ତାଲା ଭାଙ୍ଗି ଘରେ ପଶିଲା କିନ୍ତୁ କିଛି ମିଳିଲାନି, ଉପ ଜିଲ୍ଲାପାଳଙ୍କ ପାଇଁ ଚିଠି ଛାଡ଼ିଗଲା ଚୋର, ‘ଟଙ୍କା ନାହିଁ ଯଦି ତାଲା ପକାନ୍ତୁ ନାହିଁ’

Published By : Prameya-News7 Bureau | October 11, 2021 IST

ଭୋପାଳ ୧୧/୧୦: ଉପ ଜିଲ୍ଲାପାଳଙ୍କୁ ଚୋରର ଚିଠି । କଲେକ୍ଟର ସାହେବ ଘରେ ଯଦି ଟଙ୍କା ରଖୁନ ତେବେ ତାଲା କାହିଁକି ପକାଉଛ ବୋଲି ଚିଠିରେ ଲେଖିଯାଇଛି ଚୋର। ମଧ୍ୟପ୍ରଦେଶର ଦେବାସରେ ଜଣେ ଉପ ଜିଲ୍ଲାପାଳ ତ୍ରିଲୋଚନ ଗୌଡଙ୍କ ବାସଭବନରେ ଜଣେ ଚୋର ଚୋରି କରିବାକୁ ପହଞ୍ଚିଥିଲା। ଘରେ ତାଲା ଭାଙ୍ଗି ପଶିବା ପରେ ଚୋରକୁ ଚୋରି କରିବା ପାଇଁ ସେମିତି କିଛି ଜିନିଷ କିମ୍ବା ଟଙ୍କା ମିଳିନଥିଲା। ଏଥିରେ ବିରକ୍ତ ହୋଇ ଚୋର ଉପ ଜିଲ୍ଲାପାଳଙ୍କ ନାଁରେ ଏକ ଚିଠି ଛାଡ଼ି ଯାଇଥିଲା।

ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ଘରେ ଟଙ୍କା ନାହିଁ ତାଲା କାହିଁକି ପକାଉଛ, ଏମିତି କରିବା କଥା ନୁହେଁ ବୋଲି ଚୋର ଚିଠିରେ ଲେଖିଥିଲା। ଏହାକୁ ନେଇ ପୋଲିସ ଏ​‌ବେ ଅଜ୍ଞାତ ଚୋର ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି। ତ୍ରିଲୋଚନ ଗୌଡ ବର୍ତ୍ତମାନ ଦେବାସ ଜିଲ୍ଲାର ଖାତେଗାଓଁ ଏମଡିଏମ ଅଛନ୍ତି। ଗତ ୧୫ ଦିନ ହେଲା ସେ ନିଜର ଘରକୁ ଆସିନଥିଲେ।

ତ୍ରିଲୋଚନଙ୍କ ଘର ଥିବା ସ୍ଥାନ​‌ରେ ପ୍ରାୟତଃ ବଡ଼ ବଡ଼ ଅଧିକାରୀ ରହୁଛନ୍ତି। ଏହି ସ୍ଥାନରେ ପ୍ରାୟ ସମୟରେ ଚୋରି ହୋଇଥାଏ। ଏହାର ସୁଯୋଗ ନେଇ ଚୋର ଉପ ଜିଲ୍ଲାପାଳଙ୍କ ଘରେ ଚୋରି କରିବାକୁ ଆସିଥିଲା। ଉପ ଜିଲ୍ଲାପାଳଙ୍କ ଘରେ ଚୋରି କରିବାକୁ ପ୍ରୟାସ କରି କେବଳ ସେ ପୋଲିସକୁ ଆହ୍ବାନ କରିଛି ତାହା ନୁହେଁ ବରଂ ଛାଡ଼ିଯାଇଥିବା ଚିଠି ଏବେ ଚାଞ୍ଚଲ୍ୟ ଖେଳାଇଛି।

ଘରୁ ଖାଲି ହାତରେ ଫେରିବା ବେଳେ ଚୋର ଲେଖିଯାଇଛି, ‘ ଘରେ ଟଙ୍କା ରଖୁନ ଯଦି ତାଲା କାହିଁକି ଲଗାଉଛ କଲେକ୍ଟର।’ ଯେଉଁ ସ୍ଥାନରେ ତ୍ରିଲୋଚନ ଗୌଡ଼ଙ୍କ ଘର ଅଛି ତାର ୧୦୦-୨୦୦ ମିଟର ପରିଧିରେ ସାଂସଦ, ଏସପି, ଦେବାସ ଉପ ଜିଲ୍ଳାପାଳଙ୍କ ବାସଭବନ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.