ଟିମ୍ ଇଣ୍ଡିର କୋଚ୍ କିଏ ହେବ ସେ ନିଷ୍ପତ୍ତି ନେବା ଦାୟିତ୍ବ ମିଲିପାରେ ଏହି କିମ୍ବଦନ୍ତୀ ଖେଳାଳିଙ୍କୁ
17/07/2019 at 8:32 PM

ନୂଆଦିଲ୍ଲୀ୧୭|୭: ଭାରତୀୟ କ୍ରିକେଟ ଟିମର କୋଚିଂ କର୍ମଚାରୀ ପରିବର୍ତ୍ତନ ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବିସିସିଆଇକୁ ପରିଚାଳନା କରୁଥିବା (ସିଓଏ) କୋଚିଂ ଷ୍ଟାଫ ଆବେଦନ ପାଇଁ ଟିମ ଇଣ୍ଡିଆର ଅନୁମତି ମାଗିଛି। ଏହି ଆବେଦନର ଶେଷ ତାରିଖ ଜୁଲାଇ ୩୦ ପର୍ଯ୍ୟନ୍ତ ରହିଛି। ଏହି କୋଚିଂ ଷ୍ଟାଫ ନିଯୁକ୍ତି ପାଇଁ କପିଲ ଦେବ, ଅଂଶୁମାନ ଗୈକବାଦ ଓ ଶନ୍ତ ରଙ୍ଗସ୍ବାମୀଙ୍କୁ ଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ପୁରୁଷ କ୍ରିକେଟ ଟିମର କୋଚିଂ ଷ୍ଟାଫ ପରିବର୍ତ୍ତନ ପାଇଁ ଏହି ତିନିଜଣଙ୍କୁ ସିଓଏର ଅଧିକାରୀଙ୍କ ଦ୍ବାରା ଘୋଷଣା ହୋଇନାହିଁ।
ଏହି ବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ବର୍ତ୍ତମାନ ଆଲୋଚନା ଚାଲିଛି। ତେଣୁ ଏହି ବାବଦରେ କହିବା ଭୁଲ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଏହି ତିନିଜଣଙ୍କ ମଧ୍ୟରୁ ଜଣେ କହିଛନ୍ତି, ମୋତେ ନିଯୁକ୍ତି ଦିଆଯାଇ ନାହିଁ, ଏହି ଚୟନ ପ୍ରକ୍ରିୟା ଚାଲିଛି । ତେଣୁ ଏ ବାବଦରେ କୌଣସି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ବିସିସିଆଇର ନିମୟନୁଯାୟୀ, ପୁରୁଷ କ୍ରିକେଟ ଟିମର ମୁଖ୍ୟ କୋଚ ନିଯୁକ୍ତି ଦେବା ପରେ ବିସିସିଆଇର ସିଇଓ ରାହୁଲ ଜୋହରୀ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେବେ।
ଏହି ତିନିଜଣ କିଛିଦିନ ପୂର୍ବରୁ ଡବ୍ଲୁ ଭି ରମଣଙ୍କୁ ମହିଳା କ୍ରିକେଟ ଟିମର କୋଚ୍ ଭାବରେ ନିଯୁକ୍ତି ଦେଇଛନ୍ତି। ଯେତେବେଳେ ସଚିନ ତେନ୍ଦୁକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ ପାଇଁ ସିଏସି ମନା କରିଥିଲେ। ସେହି ସମୟରେ ଡବ୍ଲୁ ଭି ରମଣଙ୍କୁ ମହିଳା ଟିମର କୋଚ ଭାବରେ ନିଯୁକ୍ତି ଦିଆଯାଇଥିଲା।
ଏଥିସହ ବିସିସିଆଇ ମୁଖ୍ୟ କୋଚ ପାଇଁ କଡ଼ା ସର୍ତ୍ତ ରଖିଛି। ଯେଉଁଥିରେ ନୂଆ ଭାବେ ନିଯୁକ୍ତି ହେବାକୁ ଥିବା କୋଚଙ୍କ ବୟସ ୬୦ ବର୍ଷରୁ କମ୍ ହୋଇଥିବ। ଏହା ବ୍ୟତୀତ କୋଚିଂ ଲେଭଲ-୩ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ। ଯଦି ଏହା ନଥିବ ତେବେ ଅତିକମ୍ ରେ ୩୦ଟି ଟେଷ୍ଟ କିମ୍ବା ୫୦ ଟି ଏକଦିବସୀୟ ମ୍ୟାଚର ଅଭିଜ୍ଞତା ଥିବା ଆବଶ୍ୟକ। ତାହାଲେ ପୁରୁଷ ଟିମର କୋଚ ହୋଇପାରିବେ।