ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍‌ରୁ ବାଦ୍ ପଡିଛନ୍ତି ଏହି ୩ ଖେଳାଳି, ପୁଣି ଥରେ ଟିମ୍‌ରେ ସାମିଲ ହେବା ଆଶଙ୍କା

Published By : Prameya-News7 Bureau | July 23, 2019 IST

ନୂଆଦିଲ୍ଲୀ ୨୩|୭: ବିସିସିଆଇ ଚୟନକର୍ତ୍ତା ଟିମ୍ ରବିବାର ଦିନ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ତିନୋଟି ଫର୍ମାଟରେ ଭାରତୀୟ ଟିମ୍ ଚୟନ କରିସାରିଛନ୍ତି । ଏହି ଟିମ୍ ରେ କେତେକ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଥିବାବେଳେ କେତେକ ଖେଳାଳି ଟିମରୁ ବାଦ୍ ପଡିଛନ୍ତି  । ଟିମ୍ ରୁ ବାଦ୍ ପଡିଥିବା ଖେଳାଳିଙ୍କ ମଧ୍ୟରେ ବହୁ ବଡ ବଡ ଖେଳାଳିଙ୍କ ନାଁ ମଧ୍ୟ ସାମିଲ ଅଛି । ଫଳରେ ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି । ଏହି ଟିମ୍ ରୁ ବାଦ୍ ପଡିଥିବା ଖେଳାଳିମାନଙ୍କ ପାଇଁ ପୁଣି ଟିମ୍ କୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । କାରଣ ଶୁଭମନ ଗିଲ୍, ଋତୁରାଜ ଗାଇକ୍ବାର୍ଡ, ଅଭିମନ୍ୟୁ ଇଶ୍ବରନ୍ ଏବଂ ଶ୍ରୀକର ଭରତଙ୍କ ଭଳି ଯୁବ ଖେଳାଳି ମଧ୍ୟ ଟିମ୍ ରେ ସାମିଲ ହେବା ପାଇଁ ଚେଷ୍ଟାରେ ଅଛନ୍ତି ।

ଭାରତୀୟ ଟିମ୍ ରୁ ଯେଉଁ ତିନି ଜଣ ଖେଳାଳି ବାଦ୍ ପଡିଛନ୍ତି ସେମାନଙ୍କ ମଧ୍ୟରେ ଦୁଇ ଜଣ ଓ୍ବିକେଟ୍ କିପର ସହ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ପାର୍ଥିବ ପଟେଲ, ଦୀନେଶ କାର୍ତ୍ତିକ ଏବଂ ମୁରଲୀ ବିଜୟଙ୍କ ନାଁ ଏଥିରେ ସାମିଲ ଅଛି । ଯେଉଁମାନେ ଟପ୍ ଅର୍ଡରରେ ବ୍ୟାଟିଂ କରିଥାନ୍ତି । ଏହି ଖେଳାଳିମାନଙ୍କର ବର୍ତ୍ତମାନର ଫର୍ମ ଏବଂ ବୟସ ଦେଖି ଏକଥା ସ୍ପଷ୍ଟ ଯେ, ଏବେ ଏହି ଖେଳାଳିମାନଙ୍କୁ କେବେ ଭାରତୀୟ ଜର୍ସି ପିନ୍ଧି ଖେଳିବାର ଦେଖିବାକୁ ମିଳିନପାରେ ।

ଦୀନେଶ କାର୍ତ୍ତିକ :

{"id":136481,"width":578,"height":433}

ଏକଦିବସୀୟ କ୍ରିକେଟ୍ ଏବଂ ଟି୨୦ କ୍ରିକେଟ୍ ଟିମ୍ ରେ ନିୟମିତ ଖେଳୁଥିବା ଦୀନେଶ କାର୍ତ୍ତିକଙ୍କୁ ଏବେ ଚୟନକର୍ତ୍ତା ଟିମ୍ ରୁ ବାଦ୍ ଦେଇଛନ୍ତି । ଦୀନେଶ କାର୍ତ୍ତିକ ୨୦୧୯ ବିଶ୍ବକପ୍ ରେ ମଧ୍ୟ ଭାରତୀୟ ଟିମ୍ ରେ ସାମିଲ ଥିଲେ । ବିଶ୍ବକପ୍ ରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି ଦୀନେଶ । ସେ ୩ଟି ମ୍ୟାଚ୍ ଖେଳି ମାତ୍ର ୧୪ ରନ୍ ସଂଗ୍ରହ କରିପାରିଥିଲେ ।

