୪୦୦ରୁ କମ୍ ଟଙ୍କାରେ ହେବ କରୋନାର ରାପିଡ୍ ଟେଷ୍ଟ ! ଏହି ଦୁଇଟି କମ୍ପାନୀ ପ୍ରସ୍ତୁତ କଲେ କିଟ୍

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୮।୪: ଦେଶରେ କରୋନା ପରୀକ୍ଷଣକୁ ତ୍ବରାନ୍ବିତ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ପବ୍ଲିକ ସେକ୍ଟର କମ୍ପାନୀ HLL ଲାଇଫ୍ କେୟାର ଏବଂ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି (RGCB) ଏପରି ରାପିଡ୍ ଟେଷ୍ଟ କିଟ୍ ବିକଶିତ କରିଛନ୍ତି ଯେଉଁଥିରେ ମାତ୍ର ୩୫୦ରୁ ୪୦୦ ଟଙ୍କାରେ ପରୀକ୍ଷଣ କରାଯାଇପାରିବ ।

HLL ଲାଇଫ୍ କେୟାର ଲିମିଟେଡ୍ ର ଥିରୁଅନନ୍ତପୁରମ୍ ରେ ମୁଖ୍ୟାଳୟ ରହିଛି । ଯାହା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ । ଅନ୍ୟପକ୍ଷରେ, ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି (RGCB) କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏକ ଜାତୀୟ ଅନୁଷ୍ଠାନ । କରୋନା ସଂକ୍ରମଣକୁ ଚିହ୍ନିବା ପାଇଁ ଉଭୟ ଅଲଗା ଅଲଗା ରାପିଡ୍ ଡାଇଗ୍ନୋଷ୍ଟିକ୍ ଆଣ୍ଟିବଡି କିଟ୍ ବିକଶିତ କରିଛନ୍ତି ।

HLL 'ମେକ୍ ସ୍ୟୁର୍' ନାମକ ଏକ କିଟ୍ ପ୍ରସ୍ତୁତ କରିଛି ଯାହାକି ରୋଗୀର ସେରମ୍, ପ୍ଲାଜମା କିମ୍ବା ରକ୍ତ ନେଇ ନୋଭେଲ୍ କରୋନା ଭାଇରସ୍ (COVID-19) IgM / IgG ଆଣ୍ଟିବଡି ଚିହ୍ନଟ କରିପାରିବ । HLL ର କିଟ୍ ହରିୟାଣାର ମାନସର ସ୍ଥିତ କାରଖାନାରେ ପ୍ରସ୍ତୁତ କରାଯାଇଛି ଏବଂ NIV ପୁଣେ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ବାରା ଭାରତରେ ଏହାକୁ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି ।
HLL ହେଉଛି ପ୍ରଥମ ସାର୍ବଜନୀନ କମ୍ପାନୀ ଯିଏ କୋଭିଡ୍-୧୯ ରାପିଡ୍ ଆଣ୍ଟିବଡି କିଟ୍ ଉତ୍ପାଦନ ଏବଂ ଯୋଗାଣ ପାଇଁ ICMRରୁ ଅନୁମୋଦନ ପାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଡାକ୍ତରଖାନା ଏବଂ ପରୀକ୍ଷା କେନ୍ଦ୍ରକୁ ଏହିପରି ୨ ଲକ୍ଷ କିଟ୍ ବିତରଣ କରିବାକୁ କମ୍ପାନୀ ଯୋଜନା ରଖିଛି ।

କରୋନା ଉପରେ ଅଙ୍କୁଳ ଲଗାଇବା ପାଇଁ ଏହା ଜରୁରୀ ଯେ, କରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ ଡାକ୍ତରଖାନାଗୁଡିକ ଉପଯୁକ୍ତ ସଂଖ୍ୟକ କିଟ୍ ପାଇବା ଉଚିତ୍, କିନ୍ତୁ ସେଗୁଡିକର ଅଭାବ ରହିଛି ।

ସେହିଭଳି RGCB କିଟ୍ ମଧ୍ୟ ଏଇ ସପ୍ତାହରେ ICMR ଅନୁମୋଦନ ପାଇପାରେ । ଏହା RGCBର କୋଚି କ୍ୟାମ୍ପସରେ ଆରମ୍ଭ ହୋଇଥିବା ଏକ କମ୍ପାନୀ ଓବିଓ ବାୟୋଟେକ୍ନୋଲୋଜି ଦ୍ବାରା ବିକଶିତ ହୋଇଛି । ପ୍ରତିଷ୍ଠାନ ପ୍ରତିଦିନ ପ୍ରାୟ ୨ ଲକ୍ଷ କିଟ୍ ତିଆରି କରିବାକୁ ଯୋଜନା କରିଛି ଏବଂ ଗୋଟିଏ ମାସରେ ୬୦ ଲକ୍ଷ କିଟ୍ ତିଆରି କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.