ନୂଆବର୍ଷରେ ବଦଳିଲାନାହିଁ ଚୋରର ଭାଗ୍ୟ, ଏତେ ବଡ଼ ପୋଷ୍ଟ ଅଫିସରେ ମାତ୍ର ଏତିକି…
1/01/2020 at 11:48 AM

ନୂଆଦିଲ୍ଲୀ ୧।୧: ବିଚରା ଚୋର । ନୂଆ ବର୍ଷରେ ଭାଗ୍ୟ ବଦଳିଯିବ ବୋଲି ନେଇଥିଲା ଏକ ବଡ ରିସ୍କ । କଷ୍ଟ କରି କାନ୍ଥ କଣା କଲା, ଆଇରନ ଚେଷ୍ଟ ଭାଙ୍ଗିଲା । କିନ୍ତୁ ତା ଭିତରୁ ଯାହା ମିଳିଲା , ସେଥିରେ ତା ହୋସ୍ ଉଡିଗଲା ଭଳି ଅବସ୍ଥା ହେଲା । ଏତେ ବଡ଼ ପୋଷ୍ଟ ଅଫିସ , ତା ପୁଣି କ୍ୟାପିଟାଲରେ , ଅଥଚ ସେଠି ବି ଟ୍ରେଜେରୀ ଭିତରେ ମାତ୍ର ଏତିକି ଟଙ୍କା ? ପୂର୍ବଦିଲ୍ଲୀରେ ଘଟିଛି ଏହି ଘଟଣା ।
ଜଣେ ଅଜ୍ଞାତ ଚୋର ପୂର୍ବଦିଲ୍ଲୀରେ ଥିବା ପୋଷ୍ଟ ଅଫିସର କାନ୍ଥ କଣା କରି ପଶିଥିଲା ୩୦ ତାରିଖ ରାତିରେ । ବଡ ପୋଷ୍ଟ ଅଫିସରେ ପୁଳାପୁଲା ଟଙ୍କା ଥିବ, ଆଉ ତା ଭାଗ୍ୟ ବଦଳିଯିବ । ଏହି ଆଶାରେ ବହୁ କଷ୍ଟ କରି କାନ୍ଥ କଣା କରିଥିଲା । ତାପରେ ପୋଷ୍ଟ ଅଫିସର ପଶି ସେ କ୍ୟାସ୍ ଟ୍ରେଜେରି ବି ତାଡିଲା । କିନ୍ତୁ ସେଥିରୁ ପାଇଲା ମାତ୍ର ୪୮୭ ଟଙ୍କା । ଏତେ ବଡ ପୋଷ୍ଟ ଅଫିସ, ଏତେ ବଡ କ୍ୟାଶ୍ ଟ୍ରେଜେରି, କିନ୍ତୁ ମିଳିଲା ମାତ୍ର ଏତିକି ଟଙ୍କା । ବିଚରା ଚୋର । କିନ୍ତୁ ଚୋର ଟିର ଭାଗ୍ୟ ତ ଖରାପ ଥିଲା । ତା ଭାଗ୍ୟରେ ଅଧିକ ଟଙ୍କା ଲେଖା ନଥିଲା ବୋଲି ପାଇଲାନି ସେ । କାରଣ କ୍ୟାଶ୍ ଟ୍ରେଜେରୀ ପାଖରେ ଏକ ବ୍ୟଗ୍ରେ ୫ ହଜାର ଟଙ୍କା ଥିଲା । କିନ୍ତୁ ତାହା ଜାଣିପାରିନଥିଲା ଅଜ୍ଞାତ ଚୋର । ସେ ସେହି ବ୍ୟାଗ୍କୁ ଛୁଇଁ ନଥିବା କହିଛନ୍ତି ତଦନ୍ତକାରୀ ତଥା ସହଦାରା ଜିଲ୍ଲାର ସହକାରୀ ପୋଲିସ କମିଶନର ଅମିତ ଶର୍ମା ।
ଅଜ୍ଞାତ ଚୋରର ପତ୍ତା ନମିଳିଥିଲେ ବି ,ସେ ଜଣେ ପତଳା ଲୋକ କିମ୍ବା କମ୍ ବୟସର ପିଲା ବୋଲି ସନ୍ଦେହ କରୁଛି ପୋଲିସ । କାରଣ ପୋଷ୍ଟ ଅଫିସର କାନ୍ଥରେ ହୋଇଥିବା କଣାର ଚଉଡା ୨ ଫୁଟ ଓ ଲମ୍ବ ୧ ଫୁଟ । ପୋଷ୍ଟ ଅଫିସ ଟି ସଂଧ୍ୟା ସାଢେ ୫ ପରେ ବନ୍ଦ ପରେ ହିଁ ଚୋର ସେଠାରେ ଚୋରି ଉଦ୍ୟମ କରିଥିଲା । କାରଣ ସକାଳ ୮ଟା ୩୦ ମିନିଟରେ ସହକରାରୀ ପୋଷ୍ଟ ମାଷ୍ଟର ଆସି ଅଫିସ ଖୋଲିବା ପରେ କାନ୍ଥ କଣା ହୋଇଥିବା ଦେଖିବାକୁ ପାଇଥିଲେ ।ଚୋରି ଘଟଣାଟି ନେଇ ଯେତିକି ଚର୍ଚ୍ଚା, ଚୋର ଟିର ଭାଗ୍ୟକୁ ନେଇ ତାଠୁ ବେଶି ଆଲୋଚନା । କାରଣ ମାତ୍ର ୪୮୭ ଟଙ୍କା ପାଇ ଥିବା ଚୋର ଟି ଆଇରନ ଚେଷ୍ଟ ପାଖରେ ଥିବା ୫ ହଜାର ଟଙ୍କାର କଏନ ବ୍ୟାଗ୍କୁ ନଛୁଇଁବା ହିଁ ଆଶ୍ଚର୍ଯ୍ୟ ହେବାର କାରଣ।