ଚା’ ପିଇବାକୁ ଯାଇଥିଲେ ପୋଲିସ ବାବୁ, ଥାନା ଟ୍ରେଜେରୀରୁ ୨୫ ଲକ୍ଷ ନେଇଗଲେ ଚୋର

Published By : Prameya-News7 Bureau | October 18, 2021 IST

ଆଗ୍ରା ୧୮/୧୦ : କଥାରେ ଅଛି ଚୋର ଘରୁ ଚୋରି କିନ୍ତୁ ଏବେ ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ମିଳିଛି । ପୋଲିସ ଥାନାରୁ ଚୋରି । ଥାନାରେ କଳାକନା ବୁଲାଇ ଦେଇଛନ୍ତି ଚୋର । ଉତ୍ତର ପ୍ରଦେଶ ଆଗ୍ରାର ଜଗଦୀଶପୁରା ଥାନାର ମାଲଖାନାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏଭଳି ଖବର ଜଣାପଡିବା ପରେ ଉତ୍ତର ପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ମାଲଖାନା ଗୃହ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ କର୍ମଚାରୀ ଚା’ ପିଇବା ପାଇଁ ଯାଇଥିଲେ । ଫେରିବା ପରେ ସେଠାରୁ କିଛି ଜିନିଷ ଚୋରୀ ହୋଇଥିବା ସନ୍ଦେହ କରିଥିଲେ । ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଜବତ ହୋଇ ରଖାଯାଇଥିବା ୨୫ ଲକ୍ଷ ଟଙ୍କା ଚୋରି ହୋଇଯାଇଛି । ଘଟଣା ବାବଦ​‌ରେ ଉପରିସ୍ଥ ଅଧିକାରୀ ଜାଣିବା ପରେ ସିଟି ଏସ୍‌ପି ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଫରେନସିକ୍‌ ଟିମ ଏବଂ ଡଗ୍‌ କ୍କ୍ବାଡ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ମାମଲାର ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । ସେତେବେଳେ ଥାନାରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଏହା ସହିତ ଥାନା ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି ।

ଆଗ୍ରାର ସିଟି ଏସ୍‌ପି କହିବା ମୁତାବକ, ଥାନାର ମୁଖ୍ୟ ମୋହରିର୍‌ କିଛି ସମୟ ପାଇଁ ଚା ପିଇବା ପାଇଁ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ । ଫେରି ଦେଖିଲା ବେଳକୁ ଜଣାପଡିଥିଲା ଯେ, କିଛି ଜିନିଷ ଚୋରୀ ହୋଇଛି ଏବଂ ଯାଞ୍ଚ ପରେ ପ୍ରାୟ ୨୫ ଲକ୍ଷ ଟଙ୍କା ଚୋରି ହୋଇଯାଇଛି । ଚୋରି ଟଙ୍କା ଜବତ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ପୋଲିସ । ଏଥିପାଇଁ ଏକ ସ୍ବତନ୍ତ୍ର ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଜାରି ରହିଛି । ଏହା ସହିତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢଉ ଜାରି ରହିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.