ଓଡିଶା ଠିକାଦାର ବିଦ୍ୟୁତ ସଙ୍ଘର ବୈଠକ ଅନୁଷ୍ଠିତ, ଯୋଗଦେଲେ ୫ ଜିଲ୍ଲାର ପ୍ରତିନିଧି

Published By : Prameya-News7 Bureau | September 06, 2021 IST

ଚଣ୍ଡିଖୋଲ,୦୬/୦୯:   ଓଡିଶା ଠିକାଦାର ବିଦ୍ୟୁତ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଷାନ ପଣ୍ଡାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ବିଦ୍ୟୁତ ବିଭାଗର କାର୍ଯ୍ୟରତ ଠିକା କର୍ମଚାରୀ, ଠିକାଦାର, କଲେକ୍ସନ ଏଜେନ୍ସି ,ବିଲିଂ ଏଜେଣ୍ଟ, ବିଲିଂ କମ୍ପାନୀ, ସ୍ୱୟଂ ସହାୟକ ଗୋଷ୍ଠୀ, କାର୍ଯ୍ୟରତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଉଛେଦ  କରା ନ ଯିବା ପାଇଁ ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ବୈଠକରେ ଦାବି କରାଯାଇଛି । ୫ଟି ଜିଲାର ପ୍ରତିନିଧି ମଣ୍ଡଳୀ ୭ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଛି ।

ଏତତ୍ ବ୍ୟତୀତ ଟାଟା କମ୍ପାନୀ ପୂର୍ବରୁ ଏସବୁ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କୁ ହତାଶ କରିବା ଉଦ୍ଦେଶ୍ୟରେ ଉଦେଶ୍ୟମୂଳକ ଭାବେ ଅଧିକ ଅବଧି ଓ ଚୁକ୍ତି ରଖି ଟେଣ୍ଡର କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ସଙ୍ଘ କହିଛି ଯେ, ମୁଖ୍ୟତଃ ଟାଟା ପାୱାର ରାଜ୍ୟ ସରକାରଙ୍କ ନିୟମାବଳୀକୁ ଖୋଲାଖୋଲି ଭାବେ ଉଲଂଘନ କରୁଛି । ଏହାକୁ ପ୍ରତିବାଦ ଜଣାଇ ରାଜ୍ୟର ବିଭିନ୍ନ ଠିକାଦାର ମାନେ ଟାଟା ପାୱାର ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଯଦି ଟାଟା ପାୱାର ଆଗାମୀ ଦିନରେ ତାର ମନମାନି ଜାରି ରଖେ ତେବେ ଏହାକୁ ଦୃଢ ହସ୍ତରେ ଦମନ କରାଯିବ ।

ବୈଠକରେ ଯାଜପୁର ଜିଲ୍ଲା ବିଦ୍ୟୁତ ଠିକାଦାର ସଂଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଗୋପୀନାଥ ପତି, ଉପସଭାପତି ସୁନୀଲ ସିଂ, ସାଧାରଣ ସମ୍ପାଦକ ସଂଗ୍ରାମ ରାୟ, ସହ ସମ୍ପାଦକ ପ୍ରକାଶ ସ୍ୱାଇଁ, କୋଷାଧ୍ୟକ ପ୍ରକାଶ ନାୟକ ଓ ମିଡିଆ ସେଲ ସମ୍ପାଦକ ଦେବାଶିଷ ପରିଡା ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ କିଷାନ ପଣ୍ଡା, ଓ ରମେଶ ଭୂୟାଁ ମନୋନୀତ ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ରାପଡା ଜିଲାର ସଭାପତି ନୃସିଂହ ଚରଣ ଦାସ, ଯାଜପୁର ଜିଲ୍ଲାର ଶ୍ରଦ୍ଧାନନ୍ଦ ଦାସ,, ଯାଜପୁର ରୋଡର ଗିରିଧାରୀ ପ୍ରଧାନ,ସୁଧାଂଶୁ ଦେଓ, ପ୍ରଦୀପ ମହାନ୍ତି, ଜ୍ୟୋତି ରଞ୍ଜନ ସାମଲ,  ଓ ନିରଞ୍ଜନ ସାହୂ ଙ୍କ ସମେତ ଶତାଧିକ ବିଦ୍ୟୁତ ଠିକାଦାର ଓ କର୍ମଚାରୀ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.