ଏବେ ସ୍କୁଲ ଖୋଲିବା ସପକ୍ଷରେ ନାହାନ୍ତି ଏହିସବୁ ରାଜ୍ୟ, ଏମାସରେ ମଧ୍ୟ ହେବନାହିଁ ପାଠପଢା

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩।୧୦: କରୋନା ମହାମାରୀ କାରଣରୁ ଦେଶବ୍ୟାପୀ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ୧୬ ମାର୍ଚ୍ଚରୁ ବନ୍ଦ ରହିଛି । ଏବେ କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ଏସବୁ ପୁଣି ଥରେ ଖୋଲିବାକୁ ମଞ୍ଜୁରୀ ଦେଇସାରିଛନ୍ତି । ମାତ୍ର ସମସ୍ତ ରାଜ୍ୟ ଚଳିତ ମାସରେ ସ୍କୁଲ ଖୋଲିବା ମୁଡ୍ ରେ ନାହାନ୍ତି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ ସମେତ କେତେକ ରାଜ୍ୟ ଦୀପାବଳୀ ପରେ ହିଁ ଏ ବିଷୟରେ ଚିନ୍ତାକରିବାକୁ ଚାହୁଁଛନ୍ତି ।  ଚଳିତ ବର୍ଷ ଦୀପାବଳି ୧୪ ନଭେମ୍ବରରେ ପଡୁଛି । କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଶିକ୍ଷାନୁଷ୍ଠାନଗୁଡିକୁ ପୁର୍ନବାର ଖୋଲିବାର ଶେଷ ନିଷ୍ପତ୍ତି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉପରେ ଛାଡି ଦେଇଛନ୍ତି । କିଛି ରାଜ୍ୟ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲଗୁଡିକୁ ସୀମିତ ସ୍ତରରେ ଖୋଲିଛନ୍ତି ତ କିଛି ରାଜ୍ୟ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଦିଲ୍ଲୀ ସରକାର ସ୍କୁଲଗୁଡିକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ପରିସ୍ଥିତିର ସମୀକ୍ଷା କରାଯିବ । କର୍ଣ୍ଣାଟକ ସରକାର କହିଛନ୍ତି ଯେ, ତରବରିଆଭାବେ ସ୍କୁଲଗୁଡିକ ଖୋଲିବାକୁ ଚାହୁଁନାହାନ୍ତି । ପରିସ୍ଥିତିଗୁଡିକର ସମୀକ୍ଷା କରିବା ପରେ ସରକାର ଏ ଦିଗରେ ନିଷ୍ପତ୍ତି ନେବେ । ଛତିଶଗଡ ସରକାର କହିଛନ୍ତି ରାଜ୍ୟ ଗୁଡିକରେ ସ୍କୁଲ ମହାମାରୀକୁ ଦୃଷ୍ଟିରେ ରଖି ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି ଯେ, ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତିର ସମୀକ୍ଷା କରିବା ପରେ ଏ ନେଇ ନିଷ୍ପତ୍ତି ନେବେ ।

ଗୁଜୁରାଟ ସରକାର ମଧ୍ୟ ଏଭଳି ଚାହୁଁଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ସଚିବ ବିନୋଦ ରାଓ କହିଛନ୍ତି ଯେ, ଦୀପାବଳି ଛୁଟି ସରିବା ପରେ କରୋନା ସଂକ୍ରମଣ ସମ୍ବନ୍ଧୀୟ ପରିସ୍ଥିତିର ଆକଳନ କରି ସ୍କୁଲ ପୁଣି ଥରେ ଖୋଲିବା ଉପରେ ବିଚାର କରିବେ । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ସ୍କୁଲକୁ ଖୋଲିବା ନିଷ୍ପତ୍ତି ନଭେମ୍ବର ୧୫ ପରେ ହିଁ ନିଆଯିବ ।

ହରିୟାଣା ସରକାର ୬ଷ୍ଠରୁ ୯ମ ଶ୍ରେଣା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲିବା ଉପରେ ବିଚାର କରୁଛନ୍ତି । କାରଣ ସେମାନେ ଶିକ୍ଷକମାନଙ୍କଠାରୁ ମାର୍ଗଦର୍ଶନ ପଇପାରିବେ । ମାତ୍ର ଏଥିପାଇଁ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ । ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାମାନ୍ୟ ଭାବେ ସ୍କୁଲ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶ ସ୍କୁଲ ଶିକ୍ଷା ରାଜ୍ୟମନ୍ତ୍ରୀ ଇନ୍ଦର ସିଂହ ପରମାର କହିଛନ୍ତି ଯେ, ରାଜ୍ୟରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଏବେ ଖୋଲିବ ନାହିଁ । ରାଜ୍ୟରେ ୨୧ ସେପ୍ଟେମ୍ବରରୁ ସୀମିତ ଛାତ୍ରଛାତ୍ରୀଙ୍କ ସହିତ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ ସମେତ କେତେକ ରାଜ୍ୟ ଦୀପାବଳି ପରେ ହିଁ ଏ ନେଇ ନିଷ୍ପତ୍ତି ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.