Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର : ୨୩ ରେ ୬ ଲୋକସଭା ଓ ୪୨ ବିଧାନସଭାରେ ଭୋଟ୍, ହେବିୱେଟଙ୍କ ଭିତରେ ବିଗ୍ ଫାଇଟ୍

21/04/2019 at 6:30 PM

ଭୁବନେଶ୍ବର ୨୧|୪: ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୯ ଲୋକସଭା, ୬୩ ବିଧାନସଭା ଲାଗି ମତଦାନ ସରିଛି । ୨୩ରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା, ୪୨ ବିଧାନସଭା ଲାଗି ଭୋଟ୍ ଗ୍ରହଣ ହେବ । ଏଥିଲାଗି ଆଜି ପ୍ରଚାର ଶେଷ ହୋଇଛି । ତେବେ ତୃତୀୟ ପର୍ଯ୍ୟାୟରେ କିଛି ଚର୍ଚ୍ଚିତ ଆସନ ଓ ପ୍ରାର୍ଥୀ ଥିବାରୁ ସୁପରହିଟ୍ ଫାଇଟ୍ ସମ୍ଭାବନା ରହିଛି ।

କଟକ, ଭୁବନେଶ୍ବର, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ।  ଏହା ଅଧୀନର ୪୨ ବିଧାନସଭା ପାଇଁ ୨୩ରେ ପଡ଼ିବ ଭୋଟ । ଏସବୁ ଆସନ ମଧ୍ୟରେ ଭୁବନେଶ୍ବର ଲୋକସଭା ସବୁଠାରୁ ବେଶୀ ଚର୍ଚ୍ଚାରେ । ଆଇଏଏସ – ଆଇପିଏସ ଟକ୍କର । ବିଜେପିରୁ ପୂର୍ବତନ ଆଇଏଏସ ଅପରାଜିତା ଷଡ଼ଙ୍ଗୀ, ବିଜେଡିରୁ ପୂର୍ବତନ ଆଇପିଏସ ଅରୂପ ପଟ୍ଟନାୟକ । ଏହି ଦୁହିଁଙ୍କୁ ନେଇ ରାଜଧାନୀ ରାଜନୀତି ବେଶ୍ ସରଗରମ ହୋଇଛି । କଂଗ୍ରେସ-ବାମ ମେଣ୍ଟର ବରିଷ୍ଠ ନେତା ଜନାର୍ଦ୍ଦନ ପତି ମଧ୍ୟ ପ୍ରଚାର ମୈଦାନରେ ବେଶ୍ ଝାଳ ବୁହାଇଛନ୍ତି ।

ଏହା ଅଧିନରେ ଥିବା ବିଧାନସଭା ଆସନରେ ଯେଉଁମାନଙ୍କ ଭାଗ୍ୟ ଭୋଟରଙ୍କ ହାତରେ ରହିଛି ସେମାନେ ହେଲେ ଭୁବନେଶ୍ବରରୁ ଅନନ୍ତ ଜେନା, ଜୟଦେବରୁ ଅରବିନ୍ଦ ଢାଲି।   ପୁରୀ ଲୋକସଭାରେ ବି ଏଥର ରୋଚକ ଲଢେଇ ଦେଖିବାକୁ ମିଳୁଛି । ବିଜେଡିର ପିନାକୀ ମିଶ୍ରଙ୍କ ସାମ୍ନା ଏଥର ହେଉଛି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ । ସମ୍ବିତଙ୍କ ଭିନ୍ନ ଧରଣର ପ୍ରଚାର ରଣନୀତି ପିନାକୀଙ୍କ ଚିନ୍ତା ବଢାଇଛି । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ବି ଲୋକଙ୍କ ନିକଟତର ହେବାକୁ ବେଶ୍ ଉଦ୍ୟମ କରିଛନ୍ତି । ଏହା ଅଧିନରେ ଆସୁଥିବା ୭ ବିଧାନସଭା ମଧ୍ୟରେ ବ୍ରହ୍ମଗିରିରେ ସଞ୍ଜୟଦାସବର୍ମା, ପୁରୀରେ ମହେଶ୍ବର ମହାନ୍ତି, ପିପିଲିରେ ପ୍ରଦୀପ ମହାରଥୀ ନିଜ ଲୋକପ୍ରିୟତାର ପରୀକ୍ଷା ଦେଉଛନ୍ତି।  

