କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୦୫: ଭାରତକୁ ଆଗାମୀ ସପ୍ତାହରେ  କରୋନା ଲଢେଇ ପାଇଁ ଭ୍ୟାକ୍ସିନ ରୂପେ ତୃତୀୟ ଅସ୍ତ୍ର ମିଳିବାକୁ ଯାଉଛି। ଆଗାମୀ ସପ୍ତାହରୁ ଭାରତରେ ରୁଷ ପ୍ରସ୍ତୁତି ସ୍ପୁଟନିକ୍-ଭି ଭ୍ୟାକ୍ସିନ ଉପଲବ୍ଧ ହୋଇପାରେ। ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଛନ୍ତି, ସ୍ପୁଟନିକ୍ ଭ୍ୟାକ୍ସିନ ଭାରତରେ ପହଞ୍ଚି ସାରିଛି। ଆଶା କରୁଛି ଆଗାମୀ ସପ୍ତାହରେ ଏହା ବଜାରରେ ଉପଲବ୍ଧ  ହୋଇଯିବ। ରୁଷରୁ ଭ୍ୟାକ୍ସିନର ଅନେକ ଟ୍ରିପ୍ ଆସିବାକୁ ଯାଉଛି। ଏପରିକି ଜୁଲାଇ ମାସରୁ ଭାରତରେ ସ୍ପୁଟନିକ୍ ଭିର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯିବ ବୋଲି ପଲ୍ କହିଛନ୍ତି।

ଭାରତରେ ସ୍ପୁଟନିକ୍ ଭ୍ୟାକ୍ସିନର ୧୫.୬ କୋଟି ଡୋଜ୍ ପ୍ରସ୍ତୁତ କରାଯିବ। ଦେଶରେ ଏ ପର୍ଯ୍ୟନ୍ତ ପ୍ରାୟ ୧୮ କୋଟି କରୋନା ଭ୍ୟାକ୍ସିନ ଦିଆଯାଇଛି। ଆମେରିକାରେ ସର୍ବାଧିକ ୨୬ କୋଟି ଲୋକଙ୍କ ଟିକାକରଣ ହୋଇ ସାରିଛି। ଟିକାକରଣ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି। ପଲ୍ କହିଛନ୍ତି, ଆମେ ଖୁସି ଯେ ଦେଶରେ ୪୫ ବର୍ଷରୁ ଅଧିକ ବର୍ଗର ଏକ ତୃତୀୟାଂଶ ଲୋକଙ୍କୁ କରୋନାର ସୁରକ୍ଷା କବଚ ଦିଆଯାଇଛି। ୪୫ ବର୍ଷ କିମ୍ବା ସେଥିରୁ ଅଧିକ ବୟସ୍କ ଲୋକଙ୍କ କରୋନାରେ ଅଧିକ ମୃତ୍ୟୁ ଘଟୁଥିଲା। ତେଣୁ ଏହି ଆୟୁର ବର୍ଗର ଲୋକଙ୍କ ଟିକାକରଣ ଜରୁରୀ ଥିଲା ବୋଲି ଭିକେ ପଲ୍ କହିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ଵାଲ କହିଛନ୍ତି, ଦେଶରେ ୧୮୭ ଜିଲ୍ଲାରେ କରୋନା କେସ୍‌ରେ ହ୍ରାସ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ, ଦିଲ୍ଲୀ ପରି ରାଜ୍ୟଗୁଡିକରେ ପଜିଟିଭ୍‌ହାର କମ ହୋଇଛି। ଏହା ବ୍ୟତୀତ ବିହାରରେ ମଧ୍ୟ ଅବସ୍ଥାରେ ସୁଧାର ଆସିଛି। ସଂକ୍ରିୟ କେସ୍ ସଂଖ୍ୟା ଏକ ଲକ୍ଷରୁ କମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.