ଛୋଟ ପିଲାଙ୍କ ଭଳି ଦେଖା ଯାଉଥିବା ଏହି ବ୍ୟକ୍ତିଙ୍କ ବୟସ ୩୪, ହୋଇପାରୁ ନାହିଁ ତାଙ୍କ ବାହାଘର
2/11/2019 at 12:51 PM

ନୂଆଦିଲ୍ଲୀ୨|୧୧: ସୁସ୍ଥ ଓ ସୁନ୍ଦର ଶରୀର ପାଇଁ ସମସ୍ତେ ଚେଷ୍ଟା କରନ୍ତି। ସେଥିଲାଗି ଧନୀ ବ୍ୟକ୍ତି ପାଣି ଭଳି ଟଙ୍କା ଖର୍ଚ୍ଚ କରି ଥାଆନ୍ତି। ଚୀନର ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ବୟସ ୩୪ ବର୍ଷ ହେଲେ ସେ ୧୩/୧୪ ବର୍ଷର ପିଲାଙ୍କ ଭଳି ଦେଖା ଯାଉଛନ୍ତି। ଅଧିକାଂଶ ବ୍ୟକ୍ତି ନିଜର ଯୁବକ ଅବସ୍ଥା ବଜାଇ ରଖିବା ପାଇଁ ଟଙ୍କା ଖର୍ଚ୍ଚ କରିଥାଆନ୍ତି। କିନ୍ତୁ ଏହି ବ୍ୟକ୍ତି ବିନା ଖର୍ଚ୍ଚରେ ନିଜର ଯୁବକ ଅବସ୍ଥା ବଜାଇ ରଖିଛନ୍ତି।
ଚୀନର ବୁହାନରେ ରହୁଥିବା ଏହି ବ୍ୟକ୍ତିଙ୍କ ନାଁ ଝୁ ଶେଙ୍ଗ୍କାଇ। ଝୁଙ୍କ ବୟସ ଅଧିକ ହେଲେ ତାଙ୍କ କଣ୍ଠ ଓ ସମ୍ପୂର୍ଣ୍ଣ ଶରୀର ୧୩/୧୪ ବର୍ଷ ବୟସର ପିଲାଙ୍କ ଭଳି ହୋଇଥାଏ। ତାଙ୍କ ମୁହଁରେ ନିଶ ଓ ଦାଢ଼ି ଏପର୍ଯ୍ୟନ୍ତ ଉଠି ନାହିଁ। ତାଙ୍କୁ ଜାଣି ନ ଥିବା ଅଧିକାଂଶ ଲୋକ ଝୁଙ୍କୁ ପିଲା ବୋଲି ଭାବନ୍ତି।
ଗୋଟିଏ କଥା ଲାଗି ଝୁଙ୍କ ମନରେ ଦୁଃଖ ରହିଛି। ତାଙ୍କ ସହ ପାଠ ପଢ଼ୁଥିବା ସାଙ୍ଗମାନେ ବିବାହ କରି ସାରିଲେଣି। କିନ୍ତୁ ଝୁଙ୍କ ଶରୀରର ପରିପକ୍ବ ନ ହେବାରୁ ତାଙ୍କ ବିବାହ ହୋଇ ପାରୁନାହିଁ। ଝୁଙ୍କ ବାପା-ମାଆଙ୍କ କହିବା ଅନୁସାରେ ଛୋଟବେଳେ ତାଙ୍କ ମୁଣ୍ଡରେ ଏକ ଗଭୀର ଆଘାତ ଲାଗିଥିଲା। ହେଲେ ସେହି ସ୍ଥାନରେ ରକ୍ତ ବାହାରି ନଥିଲା। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ମୁଣ୍ଡ ଯେଉଁ ସ୍ଥାନରେ ଆଘାତ ଲାଗିଥିଲା ସେହି ସ୍ଥାନରୁ ରକ୍ତ ନ ବାହାରି ରକ୍ତ ଜମାଟ ବାନ୍ଧିଥିବା କଥା ଡ଼ାକ୍ତର କହିଥିଲେ।
୯ ବର୍ଷ ବୟସରେ ଝୁଙ୍କ ମୁଣ୍ଡରେ ସର୍ଜରୀ କରି ରକ୍ତ ବାହାର କରି ଦିଆଯାଇଥିଲା। ସେବେ ଠାରୁ ଝୁ ଅନ୍ୟ ପିଲାଙ୍କ ଭଳି ବ୍ୟବହାର କରିଥିଲେ। କିନ୍ତୁ ତାଙ୍କ ବୟସ ବୃଦ୍ଧି ସହ ଶରୀରର ବିକାଶ ହୋଇ ହେଉ ନାହିଁ। ସେଥିଲାଗି ତାଙ୍କ ବିବାହରେ ବାଧା ସୃଷ୍ଟି ହେଉଛି। ଝୁ ସ୍ଥାନୀୟ ବଜାରରେ ଏକ ସେଲୁନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି।