ପନ୍ନା ୧୨/୧୧: ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ପୁଣି ଏକ ପୂରୁଣା ରୋଗ ସ୍ଥିତି ଜାହିର କରିଛି। ପାଖାପାଖି ୨୦୦ ବର୍ଷ ପରେ ପୁଣି ଏହି ରୋଗ ଭାରତକୁ ଫେରିଛି। ଏବେ ସୁଦ୍ଧା ଏହି ରୋଗର ଲକ୍ଷଣ ୪ ଜଣଙ୍କ ଦେହରେ ଦେଖିବାକୁ ମିଳିଥିବା ବେଳେ ଦୁଇ ପିଲାଙ୍କ ଜୀବନ ଗଲାଣି।
ମଧ୍ୟପ୍ରଦେଶର ପନ୍ନାରେ ଏବେ ସ୍କ୍ରବ୍ ଟାଇଫସ୍ ଆତଙ୍କ। ତେବେ ଏହି ରୋଗ ମୂଷା ଓ ଚୁଚୁନ୍ଦ୍ରା ଦ୍ବାରା ବ୍ୟାପିଥାଏ। ପନ୍ନାରେ ପୂରୁଣା ରୋଗ ବ୍ୟାପିବା ପରେ ଭୋପାଳରୁ ରାଜ୍ୟ ଏଣ୍ଟେରୋଲୋଜିଷ୍ଟ ଟିମ୍ ସେଠାରେ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି। ଏପରିକି ସେଠାକାର କିଛି ମୂଷାଙ୍କ ନମୂନା ସଂଗ୍ରହ କରିବା ସହ ଭୋପାଳ ସ୍ଥିତ ଲ୍ୟାବ୍କୁ ପଠାଇଥିବା ଜଣାପଡ଼ିଛି। ଏବେ ପନ୍ନାବାସୀ ମୂଷାଙ୍କୁ ଦେଖି ଭୟ କରିବା ଆରମ୍ଭ କଲେଣି।
ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ କଲେ ଜ୍ବର ହେବା ସାଙ୍ଗକୁ ମୁଣ୍ଡବିନ୍ଧା, ମାଂସପେଶୀୟ ଯନ୍ତ୍ରଣା, ଶ୍ବାସକ୍ରିୟାରେ କଷ୍ଟ, କାଶ, ବାନ୍ତି ଆଦି ଲକ୍ଷ୍ୟଣ ଦେଖାଯାଇଥାଏ। ତେବେ ଏଥିରୁ ବଞ୍ଚିବାକୁ ହେଲେ କ୍ଷେତରେ କାମ କରିବା ବେଳେ ହାତ ମୁହଁକୁ ଘୋଡ଼ାଇବା ସହ ସଫ ସୂତୁରା ହେବା ଜରୁରୀ ବୋଲି ଚିକିତ୍ସକମାନେ କହିଛନ୍ତି।
ମୂଷା ଶରୀରରେ ଲାଗିଥିବା ଲାର୍ଭା ଯୋଗୁ ଏହି ରୋଗ ବ୍ୟାପେ। ଏବେ ସୁଦ୍ଧା ପନ୍ନାରେ ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି। ତେବେ ଏହାକୁ ଅଧିକ ପରୀକ୍ଷା କରିବା ପାଇଁ ସେଠାକାର ମୂଷା ଓ ଲୋକଙ୍କ ସାମ୍ପଲ୍ ସଂଗ୍ରହ କରାଯାଇଥିବା ରାଜ୍ୟ ସ୍କ୍ରବ୍ ଟାଇଫସ୍ ପ୍ରଭାରୀ ଶୈଳେନ୍ଦ୍ର ସିଂହ କହିଛନ୍ତି। ଅନ୍ୟପଟେ ଏହି ରୋଗ ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ବ୍ୟାପିଥିବା ନେଇ ପନ୍ନାର ଜଣେ ଡାକ୍ତର ଏଲ କେ ତିଓ୍ବାରୀ ସୂଚନା ଦେଇଛନ୍ତି।