‘ଆଜ କା ଅଭିମନ୍ୟୁ’ ରଚିଲେ ଇତିହାସ : ୧୨ବର୍ଷ ବୟସରେ ଲେଖିଲେ ୧୩୫ଟି ପୁସ୍ତକ
10/07/2019 at 6:16 PM

ଅଯୋଧ୍ୟା ୧୦/୭: ଉତ୍ତରପ୍ରଦେଶରେ ୧୨ବର୍ଷର ଜଣେ ବାଳକ ଧର୍ମ ଏବଂ ଜୀବନୀ ଭଳି ବିଷୟ ଉପରେ ଏବେ ଯାଏଁ ମୋଟ ୧୩୫ଟି ବହି ଲେଖିଛନ୍ତି। ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ମଧ୍ୟ ସାମିଲ ରହିଛି। ଏହି ବାଳକଙ୍କ ନାଁ ମୃଗେନ୍ଦ୍ର ରାଜ। ତାଙ୍କ କହିବାନୁସାରେ ସେ ୬ବର୍ଷ ବୟସରେ ବହି ଲେଖିବା ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ପୁସ୍ତକ କବିତା ସଂକଳନ ଥିଲା। ସେ ଲେଖକ ଭାବରେ ‘ଆଜ କା ଅଭିମନ୍ୟୁ’ ନାଁର ଉପଯୋଗ କରନ୍ତି। ତାଙ୍କ ନାଁରେ ମୋଟ ୪ଟି ରେକର୍ଡ଼ ରହିଛି। ସେ କହିଛନ୍ତି ସେ ରାମାୟଣର ୫୧ଟି ଚରିତ୍ରର ବିଶ୍ଲେଷଣ କରି ପୁସ୍ତକ ଲେଖିଛନ୍ତି।
ପ୍ରତ୍ୟେକ ପୁସ୍ତକରେ ପାଖାପାଖି ୨୫ରୁ ୧୦୦ଟି ପୃଷ୍ଠା ରହିଛି। ତାଙ୍କୁ ଲଣ୍ଡନ ସ୍ଥିତ ଓ୍ବାଲର୍ଡ଼ ୟୁନିଭର୍ସିଟି ଅଫ ରେକର୍ଡ଼ସରୁ ଡକ୍ଟରେଟ ପାଇଁ ଅଫର ମଧ୍ୟ ମିଳିଥିଲା। ସୁଲତାନପୁର ସ୍ଥିତ ଏକ ଘରୋଇ ସ୍କୁଲରେ ପଢ଼ାଉଥିବା ତାଙ୍କ ମାଆ କହିଛନ୍ତି ଯେ ତାଙ୍କ ପୁଅକୁ ପିଲାଦିନୁ ପଢ଼ିବାର ଆଗ୍ରହ ଥିଲା ଏବଂ ସେ ନିଜ ପୁଅଙ୍କୁ ପ୍ରୋତ୍ସାହିତ କରିଥିଲେ।
ମୃଗେନ୍ଦ୍ରଙ୍କ ବାପା ରାଜ୍ୟର ଚିନି ଉଦ୍ୟୋଗ ଏବଂ ଆଖୁ ବିକାଶ ବିଭାଗରେ କାମ କରନ୍ତି। ମୃଗେନ୍ଦ୍ରଙ୍କ କୁହନ୍ତି ସେ ବଡ଼ ହୋଇ ଜଣେ ଲେଖକ ହେବାକୁ ଚାହଁନ୍ତି ଏବଂ ବିଭିନ୍ନ ବିଷୟରେ ଅଧିକରୁ ଅଧିକ ପୁସ୍ତକ ଲେଖିବାକୁ ଚାହଁନ୍ତି।