କିଏ ଏଇ ଆଇଏଏସ ଅଫିସର ରାଜେନ୍ଦ୍ର ଭଟ୍ଟ : କରୋନା ଯୁଦ୍ଧକୁ ନେଇ ଚର୍ଚ୍ଚାରେ ତାଙ୍କ ଜିଲ୍ଲା

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ ୧୦/୦୪ : ପୁରା ଦେଶ କରୋନା ସଙ୍କଟ ଦେଇ ଗତି କରୁଛି | ଦେଶବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ସରକାର ଚିନ୍ତିତ ହୋଇପଡିଲେଣି | ଏଭଳି ସ୍ଥିତିରେ ରାଜସ୍ଥାନର ଭୀଲବାଡା ଜିଲ୍ଲାରେ କରୋନା ନିୟନ୍ତ୍ରଣାଧୀନ ଥିବା ନେଇ ଚର୍ଚ୍ଚା ହେଉଛି | କରୋନାରୁ ରକ୍ଷା ପାଇବା ପାଇଁ ଏଠାରେ ଆପଣେଇଥିବା ରୋଲ ମଡେଲକୁ ପୁରା ଦେଶରେ ଲାଗୁ କରିବା ପାଇଁ ବିଚାର କରାଯାଉଛି | ଏହି ମଡେଲ ଲାଗୁ କରିଥିବା ପାଇଁ ଜିଲ୍ଲାର ମାଜିଷ୍ଟ୍ରେଟ ରାଜେନ୍ଦ୍ର ଭଟ୍ଟଙ୍କ ପ୍ରଶଂସା କରୁଛନ୍ତି | କିଏ ଏଇ ଆଇଏଏସ ଅଫିସର ରାଜେନ୍ଦ୍ର ଭଟ୍ଟ ?

ରାଜେନ୍ଦ୍ର ଭଟ୍ଟ ୨୦୦୭ ବ୍ୟାଚ ରାଜସ୍ଥାନ କ୍ୟାଡରର ଆଇଏଏସ ଅଫିସର | ସେ ବର୍ତ୍ତମାନ ଭୀଲବାଡା ଜିଲ୍ଲା ମାଜିଷ୍ଟ୍ରେଟ ଅଛନ୍ତି | ରାଜେନ୍ଦ୍ର ଭଟ୍ଟ ଜଣେ ପିସିଏସ ଅଧିକାରୀ ଅଛନ୍ତି | ୨୦୦୭ ମସିହାରେ ତାଙ୍କୁ ଆଇଏଏସ ପଦୋନ୍ନତି କରାଯାଇଥିଲା |

ରାଜେନ୍ଦ୍ର ଭଟ୍ଟ ରାଜସ୍ଥାନ ଯୋଧପୁରରେ ଜନ୍ମ ହୋଇଛନ୍ତି | ତାଙ୍କ ବୟସ ୫୬ ବର୍ଷ | ଏହା ପୂର୍ବରୁ ମଧ୍ୟ ଜିଲ୍ଲାର ଗ୍ରାମୀଣ ବିକାଶକୁ ନେଇ ତାଙ୍କର ବହୁତ ପ୍ରଶଂସା କରିଥିଲେ | ଭୀଲବାଡା ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ନେଇ ବର୍ତ୍ତମାନ ତାଙ୍କର ଖୁବ ପ୍ରଶଂସା ହେଉଛି |

ସୂଚନାଯୋଗ୍ୟ ଯେ, ଭୀଲବାଡା ଜିଲ୍ଲାରେ ଯେତେବେଳେ କରୋନା ସଂକ୍ରମଣ ପ୍ରଥମ ମାମଲା ଆସିଥିଲା ସେତେବେଳେ ଦୁଇଦିନ ଭିତରେ ପ୍ରଶାସନ ସକ୍ରିୟ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଯାହାଫଳରେ କରୋନା ନିୟନ୍ତ୍ରଣରେ ରହିଥିଲା | ବର୍ତ୍ତମାନ ଭୀଲବାଡା ଜିଲ୍ଲାକୁ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସର୍ବୋତ୍ତମ ମଡେଲ ବୋଲି କୁହାଯାଉଛି | ଭୀଲବାଡାରେ ଅଧିକ ସଂଖ୍ୟାରେ ଲୋକଙ୍କ ପରୀକ୍ଷା କରାଯାଇଥିଲା | ସଂକ୍ରମିତଙ୍କୁ ତୁରନ୍ତ କ୍ଵାରେଣ୍ଟାଇନ କରାଯାଇଥିଲା | ରାଜସ୍ଥାନର ଭୀଲବାଡା ଜିଲ୍ଲା ସର୍ବ ପ୍ରଥମେ କରୋନା କେନ୍ଦ୍ର ସାଜିଥିଲା | ଏଠାରେ ଜଣେ ଡାକ୍ତର ସଂକ୍ରମିତ ହେବାପରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଯାଇଥିଲା | କିନ୍ତୁ ଏଠାରେ ଅତି ଶୀଘ୍ର ସଂକ୍ରମଣ ରୋକାଯାଇଥିଲା | ଯେଉଁଥିପାଇଁ କରୋନା ରୋଗୀଙ୍କ ସଂଖ୍ୟା ୨୭ ରେ ସୀମିତ ହୋଇ ରହିଗଲା |

କରୋନା ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ଜିଲ୍ଲାରେ କର୍ଫ୍ୟୁ ଜାରି କରି ଜିଲ୍ଲାର ସମସ୍ତ ସୀମା ସିଲ କରିଥିଲେ | ଜିଲ୍ଲାର ସମସ୍ତ ଘରୋଇ ହସ୍ପିଟାଲ ଓ ହୋଟେଲକୁ ମଧ୍ୟ ଜିଲ୍ଲା ପ୍ରଶାସନ ଟେକ ଓଭର କରିଥିଲେ | ଏହାସହ ଲକଡାଉନ ନିୟମ ମଧ୍ୟ ଶକ୍ତ ଭାବେ ଲାଗୁ କରାଯାଇଥିଲା | ଘର ଘର ବୁଲି ସ୍କ୍ରିନିଙ୍ଗ କରାଯାଇଥିଲା | ଜନପ୍ରତିନିଧି, ସାମ୍ବାଦିକ ତଥା ସାମାଜିକ ସଂଗଠନ ପ୍ରତିନିଧିଙ୍କୁ ମଧ୍ୟ ସହର ଭିତରକୁ ଆସିବାକୁ ଦିଆଯାଇନଥିଲା | କେବଳ ପୋଲିସ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଲୋକଙ୍କ ସହାୟତା କରୁଥିଲେ | ଏହା ଛଡା ଜିଲ୍ଲାର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ମଧ୍ୟ ଯୋଗଦାନ ରହିଛି |

ନିୟମ କଡାକଡି କରିବା ଯୋଗୁଁ ସଂକ୍ରମଣ ପ୍ରଭାବ ହ୍ରାସ ପାଇଥିଲା | ସଂକ୍ରମିତ ରୋଗୀ ମଧ୍ୟ ସୁସ୍ଥ ହୋଇଥିଲେ | ପ୍ରଶାସନ, ପୋଲିସ, ମେଡିକାଲ ଷ୍ଟାଫଙ୍କ ପ୍ରୟାସକୁ ଖୁବ ପ୍ରଶଂସା କରାଯାଇଥିଲା | ବର୍ତ୍ତମାନ ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ | ଭୀଲବାଡାରେ ଗତ ୧୭ ଦିନ ହେଲା କର୍ଫ୍ୟୁ ଜାରି କରାଯାଇଛି | ଏଠାରେ ୩ ହଜାର ପୋଲିସ ଓ ୧୨ରୁ ଅଧିକ ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.