ପାଖେଇ ଆସିଲାଣି ତୃତୀୟ ଲହର: ପର୍ଯ୍ୟଟନ ଓ ଧାର୍ମିକ ଯାତ୍ରାକୁ ନେଇ ଚେତାବନୀ ଜାରି କଲା ଆଇଏମଏ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୦୭ : ଦେଶର ଡାକ୍ତରଙ୍କ ଶୀର୍ଷ ସଂସ୍ଥା ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କରୋନା ଲଢେଇରେ କୌଣସି ପ୍ରକାର ଅବହେଳା ନ କରିବାକୁ ଅପିଲ କରିଛନ୍ତି। କରୋନାର ତୃତୀୟ ଲହର ପାଖେଇ ଆସିଲାଣି ବୋଲି ଆଇଏମଏ ଚେତାବନୀ ଦେଇଛି। ଏହି ସଙ୍କଟ ସ୍ଥିତିରେ ଦେଶର ବିଭିନ୍ନ ସ୍ଥାନରେ ଅଧିକାରୀ ଓ ଲୋକଙ୍କ ଅବହେଳାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆଇଏମଏ କହିଛି ଯେ ମେଡିକାଲ ବ୍ୟବସ୍ଥା ଓ ରାଜନୈତିକ ନେତୃତ୍ୱର ତମାମ ପ୍ରୟାସ ଯୋଗୁଁ ଦେଶ କରୋନାର ଘାତକ ଦ୍ୱିତୀୟ ଲହରରୁ ବାହାରି ପାରିଛି। ବିପଦ ଏବେ ବି ଟାଳିନାହିଁ। ସେଥିପାଇଁ କୌଣସି ପ୍ରକାର ଅବହେଳା କରିବା ଉଚିତ ନୁହେଁ।

ଆଇଏମଏର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଉପଲବ୍ଧ ବିଶ୍ୱ ସାକ୍ଷ୍ୟ ଓ ଯେ କୌଣସି ମହାମାରୀ ଇତିହାସକୁ ଦୃଷ୍ଟିରେ ରଖି କୁହାଯାଇପାରିବ ଯେ ତୃତୀୟ ଲହର ଅପରିହାର୍ଯ୍ୟ ଏବଂ ପାଖେଇ ଆସିଲାଣି। ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଦେଶର ଅଧିକାଂଶ ସ୍ଥାନରେ ସରକାର ଓ ଜନତା ଆତ୍ମସନ୍ତୁଷ୍ଟ ହୋଇଯାଇଛନ୍ତି ଏବଂ କୋଭିଡ ପ୍ରୋଟୋକଲ ପାଳନ ନ କରି ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଛନ୍ତି। ପର୍ଯ୍ୟଟନ, ଧାର୍ମିକ ଯାତ୍ରା ଓ ଧାର୍ମିକ ସମାରୋହ ଜରୁରୀ କିନ୍ତୁ ଏଥିପାଇଁ କିଛି ମାସ ଅପେକ୍ଷା କରାଯାଇପାରିବ। ଏହିସବୁ ଜାଗା ଖୋଲିବା ଏବଂ ଟୀକାକରଣ ବିନା ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେବା କରୋନାର ତୃତୀୟ ଲହର ବିସ୍ତାରର କାରଣ ପାଲଟିପାରେ। ଆଗାମୀ ୨-୩ ମାସ ଯାଏଁ କୌଣସି ବିପଦ ମୁଣ୍ଡେଇବା ଉଚିତ ନୁହେଁ।

ସୂଚନାଯୋଗ୍ୟ ଯେ, କରୋନା ମାମଲା ଲଗାତାର ହ୍ରାସ ପାଉଛି ଏବଂ ଦ୍ୱିତୀୟ ଲହର ପ୍ରଭାବ ମଧ୍ୟ କମ ହେଉଛି। ଏହାସହ ସୁସ୍ଥହାର ମଧ୍ୟ ବୃଦ୍ଧି ପାଉଛି। ଦେଶରେ ପ୍ରାୟ ୩ କୋଟି ଲୋକ କରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ସୁସ୍ଥହାର ୯୭.୨୨ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ପ୍ରାୟ ୪୦ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୭ ହଜାର ୧୫୪ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୭୨୪ ଜଣଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.