ଇତିହାସରେ କ୍ରିକେଟ : ମାତ୍ର ୧୨ ରନରେ ଅଲଆଉଟ ହୋଇଯାଇଥିଲା ଷ୍ଟାର ଖେଳାଳିରେ ଭରପୁର ଥିବା ଏହି ଟିମ, ତଥାପି ବିପକ୍ଷକୁ ଜିତିବାକୁ ଦେଇନଥିଲେ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/ ୦୬ : କ୍ରିକେଟ ହେଉଛି ଏକ ଅନିଶ୍ଚିତତାର ଖେଳ । ଅନେକ ସମୟରେ ଏହ ପ୍ରମାଣିତ ମଧ୍ୟ ହୋଇଛି । ଏଭଳି କିଛି ରେକର୍ଡ ଆଜି ବି ଇତିହାସରେ ଲିପିବଦ୍ଧ ହୋଇ ରହିଛି ଯାହାକି କ୍ରିକେଟ ପ୍ରେମୀଙ୍କୁ ବେଶ ଉତ୍ସାହିତ କରିଥାଏ । କିନ୍ତୁ ସେଥିମଧ୍ୟରୁ ଏପରି ଅନେକ ଲଜ୍ଜାଜନକ ରେକର୍ଡ ମଧ୍ୟ ରହିଛି । ୧୧୪ ବର୍ଷ ପୂର୍ବେ ଆଜିର ଦିନରେ କ୍ରିକେଟରେ ସୃଷ୍ଟି ହୋଇଥିଲା ଏକ ଅଲୋଡା ରେକର୍ଡ । ଟିମରେ ଷ୍ଟାର ଖେଳାଳୀ ଥିବା ସତ୍ତ୍ବେ ବି ମାତ୍ର ୧୨ ରନରେ ଅଲଆଉଟ ହୋଇଯାଇଥିଲା ନର୍ଥହାମ୍ପଟନସର ଦଳ। କୌଣସି ଜଣେ ବି ବ୍ୟାଟ୍ସମ୍ୟାନ ୪ ରନ ଉପରକୁ ସ୍କୋର କରିପାରିନଥିଲେ । ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ ।

୧୯୦୭ ମସିହା ଜୁନ ୧୧ ତାରିଖରେ ନର୍ଥହାମ୍ପଟନସର ଟିମ, ଗ୍ଲୁଷ୍ଟଶାୟର ବିରୁଦ୍ଧରେ ମାତ୍ର ୧୨ ରନରେ ଅଲଆଉଟ ହୋଇଯାଇଥିଲା । ଯାହାକି ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ସବୁଠାରୁ କମ ସ୍କୋ ଇନିଂସ । କିନ୍ତୁ ଏହା ପୂର୍ବରୁ ୧୮୧୦ ମସିହାରେ ଦି ବିଏସ ଟିମ ନାଁରେ ରହିଛି ସବୁଠାରୁ କମ ସ୍କୋର ରେକର୍ଡ । ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଦି ବିଏସ ମାତ୍ର ୬ ରନରେ ଅଲଆଉଟ ହୋଇଯାଇଥିଲା । ଯାହାକି କ୍ରିକେଟ ଇତିହାସରେ ସବୁଠାରୁ କମ ଦଳଗତ ସ୍କୋର ।

ନର୍ଥହାମ୍ପଟଶାୟର ଏବଂ ଗ୍ଲୁଷ୍ଟଶାୟର ମଧ୍ୟରେ ୧୯୦୭ ମସିହା ଜୁନ ୧୦ ରୁ ୧୨ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବିଷୟରେ କହିବାକୁ ଗଲେ ଗ୍ଲୁଷ୍ଟଶାୟର ପ୍ରଥମ ଇନିଂସରେ ବ୍ୟାଟିଂକରି ୬୦ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଜୁନ୍ ୧୧ ରେ ନର୍ଥହାମ୍ପଟଶାୟର ଦଳ ପ୍ରଥମ ଇନିଂସରେ ମାତ୍ର ୧୨ରନରେ ଅଲଆଉଟ ହୋଇଯାଇଥିଲା । ଏହି ଦଳର ନେତୃତ୍ବ ନେଉଥିଲେ ଏଡମଣ୍ଡ୍ କ୍ରସ। ଯିଏକି ୪୮ ଟି ମ୍ୟାଚରେ ୧୧୬୮ ରନ୍ ସ୍କୋର କରିଥିଲେ। ଦଳରେ ଚାର୍ଲ୍ସ ପୁଲ୍, ୱାଲ୍ଟର ଆଲଫ୍ରେଡଙ୍କ ଭଳି ମହାନ ଖେଳାଳି ମଧ୍ୟ ଥିଲେ। ପୁଲ୍ ତାଙ୍କ କ୍ୟାରିଅରରେ ୯୪ ମ୍ୟାଚ୍‌ ଖେଳି ୪ ଶତକ ଏବଂ ୨୦ଟି ଅର୍ଦ୍ଧଶତକ ବଳରେ ୪ ହଜାର ୩୫୦ ରନ୍ ସ୍କୋର କରିଥିଲେ । ୱାଲ୍ଟର ୭୬ ଟି ମ୍ୟାଚରେ ୨୬୭୦ ରନ୍ ସଂଗ୍ରହ କରିଥିବାର ରେକର୍ଡ ରହିଛି । କିନ୍ତୁ ଏହି ମ୍ୟାଚର ପ୍ରଥମ ଇନିଂସରେ ସମସ୍ତେ ଫେଲ ମାରିଥିଲେ ।

କ୍ରସ୍ ୪ ରନ, ମାର୍କ କକ୍ସ ୨ ରନ, ପୁଲ୍ ୪ ରନ, ୱାଲ୍ଟର ୧ ରନ କରିଥିଲେ । ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଖାତା ଖୋଲିବା ପାଇଁ ମଧ୍ୟ ସକ୍ଷମ ହୋଇନଥିଲେ । ଜର୍ଜ ଡେନେଟ୍ ୯ ରନ ଦେଇ ସର୍ବାଧିକ ୮ଟି ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଥିଲେ । ଦ୍ୱିତୀୟ ଇନିଂସରେ ଗ୍ଲୁଷ୍ଟଶାୟର ୮୮ ରନ୍ କରି ନର୍ଥହାମ୍ପଟନସରକୁ ୧୩୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଖେଳ ଶେଷରେ ନର୍ଥହାମ୍ପଟନସର ୭ ୱିକେଟ୍ ପାଇଁ ୪୦ ରନ୍‌ କରିବା ସହିତ ମ୍ୟାଚ ଡ୍ର ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.