କଟକରେ ବିଜେଡିର ପାରମ୍ପରିକ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ଲାଗି ରାସ୍ତା ଏଥର ସହଜ ନୁହେଁ । ବିଜେପିରୁ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ କଂଗ୍ରେସରୁ ଭେଟେରାନ୍ ଲିଡର ପଞ୍ଚାନନ କାନୁନଗୋ ଏଥର ଲଢେଇ କରୁଛନ୍ତି । ସେହିପରି ଏହା ଅଧିନରେ ବିଧାନସଭା ମଧ୍ୟରେ ଦୁଇ ପୂର୍ବ ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ବାଳ ନିଜ ନିଜ ପୁଅଙ୍କୁ ନିର୍ବାଚନ ମୈଦାନକୁ ପଠାଇ ନିଜ ପତିଆରାର ପରୀକ୍ଷା ଦେଉଛନ୍ତି। ସେହିପରି କଟକବାରବାଟୀ ଦେବାଶିଷ ସାମନ୍ତରାୟ, ମହମ୍ମଦ ମୋକିମ, ସମୀର ଦେଙ୍କ ମଧ୍ୟରେ ଟକ୍କର ହେଉଛି।

ସେହିପରି ସମ୍ବଲପୁର ଲୋକସଭାରେ ଏଥର ବିଜେଡି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ଦେବଗଡ଼ ବିଧାୟକ ତଥା ରାଜ ପରିବାରର ନୀତେଶ ଗଙ୍ଗଦେବ ଓ କଂଗ୍ରେସରୁ ବରିଷ୍ଠ ନେତା ଶରତ ପଟ୍ଟନାୟକ ମୈଦାନରେ ଠିଆହୋଇଛନ୍ତି । ସମ୍ବଲପୁର ବିଧାନସଭାରେ ବିଜେଡିର ରାସେଶ୍ବରୀ ପାଣିଗ୍ରାହୀ ଓ ବିଜେପିର ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଲଢେଇରେ କଂଗ୍ରେସରୁ ଭିମସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କ ଏଣ୍ଟ୍ରି ମାହୋଲକୁ ସରଗରମ କରିଛି ।

 ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ ଢେଙ୍କାନାଳରେ ବି ବିଗ୍ ଫାଇଟର ସମ୍ଭାବନା । ବିଜେଡିରୁ ତଥାଗତ ସତପଥୀ ଲଢିବାକୁ ମନା କରିବା ପରେ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଏମପି ଟିକଟ ଦେଇଛି ଦଳ । ବିଜେପିରୁ ପୂର୍ବ ଥର ଭଳି ରୁଦ୍ର ନାରାୟଣ ପାଣି ମୈଦାନରେ ଅଛନ୍ତି। ଆଉ କଂଗ୍ରେସରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂଦେଓ ପ୍ରାର୍ଥୀ ହୋଇଛନ୍ତି ।

କେନ୍ଦୁଝର ଲୋକସଭା ଆସନରୁ ନୂଆ ଚେହେରା ଚନ୍ଦ୍ରାଣୀ ମୂର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ।  ବିଜେପିରୁ ପୁରୁଖା ନେତା ଅନନ୍ତ ନାଏକ ପୁଣି ପ୍ରାର୍ଥୀ ରହିଛି । ବିଗତ ବର୍ଷରେ ଦଳ ଏଠାରେ ସଂଗଠନକୁ ବି ବିସ୍ତାର କରିଛି । କଂଗ୍ରେସରୁ ଏଠାରୁ ଫକୀର ମୋହନ ନାଏକ ଲଢୁଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହା ଜିଲ୍ଲା ହୋଇଥିବା ବେଳେ ଘସିପୁରାରୁ ବି ସେ ଲଢୁଛନ୍ତି ଆଉ ସେଠାରେ ବଦ୍ରିପାତ୍ର ମଧ୍ୟ ନିଜ ଗଡ଼଼ ଜଗିବସିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଅଧିକାଂଶ ଚର୍ଚ୍ଚିତ ଚେହେରା ନିଜନିଜ ପରୀକ୍ଷା ଦେଉଛନ୍ତି ଯେଉଁମାନଙ୍କୁ ଭୋଟର ଆଗାମୀ ମଙ୍ଗଳବାର ଜବାବ ଜଣାଇବେ।

   Related Posts