ଦୁନିଆର ଏହି ଇଲାକା ପାଲଟିଲା ନୂତନ ଉହାନ, ୯୦% କରୋନା ସଂକ୍ରମିତ ଓମିକ୍ରନରେ ସଂକ୍ରମିତ

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦।୧୧: କରୋନା ଭାଇରସ୍‌ର ନୂତନ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି। ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ଏହି ଭାଇରସ୍‌ ଏ ପର୍ଯ୍ୟନ୍ତ ୧୨ ଦେଶକୁ ବ୍ୟାପିଲାଣି। ଏହା ପରେ ନୂତନ ଭାରିଏଣ୍ଟକୁ ନେଇ ବିଶ୍ଵବ୍ୟାପୀ ଭୟର ମାହୋଲ ସୃଷ୍ଟି ହୋଇଛି।

ଦକ୍ଷିଣ ଆଫ୍ରିକା ସହିତ ଯେଉଁ ୧୨ ଦେଶରେ କରୋନା ଭାଇରସ୍‌ର ନୂତନ ସଂକ୍ରମିତ ଚିହ୍ନଟ  ହୋଇଛି ସେଥିରୁ ଅଧିକାଂଶ ଓମିକ୍ରନ ଭାରିଏଣ୍ଟରେ ପୀଡିତ। ଏବେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଦୁନିଆର ଦ୍ଵିତୀୟ ଉହାନ ପାଲଟିଛି। ଏଠାରୁ ପ୍ରାୟ ୯୦ ପ୍ରତିଶତ ଲୋକେ ନୂତନ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି।

ଖବର ଅନୁଯାୟୀ, ସ୍ଵାସ୍ଥ୍ୟ ବିଶେଷଜ୍ଞ ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ନୂତନ ଭାରିଏଣ୍ଟର କେନ୍ଦ୍ରସ୍ଥଳର ସନ୍ଧାନ ପାଇଛନ୍ତି। କୁହାଯାଉଛି, ଦକ୍ଷିଣ ଆଫ୍ରିକାର ଶ୍ଵାନେ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଓମିକ୍ରନର କେନ୍ଦ୍ରସ୍ଥଳ ପାଲଟିଛି। ଏଠାରେ ଅନେକ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ପରୀକ୍ଷା ରଦ୍ଦ କରିବାକୁ ପଡିଛି। ଜୋହାନ୍ସବର୍ଗର ଗୌତେଙ୍ଗ ପ୍ରାନ୍ତ ଓମିକ୍ରନର ପେଣ୍ଠସ୍ଥଳୀ ଭାବେ ସାମ୍ନାକୁ ଆସିଛି।

ଗୌତେଙ୍ଗ ପ୍ରାନ୍ତରେ ୯୦ ପ୍ରତିଶତ ମାମଲାରେ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଛି। ଟିକାକରଣହାର ବହୁତ କମ ରହିବା ଦକ୍ଷିଣ ଆଫ୍ରିକାରେ ସବୁଠୁ ବଡ ସମସ୍ୟା। ଏଠାରେ ୧୮ରୁ ୩୪ ବର୍ଷର ଜନସଂଖ୍ୟା ମଧ୍ୟରୁ କେବଳ ୨୨ ପ୍ରତିଶତ ହିଁ କରୋନା ଟିକା ନେଇଛନ୍ତି। ସ୍ଥାନୀୟ ଲୋକେ ଟିକା ନେବାକୁ କୁଣ୍ଠାବୋଧ କରୁଛନ୍ତି। ଫଳରେ ସେଠାକାର ଜନ ସାଧାରଣକୁ ବହୁତ ବୁଝାଇବା ସହ ସଚେତନ କରିବାକୁ ପଡୁଛି। ଲୋକଙ୍କୁ ବୁଝାଇବାକୁ ପଡୁଛି ଯେ, କରୋନା ଭାଇରସ୍‌ରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଭ୍ୟାକ୍ସିନ ନେବାକୁ ପଡିବ। ଏହା ହିଁ ମହାମାରୀରୁ ବଞ୍ଚିବାର ଏକ ମାତ୍ର ଉପାୟ।

ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ସମଗ୍ର ଦୁନିଆରେ କରୋନାର ଆଲ୍‌ଫା, ବିଟା, ଗାମା ଏବଂ ଡେଲ୍‌ଟା ପରି ଭାରିଏଣ୍ଟ ସାମ୍ନାକୁ ଆସି ସାରିଛି। ଏବେ ଓମିକ୍ରନ ଭାରିଏଣ୍ଟ ଦୁନିଆ ପାଇଁ ନୂତନ ସମସ୍ୟା ନେଇ ଆସିଛି। ଦୁନିଆରେ ଭୟର ମାହୋଲ ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.