ଚୋର ନିଜେ ଫେରାଇବାକୁ ଆସିଲା ଶ୍ରୀରାମଙ୍କ ମୂର୍ତ୍ତି, ଜାଣନ୍ତୁ କ’ଣ କହିଲା
2/06/2019 at 5:53 PM

ଚୋରି ସାମଗ୍ରୀ ଧରି ଚୋରାଇଥିବା ସ୍ଥାନକୁ ପୁଣି ଚୋର ଫେରିବାର ଅର୍ଥ ବୁଝି ପାରୁଥିବେ ଆପଣ। ହେଲେ ସବୁ ବିପଦକୁ ମୁଣ୍ଡେଇ ଯେଉଁଠୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତିକୁ ଚୋରେଇଥିଲା ପୁଣି ସେହି ଠାରେ ନେଇ ପହଞ୍ଚାଇଛି ଚୋର । ଏଭଳି ଅଭାବନୀୟ ଘଟଣା ଘଟିଛି ଅଯୋଧ୍ୟା ଯୁଗଲ ମାଧୁରୀକୁଞ୍ଜ ମନ୍ଦିରରେ। ମୂର୍ତ୍ତିକୁ ଚୋର ପୂଜାରୀଙ୍କୁ ସମର୍ପଣ କରିବା ପରେ ତାକୁ ପୋଲିସ ଜିମା ଦେଇଦିଆଯାଇଛି। ମୂର୍ତ୍ତି ଚୋର ଅଜୟ ଶୁକ୍ଲ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଗୋଣ୍ଡା ଜିଲ୍ଲାର ବୋଲି ପୋଲିସ କହିଛି।

ମେ ୨୭ ତାରିଖ ଦିନ ଦ୍ବିପ୍ରହରରେ ରାଜଜନ୍ମଭୂମି ନିକଟବର୍ତ୍ତି ଯୁଗଲ କୁଞ୍ଜରୁ ଶ୍ରୀରାମଚନ୍ଦ୍ରଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସର ପାରିବା ପଣିହାକୁ ପ୍ରତି ଅଙ୍ଗୁଳି ନିର୍ଦେଶ କରିଥିଲା। ତଥାପି ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିବା ସହ ମାମଲାର ତଦନ୍ତ ଚଳାଇଥିବା ବେଳେ ଘଟିଛି ଆଶ୍ଚର୍ଯ୍ୟ। ମନ୍ଦିରରୁ ମୂର୍ତ୍ତି ଚୋରାଇଥିବା ଚୋର ନିଜେ ମୂର୍ତ୍ତି ସହ ମନ୍ଦିରରେ ପହଞ୍ଚି ପୂଜକଙ୍କୁ ସମର୍ପଣ କରିଛି। ମୂର୍ତ୍ତି ମିଳିଯିବା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଖେଳିଯାଇଥିବା ବେଳେ ମୂର୍ତ୍ତି ଫେରାଇବା ନେଇ ଚୋର ଯାହା କହିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅଜୟ ମୂର୍ତ୍ତି ଚୋରାଇ ନେବା ପରେ ତା ସହିତ ଘଟିଥିବା ପ୍ରତ୍ୟେକ ଘଟଣା ଲୋକଙ୍କୁ କହିଛି। ମୂର୍ତ୍ତିଟିକୁ ସେ ମାତ୍ର ୫ ଦିନ ହିଁ ପାଖରେ ରଖିପାରିଥିଲା। ତା ସହିତ ଘଟୁଥିବା ଘଟଣାରୁ ସେ ଏତେ ଭୟଭୀତ ହୋଇପଡିଥିଲା ଯେ ମୂର୍ତ୍ତିକୁ ଆଣି ପୁଣି ମନ୍ଦିରକୁ ଫେରାଇଦେବା ହିଁ ଉଚିତ ମଣିଥିଲା। ଏବେ ମୂର୍ତିକୁ ପୁଣି ମନ୍ଦିରରେ ସ୍ଥାପିତ କରାଯିବ ତେବେ ପୋଲିସ ଅଜୟକୁ ଗିରଫ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।