ଦୀନେଶ କାର୍ତ୍ତିକ ଭାରତୀୟ ଟିମ୍ ପାଇଁ ଏପର୍ଯ୍ୟନ୍ତ ୯୪ ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୩୦.୨୧ ରନ୍ ରେଟ୍ ହିସାବରେ ୧୭୫୨ ରନ୍ ସଂଗ୍ରହ କରିପାରିଛନ୍ତି । ଏବେ ଦୀନେଶ କାର୍ତ୍ତିକଙ୍କୁ ପୁଣି ଥରେ ଭାରତୀୟ ଟିମ୍ ରେ ସ୍ଥାନ ମିଳିବା ନେଇ ଆଶଙ୍କା କରାଯାଉଛି । ଦୀନେଶ କାର୍ତ୍ତିକଙ୍କ ବୟସ ୩୪ ବର୍ଷ । ଏଥିପାଇଁ କାର୍ତ୍ତିକଙ୍କୁ ପୁଣି ଭାରତୀୟ ଜର୍ସିରେ ଦେଖିବା କଷ୍ଟସାଧ୍ୟ ବୋଲି ଆଶଙ୍କା କରାଯାଉଛି ।

ପାର୍ଥିବ ପଟେଲ :

{"id":136482}

ଟେଷ୍ଟ ଟିମ୍ ରୁ କେତେବେଳେ ବାଦ୍ ପଡୁଥିବାବେଳେ ପୁଣି କେତେବେଳେ ସାମିଲ ହେଇଛନ୍ତି ପାର୍ଥିବ ପଟେଲ । ଏ ଭିତରେ ପାର୍ଥିବ ପଟେଲ ପୁଣି ଏକଦିବସୀୟ ଟିମ୍ ରେ ନିଜ ସ୍ଥାନ ପକ୍କା କରିପାରିନାହାନ୍ତି । ପାର୍ଥିବ ପଟେଲ ପୂର୍ବଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ପାର୍ଥିବ ଏପର୍ଯ୍ୟନ୍ତ ଭାରତୀୟ ଟିମ୍ ପାଇଁ ୨୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୩୧.୧୩ ରନ୍ ରେଟ୍ ହିସାବରେ ମାତ୍ର ୯୩୪ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୬ଟି ଅର୍ଦ୍ଧଶତକ ସାମିଲ ଅଛି । ପାର୍ଥିବଙ୍କର ଏବେ ପୁଣି ଥରେ ଭାରତୀୟ ଟିମ୍ ରେ ସାମିଲ ହେବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । କାରଣ ଶ୍ରୀକର ଭରତଙ୍କ ଭଳି ଓ୍ବିକେଟ୍ କିପର ଏବେ ଭାରତୀୟ ଟିମ୍ ରେ ସାମିଲ ହେବା ପାଇଁ ଲାଇନରେ ଅଛନ୍ତି । ଯଦି ଏବେ ଟିମ୍ ରେ ସ୍ଥାନ ପାଇବାକୁ ହୁଏ ତେବେ ପ୍ରଥମେ ଶ୍ରୀକର ଭରତଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି ।

ମୁରଲୀ ବିଜୟ :

{"id":136483}

ଦମଦାର ବ୍ୟାଟିଂ କରୁଥିବା ମୁରଲୀ ବିଜୟଙ୍କ କ୍ୟାରିୟରରେ ଏବେ ସଙ୍କଟରେ ରହିଛି । ମୁରଲୀ ବିଜୟଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିଲା । ମାତ୍ର ସେହି ମ୍ୟାଚ୍ ରେ ତାଙ୍କର ପ୍ରଦର୍ଶନ ଭଲ ନଥିଲା । ଫଳରେ ତାଙ୍କୁ ଟିମ୍ ରୁ ବାଦ୍ ଦିଆଯାଇଛି । ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ରେ ଖେଳି ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ । ମୁରଲୀ ବିଜୟ ଏପର୍ଯ୍ୟନ୍ତ ଭାରତ ପାଇଁ ୬୧ ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି । ଯେଉଁଥିରେ ସେ ୩୮.୨୯ ରନ୍ ରେଟ୍ ହିସାବରେ ମାତ୍ର ୩୯୮୨ ରନ୍ ସଂଗ୍ରହ କରିଛନ୍ତି । ଏହି ଖେଳାଳିଙ୍କୁ ଏକଦିବସୀୟ ଟିମ୍ ଏବଂ ଟି-୨୦ ମ୍ୟାଚ୍ ରୁ ବାଦ୍ ଦିଆଯାଇଛି । ବିଜୟଙ୍କର ଏବେ ପୁଣି ଟିମ୍ କୁ ଫେରିବା ଏକ ପ୍ରକାରର କଷ୍ଟସାଧ୍ୟ ଜଣାପଡୁଛି । ପୃଥ୍ବୀ ଶା ଏବେ ଟିମ୍ ରେ ସାମିଲ ହେବା ପାଇଁ ଲାଇନରେ ଅଛନ୍ତି । ତେବେ ଏବେ ଯଦି ଟିମ୍ ରେ ସ୍ଥାନ ପାଇବାକୁ ହୁଏ ତେବେ ପୃଥ୍ବୀ ଶାଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.