ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପରେ ଏହି ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ହୋଇପାରେ ସହାୟକ, ବଢିଲା ଚାହିଦା

Published By : Prameya-News7 Bureau | April 19, 2020 IST

ଚିକାଗୋ ୧୯।୪: କରୋନା ଭାଇରସ୍ ପାଇଁ ସଠିକ୍ ଔଷଧ ଖୋଜିବା ପାଇଁ ବୈଜ୍ଞାନିକ ଏବଂ ଡାକ୍ତରମାନେ କଠିନ ପରିଶ୍ରମ ଜାରି ରଖିଛନ୍ତି । ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପରେ ଅନ୍ୟ ଏକ ଔଷଧ ଉପରେ ଏବେ ଆଲୋଚନା ହେଉଛି । ୟୁନିଭରସିଟି ଅଫ୍ ଚିକାଗୋ ମେଡିସିନ୍ ର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କୋଭିଡ-୧୯ର ୧୨୫ରୋଗୀଙ୍କୁ Remdesivir ଦେବା ପରେ ସେମାନଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଦେଖାଦେଇଛି । ଔଷଧର ପ୍ରାରମ୍ଭିକ ସଫଳତା ଦେଖି ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଇବୋଲା ଚିକିତ୍ସାରେ ଏହି ଔଷଧ Remdesivir ବ୍ୟବହାର କରାଯାଇଥିଲା । ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଗିଲିଆଡ ସାଇନ୍ସ ଦ୍ବାରା Remdesivir ଔଷଧର କ୍ଲିନିକାଲ ଟ୍ରାଏଲ କରାଯାଉଛି ଏବଂ ଏହାକୁ ପାଇଲଟ୍ ଔଷଧ ଭାବରେ ବ୍ୟବହାର କରାଯାଉଛି ।

କରୋନୋ ଭାଇରସର ପ୍ରାମାଣିକ ଔଷଧ ଏପର୍ଯ୍ୟନ୍ତ ତିଆରି ହୋଇନାହିଁ । ସାରା ବିଶ୍ବରେ ଏହି ମହାମାରୀରେ ଅସୁସ୍ଥ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସଂକ୍ରମଣର ଚିକିତ୍ସାରେ Remdesivir ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି । ଏହି ଔଷଧ ଉପରେ ଆମେରିକାର ହେଲ୍ଥ ନ୍ୟୁଜ୍ ୱେବସାଇଟ୍ ଷ୍ଟାଟର ରିପୋର୍ଟ ଦ୍ବାରା ପ୍ରକାଶିତ ତଥ୍ୟ ଆଶାଜନକ କିନ୍ତୁ ଏହା କ୍ଲିନିକାଲ ଟ୍ରାଏଲ ତଥ୍ୟ ଉପରେ ଆଧାରିତ ନୁହେଁ ।

ଷ୍ଟାଟ୍ ଅନୁଯାୟୀ, ଚିକାଗୋ ୟୁନିଭରସିଟିରେ କୋଭିଡ-୧୯ରେ ପୀଡିତ ୧୨୫ରୋଗୀ ଦୁଇଟି ପର୍ଯ୍ୟାୟରେ ୩ଟି କ୍ଲିନିକାଲ୍ ପରୀକ୍ଷଣରେ ଭାଗ ନେଇଥିଲେ । ଗିଲିୟଡ୍ ଦ୍ବାରା ଏହି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୧୩ ରୋଗୀଙ୍କର କରୋନାର ଭୟଙ୍କର ଲକ୍ଷଣ ଥିଲା । ଷ୍ଟାଟ କହିଛି ଯେ ଏହି ପରୀକ୍ଷଣର ଭିଡିଓ ରେକର୍ଡିଂ ଅଛି ।

Remdesivirର ପରୀକ୍ଷଣ ସେହି ୨୪୦୦ଲୋକଙ୍କ ଉପରେ କରାଯାଉଛି ଯେଉଁମାନଙ୍କଠାରେ କରୋନାର ଭୟଙ୍କର ଲକ୍ଷଣ ଥିବାବେଳେ ଅନ୍ୟ ୧୬୦୦ ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି । ଏହି ଦୁଇଟି ପରୀକ୍ଷା ଦୁନିଆର ଅନେକ ସ୍ଥାନରେ କରାଯାଉଛି । ClinicalTrials.gov ଅନୁଯାୟୀ, ଏହି ଦୁଇଟି ପରୀକ୍ଷା ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ଏବଂ ମେ ମାସ ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.