ସାମ୍ନାକୁ ଆସିଲା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ପରିଣାମ, ୮୧ ପ୍ରତିଶତ ଫଳପ୍ରଦ

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ ୦୩।୦୩: ଭାରତ ବାୟୋଟେକ୍  ବୁଧବାର ସ୍ଵଦେଶୀ ଭ୍ୟାକସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକଲ ଟ୍ରାଏଲର ପରିଣାମ ଜାରି କରିଛି। କମ୍ପାନୀ ଅନୁଯାୟୀ, ପରୀକ୍ଷଣରେ କୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ ରହିଛି। ଦେଶରେ କୋଭାକ୍ସିନକୁ ଟିକାକରଣ ଅଭିଯାନରେ ବ୍ୟବହାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମାର୍ଚ୍ଚ ୧ରେ ଏହି ଭ୍ୟାକସିନର ପ୍ରଥମ ଡୋଜ୍ ନେଇଛନ୍ତି।

ଜଣେ ବ୍ୟକ୍ତି ଦୁଇଟି ଡୋଜ୍‌ ନେବା ପରେ କରୋନାକୁ ବେଶ ଆରାମରେ ହରାଇ ପାରିବେ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୫ଟି ସହରରୁ ମୋଟ ୨୫,୮୦୦ ଲୋକ ସାମିଲ ହୋଇଥିଲେ। ଏମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗ୍ରୁପ୍‌କୁ ଟିକା ଓ ଅନ୍ୟ ଗ୍ରୁପ୍‌କୁ ପ୍ଲାସବୋ ଦିଆଯାଇଥିଲା । ପ୍ରଥମ ୪୩ଟି କେସ୍‌ର ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଛି।

ପ୍ଲାସବୋ ନେଇଥିବା ୩୬ ଜଣ ଓ କୋଭାକ୍ସିନ ଗ୍ରୁପ୍‌ରେ ଥିବା ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ କୋଭାକ୍ସିନ କରୋନା ବିରୋଧରେ ୮୦.୬% ଫଳପ୍ରଦ। ସେହିପରି ଟିକା ନେଇଥିବା ଲୋକଙ୍କ ଶରୀରରେ କରୋନାର କୌଣସି ସାଂଘାତିକ ଲକ୍ଷଣ ଦେଖାଯାଉ ନାହିଁ ।

ଭାରତ ବାୟୋଟେକ୍‌ର ଚେୟାରମ୍ୟାନ ଡ. କୃଷ୍ଣା ଇଲା କହିଛନ୍ତି, ଏହି ଭ୍ୟାକସିନ ପୁରୁଣା ଏବଂ ନୂତନ କରୋନା ଷ୍ଟ୍ରେନ୍ ପାଇଁ ମଧ୍ୟ ପ୍ରଭାବଶାଳୀ ଅଟେ। କୋଭାକ୍ସିନକୁ ୨ରୁ ୮ ଡିଗ୍ରୀ ମଧ୍ୟରେ ରଖା ଯାଇ ପାରିବ। ଭାରତ ବାୟୋଟକ କହିଛି, ସାରା ବିଶ୍ଵର ୪୦ ଦେଶ କୋଭାକ୍ସିନ ପ୍ରତି ରୁଚି ଦେଖାଇଛନ୍ତି।

ସୂଚନାଯୋଗ୍ୟ, ସଂପ୍ରତି ଦେଶରେ ଦୁଇଟି କମ୍ପାନୀର ଭ୍ୟାକସିନ ଲୋକଙ୍କ ପାଇଁ ଉପଲବ୍ଧ ହେଉଛି। ଗୋଟିଏ ହେଉଛି ଭାରତ ବାୟୋଟେକ୍ର କୋଭାକ୍ସିନ ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରେଜେନେକାର କୋଭିସିଲ୍ଡ। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଭ୍ୟାକସିନର ଉତ୍ପାଦନ ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ଵାରା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.