରେ ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଯେ, ଦଳ ବିଜୟ ପାଇଁ ଚେଷ୍ଟା ଜାରି ରଖିବ। ସେ କହିଛନ୍ତି ଯେ ଏହା ଆମ ରଣନୀତିର ଏକ ଅଂଶ ଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ ସ୍ଵୀକାର କରିଛନ୍ତି ଯେ, ଭାରତୀୟ ଦଳ ତାଙ୍କ ଦଳକୁ ସବୁ ବିଭାଗରେ ମାତ୍ ଦେଇଛି।

କଙ୍ଗାରୁ ଅଧିନାୟକ ଏହା ମଧ୍ୟ କହିଛନ୍ତି, ଆମେ ସିରିଜ୍ ଜିତିବାକୁ ଆସିଥିଲୁ। ହେଲେ ଆମକୁ ଭାରତର ଅନୁଶାସିତ ଓ ଶକ୍ତିଶାଳୀ ଦଳଠୁ ପରାଜୟ ମିଳିଛି। ଭ୍ରମଣକାରୀ ଦଳ ବିଜୟର ହକ୍‌ଦାର ଥିଲେ। ଆମକୁ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍। ଆମକୁ ଏକ ଚମତ୍କାର ଦଳ ପରାସ୍ତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.