ଚେନ୍ନାଇ ୧୮/୧୦: ଚୋରମାନଙ୍କ ଚୋରି କରିବା ଶୈଳୀ ବେଳେ ବେଳେ ଲୋକଙ୍କୁ ଚିନ୍ତାରେ ପକାଇଦିଏ। ଚୋରି କରିବାକୁ ଆସି ଏସି ଲାଗିଥିବାରୁ ଶୋଇପଡ଼ିଲା ଚୋର। ଏମିତି ଖବର ମଧ୍ୟ ଜାଣିଥିବେ। କିନ୍ତୁ ଆମେ ଏମିତି ଜଣେ ଚୋର ବିଷୟରେ ଜଣାଇବାକୁ ଯାଉଛି ଯିଏ ଭଗବାନଙ୍କୁ ଟାର୍ଗେଟ କରିବାକୁ ପଛାଇଲା ନାହିଁ।
ଚେନ୍ନାଇର ଏହି ଚୋରର କାରନାମା ସିସିଟିଭିରେ କଏଦ ହୋଇଛି। ଏବେ ତାର କାରନାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଚୋରଟି ଗୋଟିଏ ମନ୍ଦିରରେ ଦୁଇଟି ଦାନବାକ୍ସରୁ ଟଙ୍କା ଚୋରି କରିନେଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଚୋରି କରିବା ପୂର୍ବରୁ ଚୋରଟି ମନ୍ଦିରରେ ପୂଜା କରିଥିଲା।
ଭିଡିଓରୁ ଏମିତି ଲାଗୁଥିଲା ଯେମିତି ଚୋରଟି ଦାନବାକ୍ସ ଚୋରି କରିବା ପୂର୍ବରୁ ହାତଯୋଡ଼ି ପାର୍ଥନା କରୁଛି। ଯେମିତି ସହଜରେ ବାକ୍ସଟି ଭାଙ୍ଗିବ ଆଉ ସେ ସବୁତକ ଟଙ୍କା ନେବାରେ ସକ୍ଷମ ହୋଇପାରିବ। ତେବେ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ପୋଲିସ ଏକ ଫଟୋ ଜାରି କରି ଚୋର ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।