୮୦ଦିନ ହେବ ଗୋଟିଏ ସ୍ଥାନରେ ବସିରହିଛି କୁକୁର ; କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | November 17, 2018 IST

ଭୁବନେଶ୍ବର ୧୭|୧୧: ଯଦି କେହି ନିଜଲୋକଙ୍କର ମୃତ୍ୟୁ ହୋଇଯାଏ ତେବେ ଆମେ ବହୁତ ଭାଙ୍ଗି ପଡିଥାଉ । ତେବେ ଆମେ ସେହି ସ୍ଥାନକୁ ଯାଇ ତାଙ୍କୁ ଅନୁଭବ କରିବାକୁ ଚେଷ୍ଟା କରିଥାଉ ଯେଉଁଠାରେ ତାଙ୍କୁ ପ୍ରଥମେ ଭେଟିଥାଉ । ମାତ୍ର ଏହା କେବଳ ମନୁଷ୍ୟମାନଙ୍କଠାରେ ସୀମିତ ହୋଇ ରହିନାହିଁ । ପଶୁମାନେ ମଧ୍ୟ ନିଜଲୋକଙ୍କୁ ବହୁତ ମନେପକାଇଥାନ୍ତି । କୁକୁର ନିଜ ମାଲିକଙ୍କ ପ୍ରତି ବହୁତ ବିଶ୍ବସ୍ତ ହୋଇଥାଏ । ଏବେ ଏଭଳି ଗୋଟିଏ କୁକୁରର ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଗୋଟିଏ କୁକୁର ରାସ୍ତା ପାର୍ଶ୍ବରେ ବସିରହିଛି । ଏହା ଦିନେ ଦୁଇ ଦିନର କଥା ନୁହେଁ । କୁକୁରଟି ପ୍ରାୟ ୮୦ଦିନ ହେବ ଏଭଳି ରାସ୍ତା ପାର୍ଶ୍ବରେ ସେହି ଗୋଟିଏ ସ୍ଥାନରେ ହିଁ ବସିଛି । ଯେଉଁଠାରେ ତା ମାଲିକଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଏହି ଘଟଣା ଚୀନର । ଯେଉଁଠାରେ ହୋହହୋଟରେ ରାସ୍ତା ପାର୍ଶ୍ବରେ ଏକ କଳା ଧଳା ରଙ୍ଗର କୁକୁର ପ୍ରାୟ ୮୦ଦିନ ହେବ ଗୋଟିଏ ସ୍ଥାନରେ ବସିଛି । ଯଦିଓ କୁକୁରଟିକୁ ଲୋକମାନେ କେତେଥର ଘଉଡାଇଦେଲେଣି ମାତ୍ର ସେ ପୁଣି ଆସି ସେହି ସ୍ଥାନରେ ବସିରହୁଛି । ଫଳରେ ବାଧ୍ୟ ହୋଇ ସ୍ଥାନୀୟଲୋକମାନେ ସେହିଠାରେ ହିଁ କୁକୁରଟିର ଖାଦ୍ୟ ପାନୀୟର ବ୍ୟବସ୍ଥା କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସେହିଠାରେ ହିଁ କୁକୁରଟିର ମାଲିକଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହାପରେ କୁକୁରଟି ସେହି ସ୍ଥାନରେ ବସିରହିଛି । ସେହିବାଟ ଦେଇ ଯାଉଥିବା ଲୋକମାନେ କୁକୁରଟିର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ଯାହାକୁ ୧.୪ ମିଲିୟନ ୟୁଜର୍ସ ହିଟ୍ କରିସାରିଲେଣି । କୁହାଯାଉଛି ଯେ କୁକୁରଟି ପ୍ରାୟ ୮୦ଦିନ ହେବ ସେହିଠାରେ ହିଁ ନିଜ ମାଲିକର ଅପେକ୍ଷା କରିଛି । କେତେକ ଲୋକ କହୁଛନ୍ତି ଯେ କୁକୁରଟିକୁ ତାର ନୂଆ ମାଲିକ ପାଖକୁ ଚାଲିଯିବା କଥା ଫଳରେ ତାର ନୂଆ ଜୀବନ ଆରମ୍ଭ ହୋଇପାରିବ । ସେହିପରି  କେତେକ ଲୋକ ଏହି କୁକୁରଟିର ତୁଳନା ଜାପାନର ଏକ କୁକୁର ସହ କରୁଛନ୍ତି । ଯିଏକି ନିଜ ମାଲିକକୁ ଅପେକ୍ଷା କରି ପ୍ରାୟ ୯ବର୍ଷ ପର୍ଯ୍ୟନ୍ତ ଷ୍ଟେସନ ବାହାରେ ବସିରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.