ଛେଳି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଶେର ଦିଲ: ଓଜନ ୩୧୪ କିଲୋ, ପାଇଲା ୫ ଲକ୍ଷ ଟଙ୍କା

Published By : Prameya-News7 Bureau | July 10, 2021 IST

କରାଚି ୧୦/୦୭ : ପାକିସ୍ତାନରେ କିଛି ଦିନ ହେଲା ଏକ ଛେଳି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛେଳିର ଓଜନ ୩ କ୍ୱିଣ୍ଟାଲରୁ ଅଧିକ। ମଜାଦାର କଥା ହେଲା, ପାକିସ୍ତାନରେ ଆୟୋଜିତ ହୋଇଥିବା ଅଧିକ ଓଜନ ବିଶିଷ୍ଟ ଏକ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଜିତିଛି। ଛେଳିର ମାଲିକକୁ ପୁରସ୍କାରରେ ମୋଟା ଅଙ୍କର ଟଙ୍କା ମିଳିଛି।

ଜିଓ ଟିଭିର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଫୈସଲାବାଦରେ ଗତ ୨୩ ବର୍ଷ ହେଲା ଏହି ଛେଳି ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତିଯୋଗିତାରେ ଓଜନିଆ ଛେଳି ଅଂଶଗ୍ରହଣ କରିଥିଲେ। କିନ୍ତୁ ଗୋଟିଏ ଛେଳି ସବୁ ରେକର୍ଡ ଭାଙ୍ଗି ଦେଇଛି।

ଏହି ଛେଳିର ନାଁ ଶେର ଦିଲ। ଏହାର ଓଜନ ୩୧୪ କିଲୋଗ୍ରାମ। ଛେଳି ପିଠିରେ ଧଳା ରଙ୍ଗର ଛାପ ଅଛି ଯେଉଁଥିପାଇଁ ଛେଳିଟି ଦେଖିବାକୁ ସୁନ୍ଦର ଲାଗେ। ପଶୁଙ୍କ ନିଲାମୀ ହେଉଥିବା ଏହି ବାର୍ଷିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଛେଳିଟି ନିଜ ମାଲିକ ସହ ଯାଇଥିଲା।

ଶେର ଦିଲର ମାଲିକ ନାଁ ଫାରୁକ ଏଜାଜ। ସେ ଗୁଞ୍ଜରଵାଲାରେ ରୁହନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସେ ଶେର ଦିଲକୁ ଧରି ଫୈସଲାବାଦ ଯାତ୍ରା କରିଥିଲେ। ଛେଳିର ପ୍ରଥମ ପୁରସ୍କାର ମିଳିଛି। ପ୍ରତିଯୋଗିତାରେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା।

ପ୍ରତିଯୋଗିତା ଜିତିବା ପରେ ଶେର ଦିଲର ମାଲିକଙ୍କୁ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା। ଲାହୋରର ଲାଲ ବାଦଶାହ ନାମକ ଛେଳି ଦ୍ୱିତୀୟ ପୁରସ୍କାର ଜିତିଛି। ଏହାର ଓଜନ ୩୦୦ କିଲୋ। ମୁଲତାନର କାଲୁ ନାମକ ଛେଳି ତୃତୀୟ ପୁରସ୍କାର ଜିତିଛି ଯାହାର ଓଜନ ୨୭୮ କିଲୋ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.