ବ୍ୟାଙ୍କ ପରେ ଏବେ ବୀମା କମ୍ପାନୀଙ୍କ ପାଳି, ଏହି ୩ ବୀମା କମ୍ପାନୀର ହେବ ମର୍ଜର
18/11/2019 at 5:55 PM

ନୂଆଦିଲ୍ଲୀ : ଦେଶରେ ବ୍ୟାଙ୍କ ବିଲୟ ପରେ ଏବେ ମୋଦି ସରକାର ସରକାରୀ ବୀମା କମ୍ପାନୀଙ୍କ ବିଲୟ ଦିଗରେ କାର୍ଯ୍ୟ କରୁଥିବାର ଜଣାପଡିଛି। ସରକାରୀ କ୍ଷେତ୍ରର ଏହି ସବୁ କମ୍ପାନୀମାନଙ୍କର ଆର୍ଥିକ ସ୍ଥିତିକୁ ଦେଖି ଏବେ ଏଭଳି ପଦକ୍ଷେପ ନିଆଯିବ। ମର୍ଜର ପରେ ଏହି କମ୍ପାନୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିପାରେ ବୋଲି ଏବେ ସରକାର ଆଶାବ୍ୟକ୍ତ କରୁଛନ୍ତି। ସଂସଦର ଗତ ବଜେଟ୍ ଅଧିବେଶନ କାଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏ ନେଇ ସଙ୍କେତ ମଧ୍ୟ ଦେଇଥିଲେ।

ତେବେ ଯେଉଁ ସବୁ ବୀମା କମ୍ପାନୀଙ୍କର ବିଲୟ ହେବ ସେଗୁଡିକ ହେଉଛି ନ୍ୟାସନାଲ ଇନସ୍ୟୋରାନ୍ସ କମ୍ପାନୀ ଲିମିଟେଡ, ୟୁନାଇଟେଡ ଇଣ୍ଡିଆ ଇନସ୍ୟୋରାନ୍ସ କମ୍ପାନୀ ଲିମିଟେଡ ଏବଂ ଓରିଏଣ୍ଟଲ ଇନସ୍ୟୋରେନ୍ସ କମ୍ପାନୀ ଲିମିଟେଡ। ଦୁର୍ବଳ ଆର୍ଥିକ ପରିସ୍ଥିତି ଯୋଗୁ ଏହି କମ୍ପାନୀମାନେ ଏବେ ବଜାରରେ ପ୍ରତିଯୋଗୀତା କରିବା ଅବସ୍ଥାରେ ନାହାନ୍ତି। ଏଣୁ କିଛି ଦିନ ପୂର୍ବରୁ ଏହି ପିଏସୟୁମାନେ ସରକାରଙ୍କୁ ଆର୍ଥିକ ସହାୟତା ନିମନ୍ତେ ନିବେଦନ କରିଥିଲେ। ସେମାନଙ୍କର ବର୍ତ୍ତମାନର ବାଲାନ୍ସ ସିଟ୍ ଦେଖିଲେ ସେମାନଙ୍କ ଲାଗି ତତ୍କାଳ ପୁନରପୁଞ୍ଜିକରଣର ଆବଶ୍ୟକତା ରହିଥିବାର ସ୍ପଷ୍ଟ ଜାଣିହେଉଛି।

ତେବେ ସରକାରଙ୍କ ୨୦୧୯-୨୦ ବର୍ଷ ବଜେଟରେ ବୀମା କମ୍ପାନୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ କୌଣସି ଆର୍ଥିକ ପ୍ରାବଧାନ କରିନାହାନ୍ତି। ଏଣୁ ବୀମା କମ୍ପାନୀମାନଙ୍କୁ ସହାୟତା ନିମନ୍ତେ ଏବେ ଆର୍ଥିକ ସେବା ବିଭାଗ (ଡିଏଫଏସ୍)ଙ୍କୁ ୧୨ ହଜାର କୋଟି ଟଙ୍କାର ସପ୍ଲିମେଣ୍ଟ ସହାୟତା ନେବାକୁ ପଡିବ।