ଲର୍ଡ୍ସ ୦୫।୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲାକୁ ଆଉ କେଇ ଦିନ ବାକି ରହିଛି। ଅନ୍ୟପଟେ କିଓ୍ଵି ଦଳ ବର୍ତ୍ତମାନ ଘରୋଇ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳୁଛି। ଏହାର ପ୍ରଥମ ମୁକାବିଲା ଲର୍ଡ୍ସ ପଡିଆରେ ଖେଳା ଯାଉଛି। ପ୍ରଥମ ଇନିଂସରେ ୩୭୮ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଦଳ ଇଂରେଜ ବ୍ୟାଟସମ୍ୟାନଙ୍କୁ ୨୭୫ ରନରେ ଅଲଆଉଟ୍ କରିଛନ୍ତି। ଦଳ ପକ୍ଷରୁ ଟିମ୍ ସାଉଦି ଏବଂ କାଇଲ ଜେମିସନ ଶାଣିତ ବୋଲିଂ କରି ମୋଟ୍ ୯ ଓ୍ଵିକେଟ୍ ନେଇ ଇଂଲଣ୍ଡ ଇନିଂସକୁ ୩୦୦ ଭିତରେ ସୀମିତ ରଖିଛନ୍ତି। ସାଉଦି ଓ ଜେମିସନଙ୍କ ଏହି ପ୍ରଦର୍ଶନ ଇଂଲଣ୍ଡରେ ଥିବା ଭାରତୀୟ ବ୍ୟାଟସମ୍ୟାନଙ୍କ ନିଦ ଉଡାଇ ଦେବ।
ଟିମ୍ ସାଉଦି ଶାଣିତ ବୋଲିଂ କରି ୨୫.୧ ଓଭରରେ ମାତ୍ର ୪୩ ରନ ଦେଇ ୬ ଓ୍ଵିକେଟ୍ ନେଇଛନ୍ତି। ସେ ଲର୍ଡ୍ସ ମଇଦାନରେ ଦ୍ଵିତୀୟ ଥର ପାଞ୍ଚ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେଇଛନ୍ତି। ତାଙ୍କୁ ଉପଯୁକ୍ତ ସହାୟତା ଦେଇ କାଇଲ ଜେମିସନ ୮୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ସାଉଦି ଏବଂ ଜେମିସନଙ୍କ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କେବଳ ରୋରି ବନର୍ସ ହିଁ କିଓ୍ଵି ବୋଲରଙ୍କ ମୁକାବିଲା କରି ୧୩୨ ରନର ଦମଦାର ଇନିଂସ ଖେଳିଛନ୍ତି। ସାଉଦି ବନର୍ସଙ୍କୁ ଆଉଟ୍ କରି ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ।
ଭାରତ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡର ମୁକାବିଲା କରିବ। ଏମିତିରେ ଟିମ୍ ଇଣ୍ଡିଆର ନଜର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍ ଉପରେ ନିଶ୍ଚୟ ରହିବ। ସାଉଦି ଓ ଜେମିସନ ଯେମିତି ବୋଲିଂ କରିଛନ୍ତି, ଭାରତୀୟ ବ୍ୟାଟସମ୍ୟାନ ନିଶ୍ଚୟ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରୁଥିବେ।