‘କରୋନା’ ଲକ୍ଷଣ ଚିହ୍ନଟ କରୁଛି ଏହି ଆପ୍, ଅନ୍ୟ ତୁଳନାରେ ଅଧିକ ହୋଇଛି ଡାଉନଲୋଡ୍

Published By : Prameya-News7 Bureau | March 30, 2020 IST

ଓ୍ବାଶିଂଟନ୍ ୩୦।୩: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ବେଶୀ । ଏଭଳି ପରିସ୍ଥିତିରେ କରୋନାରୁ ବର୍ତ୍ତିବା ପାଇଁ ଆମେରିକୀୟମାନେ ଆପର ସାହାଯ୍ୟ ନେଉଛନ୍ତି । ରିପୋର୍ଟ ଅନୁଯାୟୀ, ଆମେରିକାରେ କୋଭିଡ-୧୯ ଅଥବା କରୋନାର ଲକ୍ଷଣ ଚିହ୍ନଟ କରୁଥିବା ଆପ୍ ଅଧିକ ଲୋକପ୍ରିୟ ହୋଇଛି । ଏହାକୁ ବହୁଳ ଭାବେ ଡାଉନଲୋଡ୍ କରାଯାଉଛି ଏବଂ ଏହା ଅଧିକାଂଶ ଡାଉନଲୋଡ୍ ହେଉଥିବା ଆପସ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଆମେରିକାରେ ଏଭଳି ପ୍ରକାରର ଆପ୍ ସମ୍ବନ୍ଧରେ ଡେଭଲପର୍ସମାନଙ୍କ କହିବା କଥା ଯେ, ଏହା ଦ୍ବାରା ଲୋକଙ୍କୁ ଏହା ଜଣାପଡିବ ଯେ କାହିଁକି କିଛି ଲୋକଙ୍କଠାରେ କରୋନା ସଂକ୍ରମିତ ହେବାର ସମ୍ଭାବନା ଅଧିକ । ଏହା ବ୍ୟତୀତ ଏହି ସୂଚନା ମିଳିବ ଯେ କେଉଁ ଅଞ୍ଚଳରେ କରୋନା ଅଧିକ ବିସ୍ତାର ହୋଇଛି ଏବଂ ସାଧାରଣ ଥଣ୍ଡା କାଶରୁ ଏହା କିପରି ଭିନ୍ନ । ବର୍ତ୍ତମାନ ସମୟରେ ଆମେରିକା ମାର୍କେଟରେ ଅନେକ କରୋନା ଟ୍ରାକର୍ ଆପ୍ ଉପଲବ୍ଧ ରହିଛି । ଏଭଳି ପରିସ୍ଥିତିରେ ଏକ୍ସପର୍ଟମାନଙ୍କ କହିବା କଥା ଯେ, ସେଗୁଡିକ ଡାଉନଲୋଡ୍ କରିବା ସମୟରେ ଉପଭୋକ୍ତା ସତର୍କ ରହିବା ଆବଶ୍ୟକ ଯେ ସେମାନେ ସଠିକ୍ ଆପ୍ ଡାଉନଲୋଡ୍ କରୁଛନ୍ତି ।

ତେବେ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କଣ ଭାରତରେ ଏଭଳି ଏକ ଆପ୍ ରହିଛି ଯାହା କରୋନା ଭାଇରସ୍ ଉପରେ ଫୋକସ୍ କରୁଛି । ହଁ ଭାରତରେ ମଧ୍ୟ ଅନେକ ଆପ୍ ରହିଛି ଯାହାକି କୋଭିଡ-୧୯ ପାଇଁ ସ୍ବତନ୍ତ୍ର ଭାବରେ ଡିଜାଇନ୍ ହୋଇଛି । କର୍ଣ୍ଣାଟକ, ଗୁଜୁରାଟ, ପଞ୍ଜାବ ସମେତ ଅନେକ ରାଜ୍ୟରେ ଭିନ୍ନ ଭିନ୍ନ ଆପ୍ ଅଛି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ମଧ୍ୟ ଏକ ଆପ୍ ଉପରେ କାମ ଚାଲିଛି ଯାହା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ଗଲେ ଉପଭୋକ୍ତାଙ୍କୁ ଆଲର୍ଟ କରିଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.